ନୂଆଦିଲ୍ଲୀ: ଟ୍ବିଟରର ଅନେକ ସୁବିଧାସୁଯୋଗକୁ ଅବିକଳ ନକଲ କରିଥିବା ‌ନୂଆ ସୋସିଆଲ ମିଡିଆ ଆପ୍‌ ଥ୍ରେଡ୍‌ସକୁ କୋର୍ଟକୁ ଟାଣିବାକୁ ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ଧମକ ଦେଇଛନ୍ତି। ଗତକାଲି ଥ୍ରେଡ୍‌ସ ଏହାର ଯାତ୍ରା ଆରମ୍ଭ କରିଥିବା ବେ‌ଳେ ରାତାରାତି ଲୋକପ୍ରିୟ ହୋଇପଡ଼ିଛି। ୫ କୋଟିରୁ ଅଧିକ ଲୋକ ସେଥିରେ ଯୋଡ଼ି ହୋଇସାରିଲେଣି। ତେବେ ଏହି ଆପ୍‌ ଉପରେ ନିଜ ପ୍ରତିକ୍ରିୟା ରଖି ମସ୍କ କହିଛନ୍ତି ଯେ ପ୍ରତିଦ୍ବନ୍ଦ୍ବିତା ହେବା ଭଲ କଥା, କିନ୍ତୁ ଠକେଇ ନୁହେଁ।

Advertisment

ଥ୍ରେଡ୍‌ସ ବିରୋଧରେ ଟ୍ବିଟର ପକ୍ଷରୁ ବୌଦ୍ଧିକ ସମ୍ପତ୍ତି ଅଧିକାର ଉଲ୍ଲଂଘନ ଅଭିଯୋଗ କରାଯାଇଛି। ମସ୍କଙ୍କ ଆଇନଜୀବୀ ଆଲେକ୍ସ ସ୍ପିରୋ କହିଛନ୍ତି ଯେ ଟ୍ବିଟରର ବ୍ୟବସାୟ ଗୋପନୀୟତା ଓ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ବେଆଇନ ଭାବେ ବ୍ୟବହାର କରାଯାଇଛି। ଏନେଇ ସେ ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି। ଟ୍ବିଟରର ଏକାଧିକ କର୍ମଚାରୀଙ୍କୁ ଥ୍ରେଡ୍‌ସ ପାଇଁ ନିଯୁକ୍ତି ଦିଆଯାଇଛି ଯେଉଁମାନଙ୍କ ପାଖରେ ଟ୍ବିଟରର ବହୁ ବାଣିଜ୍ୟ ଗୋପନୀୟତା ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ଟ୍ବିଟର ବ୍ୟବସାୟ ଗୋପନୀୟତା ବ୍ୟବହାର ବନ୍ଦ କରିବାକୁ ଜୁକରବର୍ଗଙ୍କୁ କୁହାଯାଇଛି। ତେବେ ମେଟା ପକ୍ଷରୁ କୁହାଯାଇଛି ଯେ ଥ୍ରେଡ୍‌ସ ଇଞ୍ଜିନିୟରିଂ ଟିମ୍‌ରେ ଟ୍ବିଟରର କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ।

ଟ୍ବିଟରକୁ କିଣିବା ପରଠାରୁ ମସ୍କ ସେଥିରେ ନିୟମିତ ବ୍ୟବଧାନରେ ପରିବର୍ତ୍ତନ ଜାରି ରଖିଥିବାରୁ ବ୍ୟବହାରକାରୀମାନେ ସେଥିରେ ଅତିଷ୍ଠ ହୋଇପଡ଼ିଛନ୍ତି। ଏହି ସମୟରେ ତାହାର ବିକଳ୍ପ ଭାବେ ‌ଥ୍ରେଡ୍‌ସ ଉଭା ହେବା ଓ ତାହା ଅଳ୍ପ ସମୟ ଭିତରେ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇଯିବା ମସ୍କଙ୍କ ଚିନ୍ତା ବଢ଼ାଇଦେଇଛି। ଯଦିଓ ଥ୍ରେଡ୍‌ସ ଓ ଟ୍ବିଟରର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ବିକାଶ କରିଥିବା ଆପ୍ ବ୍ଲୁସ୍କାଏକୁ ଟ୍ବିଟରର ବିକଳ୍ପ ବୋଲି କୁହାଯାଉଛି, କିନ୍ତୁ କୌଣସି ଆପ୍ ଏପର୍ଯ୍ୟନ୍ତ ଟ୍ବିଟରର ଆଧିପତ୍ୟ ପ୍ରତି ବିପଦ ସୃ‌ଷ୍ଟି କରିପାରିନାହାନ୍ତି। ପ୍ରତିଦ୍ବନ୍ଦ୍ବୀଙ୍କ ଆପ୍‌ ନକଲି କରି ସଫଳତାର ସହ ତାହାର ବିକଳ୍ପ ଆଣିବାର ରେକର୍ଡ ଜୁକରବର୍ଗଙ୍କ ନାମରେ ରହିଛି। ଟିକ୍‌ଟକ୍‌ର ନକଲ କରି ସେ ପ୍ରସ୍ତୁତ କରିଥିବା କ୍ଷୁଦ୍ର ଭିଡିଓ ଆପ୍‌ ରିଲ୍‌ସ ବେଶ ସଫଳ ହୋଇଛି। ସ୍ନାପ୍‌ଚାଟ୍‌ର ନକଲ କରି ସେ ଇନଷ୍ଟାଗ୍ରାମ୍ ବିକାଶ କରିଥିଲେ ଯାହା ଯୁବପିଢ଼ିଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ତେଣୁ ଟ୍ବିଟରର ନକଲ କରି ସେ ପ୍ରସ୍ତୁତ କରିଥିବା ଥ୍ରେଡ୍‌ସ ଲୋକମାନଙ୍କ ଦ୍ବାରା ପ୍ରାରମ୍ଭିକ ପର୍ଯ୍ୟାୟରେ ବିପୁଳ ଗ୍ରହଣୀୟ ହେବା ତାହାର ସଫଳତାକୁ ଦର୍ଶାଉଛି। କିଛି ଦିନ ପୂର୍ବେ ଉଭୟ ମସ୍କ ଓ ଜୁକରବର୍ଗଙ୍କ ମଧ୍ୟରେ କେଜ୍ ଫାଇଟ୍‌ ହେବ ବୋଲି ଚର୍ଚ୍ଚା ହୋଇଥିଲା। ଲଢ଼େଇର ପ୍ରକୃତ କାରଣ ହେଉଛି ଥ୍ରେଡ୍‌ସ ଆପ୍ ଯାହା ଟ୍ବିଟରର ଆଧିପତ୍ୟକୁ ସିଧାସଳଖ ଚ୍ୟାଲେଞ୍ଜ୍‌ କରିଛି। ଜୁକରବର୍ଗ ଓ ମସ୍କ ଲଢ଼େଇ ପାଇଁ ଏବେ ସମର କଳା ଜିଉ-ଜିତ୍‌ସୁ ଉପରେ ତାଲିମ ନେଉଛନ୍ତି।