ନୂଆଦିଲ୍ଲୀ: ଚୀନ୍ର କମ୍ପାନି ବାଇଟ୍ଡ୍ୟାନ୍ସଠାରୁ ଟିକ୍ଟକ୍ର ଆମେରିକୀୟ କାରବାରକୁ କିଣିବା ଲାଗି ବିଶ୍ବର ଏକ ନମ୍ବର ଧନୀ ତଥା ଏକ୍ସର ମୁଖ୍ୟ ଏଲନ୍ ମସ୍କ ଆଗ୍ରହୀ ନଥିବା କହିଛନ୍ତି। ଜାତୀୟ ନିରାପତ୍ତା ପ୍ରତି ବିପଦ ଦର୍ଶାଇ ଟିକ୍ଟକ୍କୁ ନିଷିଦ୍ଧ କରିବା ଲାଗି ଆମେରିକାରେ ପ୍ରୟାସ କରାଯାଉଛି। କମ୍ପାନିକୁ ଦୁଇଟି ବିକଳ୍ପ ଦିଆଯାଇଛି। ଗୋଟିଏ ହେଉଛି ଏହା ନିଜ ଆମେରିକୀୟ କାରବାରକୁ ଅନ୍ୟ କାହାକୁ ବିକ୍ରି କରୁ ଅନ୍ୟଥା ସମ୍ପୂର୍ଣ୍ଣ ରୂପେ କାରବାର ବନ୍ଦ କରୁ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଟିକଟକ୍ର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଟିକ୍ଟକ୍କୁ ମସ୍କ କିଣନ୍ତୁ ବୋଲି ଟ୍ରମ୍ପ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଏକ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ମସ୍କ ଟିକ୍ଟକ୍କୁ କିଣିବା ପାଇଁ ଆଗ୍ରହୀ ନଥିବା କହିଛନ୍ତି। ମସ୍କ କହିଥିଲେ ଯେ ମୁଁ ବ୍ୟକ୍ତିଗତ ଭାବେ କ୍ଷୁଦ୍ର ଭିଡିଓ ଆପ୍ ବ୍ୟବହାର କରୁନାହିଁ। ତା ବିଷୟରେ ମୁଁ ଜାଣିନାହିଁ। ସାଧାରଣରେ ମୁଁ ଅଧିଗ୍ରହଣ କରେ ନାହିଁ। ତାହା ମୋ ପାଇଁ ଅତି ବିରଳ ଘଟଣା। ମୁଁ କମ୍ପାନି ମୂଳରୁ ଆରମ୍ଭ କରେ। ତେଣୁ ଟିକ୍ଟକ୍କୁ ଅଧିଗ୍ରହଣ କରିବା ମୋର ଯୋଜନା ନାହିଁ ବୋଲି ସେ କହିଥିଲେ। ମସ୍କ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ କମ୍ପାନି ଟ୍ବିଟର (ବର୍ତ୍ତମାନର ଏକ୍ସ)କୁ ୪୪୦୦ କୋଟି ଡଲାରରେ ଅଧିଗ୍ରହଣ କରିଥିଲେ। ତାଙ୍କ ଅନ୍ୟ କମ୍ପାନି ଯଥା ଟେସ୍ଲା, ସ୍ପେସ୍ଏକ୍ସ, ଷ୍ଟାର୍ଲିଙ୍କ୍, ନ୍ୟୁରାଲିଙ୍କ୍ ଆଦିକୁ ସେ ନିଜେ ସ୍ଥାପନ କରିଛନ୍ତି।
ଟିକ୍ଟକ୍କୁ ଆମେରିକାରେ ୧୭ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ତେଣୁ ତାହାକୁ ହଠାତ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଟ୍ରମ୍ପ ଚାହୁନାହାନ୍ତି। ଏହାକୁ କିଣିବା ଲାଗି ସେ ନିଜେ ବିଭିନ୍ନ ପକ୍ଷ ସହ କଥାବାର୍ତ୍ତା କରୁଛନ୍ତି। ଚଳିତ ମାସ ଶେଷ ଆଡ଼କୁ ଟିକ୍ଟକ୍ର ଭବିଷ୍ୟତ ନେଇ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ଟିକ୍ଟକ୍ର ମାଲିକାନା ରଖିଥିବା ସଂସ୍ଥା ବାଇଟ୍ଡ୍ୟାନ୍ସ ନିଜ ଆଡ଼ୁ ସ୍ପଷ୍ଟ କରିଛି ଯେ ଏହା ଟିକ୍ଟକ୍କୁ ବିକ୍ରି କରିବ ନାହିଁ।