ଭୁବନେଶ୍ବର: ଚଳିତ ବର୍ଷର ରଥଯାତ୍ରା ଅନେକ ଦୃଷ୍ଟିରୁ ଥିଲା ଭିନ୍ନ ଓ ନିଆରା। ପ୍ରଥମ ଥର ଲାଗି ଯାତ୍ରାରେ ଭକ୍ତି ଓ ଆର୍ଥିକ ସଚେତନତା ମିଶ୍ରଣରେ ଏକ ଚମତ୍କାର ପରିବେଶ ସୃଷ୍ଟି ହୋଇଥିଲା। ପବିତ୍ର ରଥଯାତ୍ରା ଦିନଠାରୁ ଆରମ୍ଭ ହୋଇଥିଲା ମ୍ୟୁଚୁଆଲ୍ ଫଣ୍ଡ୍‌ ସଚେତନତାର ମହାଅଭିଯାନ। ସମ୍ବାଦ ଭବନରୁ ଏକ ନିବେଶ ରଥର ଲୋକାର୍ପଣ ସହ ଏହି ଅଭିଯାନ ଆଗକୁ ବଢ଼ିଥିଲା। ଭକ୍ତ, ପର୍ଯ୍ୟଟକ ଓ ଲୋକମାନଙ୍କୁ ଯୋଡ଼ିବା ଲାଗି ଏହି ଅଭିଯାନରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ତାହାକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସ୍ଥାପନ କରିଥିଲେ ଆକର୍ଷଣୀୟ ବାଲୁକା କଳା। ତାହା ଥିଲା ସ୍ବତନ୍ତ୍ର। ସେହି ବାଲୁକା କଳା ପ୍ରତିଦିନ ଶହ ଶହ ‌ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। କାରଣ ତାହା ଲୋକଙ୍କ ମନରେ ଭଗବାନଙ୍କୁ ନେଇ ଭକ୍ତିଭାବ ସୃଷ୍ଟି କରୁଥିବା ସହ ସେମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍‌ ନିବେଶର ଲାଭ ବିଷୟରେ ସଚେତନ କରୁଛି। 

Advertisment

‘ମ୍ୟଚୁଆଲ୍ ଫଣ୍ଡ୍‌ ଠିକ୍ କଥା’ ଅଧୀନରେ ଆୟୋଜନ କରାଯାଇଥିବା ଏହି ଅଭିଯାନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା ‘ନିବେଶ ରଥ, ଯାହା ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା। ଏଥି‌ରେ ଲାଗିଥିବା ବୃହତ୍‌ ଏଲ୍‌ଇଡି ଟିଭିରେ ମ୍ୟୁଚୁଆଲ୍ ଫଣ୍ଡ୍‌ର ଲାଭ ବିଷୟରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ସେହିପରି, ବଡ଼ଦାଣ୍ଡରେ ଏକ ବିଶାଳ ଷ୍ଟଲ୍‌ ସ୍ଥାପନ କରାଯାଇଥିଲା। ସେହି ଷ୍ଟଲ୍‌ରେ ପ୍ରତିଦିନ କୁଇଜ୍ ପ୍ରତିଯୋଗିତାଠାରୁ ଆରମ୍ଭ କରି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ସେଥିରେ ପ୍ରତିଦିନ ଶହ ଶହ ଲୋକ ଯୋଡ଼ି ହେଉଥିଲେ। ସହଜ ପ୍ରଶ୍ନ ଜରିଆରେ ସେମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କରେ ସଚେତନ କରାଯାଇଥିବା ବେଳେ ସେମାନଙ୍କୁ ଛତା, ଟୋପି ଓ ଟି-ସାର୍ଟ ଭଳି ଉପହାର ଦିଆଯାଇଥିଲା। ଏହି ଅଭିଯାନର ସବୁଠୁ ଆକର୍ଷଣୀୟ କାର୍ଯ୍ୟକ୍ରମ ଥିଲା ଭଜନ ସନ୍ଧ୍ୟା। ସେଥିରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ଅନେକ ଲୋକପ୍ରିୟ ଭଜନ ଗାଇଥିଲେ। ଇନ୍‌ଫ୍ଲୁଏନ୍‌ସର୍‌ମାନେ ମଧ୍ୟ ଏହି ଅଭିଯାନରେ ଯୋଡ଼ି ହୋଇଥିଲେ। ସମଗ୍ର ଅଭିଯାନକୁ ‘ସମ୍ବାଦ’, କନକ ନିଉଜ୍‌ ଓ ରେଡିଓ ଚକ୍‌ଲେଟ୍‌ ଏବଂ ତିନି ସଂସ୍ଥାର ଡିଜିଟାଲ୍ ମାଧ୍ୟମରେ ବ୍ୟାପକ ଭାବେ ପ୍ରଚାରପ୍ରସାର କରାଯାଇଛି। ସମସ୍ତ ସଂସ୍ଥାର ସୋସିଆଲ ମିଡିଆ ହ‌ାଣ୍ଡେଲ୍‌ରେ ମଧ୍ୟ ପ୍ରଚାର କରାଯାଇଥିଲା।