ଭୁବନେଶ୍ୱର: ରାଜ୍ୟରେ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ସମ୍ପତ୍ତି ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏସ୍ଆଇପି(Systematic Investment Plan) ଜରିଆରେ ରାଜ୍ୟର କୋଣ ଅନୁକୋଣରୁ ଲୋକମାନେ ଏଥିରେ ନିବେଶ କରୁଛନ୍ତି। ଏଭଳି ଏକ ସମୟରେ ଆର୍ଥିକ ସଚେତନତାର ଆବଶ୍ୟକତା ପୂର୍ବାପେକ୍ଷା ବେଶ୍ ଜୁରରୀ ହୋଇପଡ଼ିଛି। ନିବେଶ ପୂର୍ବରୁ ଯେଉଁ ସବୁ ବିଷୟଗୁଡ଼ିକ ନିହାତି ଜାଣିବା ଜରୁରୀ, ସେ ବିଷୟରେ ଅଧିକାଂଶ ଲୋକ ଭଲ ଭାବେ ଅବଗତ ନାହାନ୍ତି। ସେଥିପାଇଁ ଅନେକ ସମୟରେ ସେମାନେ ଭୁଲ୍‌ ଫଣ୍ଡ୍‌ରେ ନିବେଶ କରିଥାନ୍ତି। ସଠିକ୍ ନିବେଶ ଓ ନିବେଶକଙ୍କ ଭିତରେ ଜ୍ଞାନର ଯେଉଁ ଅନ୍ତର ରହିଛି ତାହାକୁ ଦୂର କରିବା ଲାଗି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ଏକ ମହତ୍‌ ଅଭିଯାନ ହାତକୁ ନେଇଛି। ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍‌ ଫଣ୍ଡସ୍ ଇନ୍ ଇଣ୍ଡିଆ (ଆମ୍ଫି)ର ମିଳିତ ସହଯୋଗରେ ଚଳିତମାସ ୨୧ ତାରିଖରେ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ( ଜୟଦେବ ଭବନ ପରିସର)ରେ ଏକ ନିବେଶକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Advertisment

ସମ୍ବାଦ-ଆମ୍ଫିର କାର୍ଯ୍ୟକ୍ରମ ୨୧ରେ

ଯଦି ଆପଣମାନେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିଛନ୍ତି କିମ୍ବା ନିବେଶ କରିବା ବିଷୟରେ ବିଚାର କରୁଛନ୍ତି, ତେବେ ଏହା ହେଉଛି ଆପଣମାନଙ୍କ କାର୍ଯ୍ୟକ୍ରମ। ଏଥିରେ ଯୋଡ଼ି ହୋଇ ଆପଣମାନେ ମ୍ୟୁଚୁଆଲ୍ ଫଣ୍ଡ୍‌ର ପ୍ରତିଟି ବିଷୟକୁ ଭଲ ଭାବେ ବୁଝିପାରିବେ ଏବଂ ସେହି ଆଧାରରେ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ମ୍ୟୁଚୁଆଲ୍‌ ଫଣ୍ଡ୍‌ ମାଧ୍ୟମରେ ନିବେଶଜନିତ ବିପଦ, ରିଟର୍ଣ୍ଣ ତଥା ସ୍ବଳ୍ପମିଆଦୀ ଓ ଦୀର୍ଘମିଆଦୀ ଲାଭ ଉପରେ ଗୁରୁତ୍ବପୂର୍ଣ୍ଣ ସୂଚନା ଅତି ସରଳ ଭାଷାରେ ପ୍ରଦାନ କରାଯିବ। 

ପରିବର୍ତ୍ତନ ଲର୍ଣ୍ଣିଂ ସଲ୍ୟୁସନ୍ସର ବିଶିଷ୍ଟ ସିନିୟର୍ କର୍ପୋରେଟ୍ ଟ୍ରେନର୍ ଏବଂ ଲର୍ଣ୍ଣିଂ ଓ ଡେଭଲପ୍‌ମେଣ୍ଟ୍ ପ୍ରଫେସନାଲ୍ ଶ୍ରୀ ରଘୁନନ୍ଦନ ପଟ୍ଟନାୟକ ଏହି ଅଧିବେଶନରେ ନିବେଶକଙ୍କୁ ସଚେତନ କରିବେ। ଆର୍ଥିକ କ୍ଷେତ୍ରରେ ତାଲିମ ଏବଂ ମାର୍ଗଦର୍ଶନରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଅନୁସାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ବିଭିନ୍ନ ବିଷୟଗୁଡ଼ିକୁ ସେ ସରଳ ଭାଷାରେ ବୁଝାଇବେ। ଏହି ଉଦ୍ୟମ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ‘ଏକ ସୂଚିତ ନିବେଶକ ଏକ ସୁରକ୍ଷିତ ନିବେଶକ’ ମିସନ୍‌ ସହିତ ଭଲ ଭାବେ ସମନ୍ବିତ ରହିଛି। ଏହି କାର୍ଯ୍ୟକ୍ରମ ସମସ୍ତ ନିବଶେକଙ୍କ ପାଇଁ ଖୋଲା ରହିଛି। ଏଥିରେ ଭାଗ ନେଇ ଆପଣମାନେ ଶିଳ୍ପ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଏବଂ ନିଜ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ଏକ ଉତ୍ତମ ସୁଯୋଗ ପାଇପାରିବେ।