ଦେଶର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନି(ଏଏମ୍‌ସି) ନିପନ୍ ଇଣ୍ଡିଆ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ମୁଖ୍ୟ ନିବେଶ ଅଧିକାରୀ (ଫିକ୍ସଡ ଇନକମ୍‌) ଭାବେ ଓଡ଼ିଆ ଅଧିକାରୀ ଅମିତ୍‌ ତ୍ରିପାଠୀ କାର୍ଯ୍ୟ କରୁଛନ୍ତି। ନିପନ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହିତ ପ୍ରାୟ ୨ ଦଶନ୍ଧିରୁ ଅଧିକ ସମୟ ଧରି ଯୋଡ଼ି ହୋଇଥିବା ଶ୍ରୀ ତ୍ରିପାଠୀ ବର୍ତ୍ତମାନ କମ୍ପାନିର ଗୁରୁ ଦାୟିତ୍ବ ସମ୍ଭାଳୁଛନ୍ତି। ନିକଟରେ ଭୁବନେଶ୍ବରଠାରେ କମ୍ପାନିର ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ଶ୍ରୀ ତ୍ରିପାଠୀ ‘ସମ୍ବାଦ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ଯାହା କୁହନ୍ତି...

Advertisment

ଓଡ଼ିଶାରେ ନିପନ୍ ଇଣ୍ଡିଆ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ବଜାର ଆକାର କେତେ?
ଓଡ଼ିଶାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ମୋଟ ବଜାର ଆକାର ୫୬ ହଜାର କୋଟି ଟଙ୍କା ଏବେ ରହିଛି। ଏଥିରେ ନିପନ୍‌ ଇଣ୍ଡିଆ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଅଂଶ ୫୫୦୦ କୋଟି ଟଙ୍କା‌ରେ ପହଞ୍ଚିଛି। ଓଡ଼ିଶାର ମ୍ୟୁଚୁଆଲ୍‌ ଫଣ୍ଡ୍‌ ବଜାରରେ ଖୁଚୁରା ନିବେଶକଙ୍କ ଯୋଗଦାନ ଅତ୍ୟନ୍ତ ଭଲ ରହିଛି। ଓଡ଼ିଶା‌ର ଲୋକମାନେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶକୁ ବୁଝିବା ସହିତ ବେଶ୍‌ ସଚେତନ ହେଲେଣି।  ଗତ ୫-୭ ବର୍ଷ ଭିତରେ ଓଡ଼ିଶାରେ ଏହି ସଚେତନତା ମାତ୍ରା ବଢ଼ିଛି। ସମ୍ପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ସ୍ଥାନ ପୂର୍ବରୁ ଭାରତର ଅଳ୍ପ କେତୋଟି ରାଜ୍ୟ ଭିତରେ ସୀମିତ ଥିଲା। ଓଡ଼ିଶା ବର୍ତ୍ତମାନ ଏଥିରେ ସାମିଲ ହୋଇଛି।
ମ୍ୟୁଚୁଆଲ ଫଣ୍ଡ୍‌ ନିବେଶକମାନଙ୍କୁ ସାଧାରଣତଃ କେତେ ରିଟର୍ଣ୍ଣ ପ୍ରଦାନ କରିଥାଏ?
ମ୍ୟୁଚୁଆଲ୍‌ ଫଣ୍ଡ୍‌ର ରିଟର୍ଣ୍ଣ ମାର୍କେଟ୍‌ ଉପରେ ନିର୍ଭର କରିଥାଏ। ମାର୍କେଟ୍‌ ରିଟର୍ଣ୍ଣ ମଧ୍ୟ କମ୍ପାନିଗୁଡ଼ିକର ବିକାଶ ଓ ଅର୍ଥନୀତିର ଅଗ୍ରଗତି ଉପରେ ନିର୍ଭରଶୀଳ। ଦେଶର ନମିନାଲ ଜିଡିପି ଯଦି ୧୦ରୁ ୧୨ ପ୍ରତିଶତ ହାରରେ ବଢ଼େ ତା’ହେଲେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରୁ ୧୨ରୁ ୧୫ ପ୍ରତିଶତ ହାରରେ ରିଟର୍ଣ୍ଣ ମିଳିବ ବୋଲି କୁହାଯାଇପାରିବ।  
ସମ୍ପ୍ରତି ପୁଞ୍ଜିବଜାରକୁ ଦେଖିଲେ ଭାରତୀୟ ଅର୍ଥନୀତିର ଦୃଶ୍ୟପଟ ନେଇ କ’ଣ କହିବେ?
ଭାରତୀୟ ଅର୍ଥନୀତିର ଦୃଶ୍ୟପଟ ଭଲ ରହିଛି। ପୁଞ୍ଜି ବଜାରରେ ଉତ୍‌ଥାନ ଓ ପତନର ଚକ୍ର  ଆସେ ଏବଂ ଯାଏ। କିନ୍ତୁ ନିବେଶକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥାଏ। ତେଣୁ ବଜାରର ସାମୟିକ ଉତ୍‌ଥାନ ଓ ପତନରେ ବ୍ୟତିବ୍ୟସ୍ଥ ‌ନହୋଇ ଦୀର୍ଘଦିନ ପାଇଁ ଶୃଙ୍ଖଳାର ସହିତ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ ଜାରି ରଖିଲେ ନିବେଶକମାନେ ଭଲ ଲାଭ ପାଇପାରିବେ। 
ଜଣେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିବାକୁ କାହିଁକି ପସନ୍ଦ କରିବ?
ଏହାର ଅନେକ କାରଣ ରହିଛି।  ସବୁ ଆର୍ଥିକ ଉତ୍ପାଦ ମଧ୍ୟରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପରେ ସର୍ବାଧିକ ସ୍ବଚ୍ଛତା ରହିଥାଏ। ଏଥିସହ ପେସାଦାର ବ୍ୟକ୍ତିମାନଙ୍କ ଦ୍ବାରା ଏହା ପରିଚାଳିତ ହୋଇଥାଏ। ତେଣୁ ଉତ୍ତମମାନର ନିବେଶ ସେବା ଜଣେ ସାଧାରଣ ନିବେଶକ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଜରିଆରେ ପାଇପାରିଥାଏ। ଇକ୍ବିଟିରେ ସମ୍ପତ୍ତି ସୃଷ୍ଟି ହୋଇଥାଏ ଏବଂ ଡେବ୍‌ଟରେ ସମ୍ପତ୍ତି ସଂରକ୍ଷିତ ରହିଥାଏ। ତେଣୁ ସମ୍ପତ୍ତି ସୃଷ୍ଟି ଲାଗି ରହିଥିବା ଉତ୍ପାଦଗୁଡ଼ିକ ମଧ୍ୟରେ ପାରମ୍ପରିକ ଆର୍ଥିକ ଉତ୍ପାଦ ତୁଳନାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଅଂଶ ବଢ଼ିବାରେ ଲାଗିଛି। କହିବାକୁ ଗଲେ ସମ୍ପତ୍ତି ସୃଷ୍ଟିର ମୁଖ୍ୟ ଉତ୍ସ ଏବେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପାଲଟିଛି।  
ନିପନ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହ ଆପଣଙ୍କ ଯାତ୍ରାକୁ କିଭଳି ଦେଖୁଛନ୍ତି?
ନିପନ୍‌ ସହ ଯାତ୍ରା ଅତ୍ୟନ୍ତ ଉତ୍ସାହଜନକ ରହିଛି। କମ୍ପାନିରେ ମୁଁ ଯୋଗଦେବା ସମୟରେ ନିପନ୍‌ ଇଣ୍ଡିଆ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଆକାର ୩ ହଜାର କୋଟି ଟଙ୍କା ଥିଲା। ଏବେ ଏହା ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ନିପନ୍ ଇଣ୍ଡିଆ ଆଜି ଅନେକ କ୍ଷେତ୍ରରେ ପ୍ରଥମ ରହିଛି। ଦେଶର ଚତୁର୍ଥ ବୃହତ୍ ସମ୍ପତ୍ତି ପରିଚାଳନା କମ୍ପାନି ହେବା ସହିତ ସର୍ବବୃହତ୍ ଅଣବ୍ୟାଙ୍କିଂ ମ୍ୟୁଚୁଆଲ୍‌ ଫଣ୍ଡ୍‌ କମ୍ପାନି ହେବାର ସୌଭାଗ୍ୟ ଲାଭ କରିଛି। ନିପନ୍ ଇଣ୍ଡିଆ ପ୍ରଥମ ଏଏମ୍‌ସି ଯିଏ କି ସେୟାର ବଜାରରେ ତାଲିକାଭୁକ୍ତ ହୋଇଛି।