ମୁମ୍ବାଇ,: ସାରା ଦୁନିଆରେ ହଇଚଇ ସୃଷ୍ଟି କରିଥିବା କରୋନା ଭୂତାଣୁ ଷ୍ଟକ ବଜାରର ମଧ୍ୟ ଅନେକ କ୍ଷତି କଲାଣି। ଏହାର ପ୍ରଭାବ ଏବେ ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପରେ ଦେଖିବାକୁ ମିଳିଛି। ଦେଶର ଏକ ଜଣାଶୁଣା ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥା 'ଫ୍ରାଙ୍କଲିନ୍ ଟେମ୍ପଲ୍ଟନ୍' ଏହାର ୬ଟି ସ୍କିମ୍କୁ ବନ୍ଦ କରିଦେବା ପରେ ନିବେଶକମାନେ ଛାନିଆ ହୋଇପଡ଼ିଛନ୍ତି। ଏହି ଫଣ୍ଡ୍ ବା ସ୍କିମ୍ଗୁଡ଼ିକରେ ନିବେଶକମାନଙ୍କ ୨୮ ହଜାର କୋଟି ଟଙ୍କା ଫସିରହିଛି। ବହୁତ କମ୍ ଲିକ୍ବିଡିଟି ଏବଂ ରିଟର୍ଣ୍ଣ କମ୍ ମିଳୁଥିବାରୁ ଏହି ଫଣ୍ଡ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛି ବୋଲି ଫ୍ରାଙ୍କ୍ଲିନ୍ ସଫେଇ ଦେଇଛି। କଂପାନି ପାଖରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି। ଫ୍ରାଙ୍କଲିନ୍ ପକ୍ଷରୁ କୁହାଯାଇଛି ଯେ କରୋନା ସଙ୍କଟ ଆରମ୍ଭ ହେବା ପରେ ଲୋକମାନେ ବିପୁଳ ମାତ୍ରାର ପାଣ୍ଠି ପ୍ରତ୍ୟାହାର କରିନେଇଛନ୍ତି। ଫଳରେ କଂପାନି ପାଖରେ ନଗଦ ଅର୍ଥର ଅଭାବ ସୃଷ୍ଟି ହୋଇଛି। ରିଡିମ୍ପସନ୍ ଚାପ ପଢ଼ିବା ପରେ ଏହି ସବୁ ଫଣ୍ଡ୍ର ସିକ୍ୟୁରିଟିକୁ ବିକ୍ରି କରାଯିବ। ନିବେଶକଙ୍କ ପାଇଁ ଏକ ଆଶ୍ବସ୍ତିର ବିଷୟ ହେଉଛି ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରାଯିବ। ଫ୍ରାଙ୍କଲିନ୍ କହିଛି ଯେ ଡେବ୍ଟ ଫଣ୍ଡ୍ ସଙ୍କଟରେ ପଡ଼ିବାର ଆଶଙ୍କା ବଢ଼ିଛି। କରୋନା ସଙ୍କଟ ଦ୍ବାରା ଅନ୍ୟ ମ୍ୟୁଚୁଆଲ୍ ଫଣ୍ଡ୍ କଂପାନିଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଫ୍ରାଙ୍କଲିନ୍ ଟେମ୍ପଲଟନ୍ ବନ୍ଦ କରିଥିବା ୬ଟି ସ୍କିମ୍ ହେଉଛି ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ଲୋ ଡ୍ୟୁରେସନ୍ ଫଣ୍ଡ୍, ଫାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ସର୍ଟ ବଣ୍ଡ୍ ଫଣ୍ଡ୍, ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ସର୍ଟ ଟର୍ମ ଇନ୍କମ୍ ପ୍ଲାନ୍, ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ କ୍ରେଡିଟ୍ ରିସ୍କ ଫଣ୍ଡ୍, ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ଡାଇନାମିକ୍ ଆକ୍ଚୁରିଆଲ୍ ଫଣ୍ଡ୍ ଓ ଫ୍ରାଙ୍କଲିନ୍ ଇଣ୍ଡି୍ଆ ଟେମ୍ପଲ୍ଟନ୍ ଇନକମ୍ ଅପର୍ଚୁନିଟି ଫଣ୍ଡ୍। ଏହି ସବୁ ଫଣ୍ଡ୍ ଡେବଟ୍ ବର୍ଗର ଥିଲା। ଦେଶର ଏକ ଅଗ୍ରଣୀ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥା ସଙ୍କଟରେ ପଡ଼ିଯାଇଥିବାରୁ ଏହି ଶିଳ୍ପରେ ପୁଞ୍ଜି ଖଟାଇଥିବା ନିବେଶକମାନେ ଭୟଭୀତ ହୋଇପଡ଼ିଛନ୍ତି। ସେମାନଙ୍କ ଟଙ୍କା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଟକିଯିବାର ଭୟ ସୃଷ୍ଟି ହୋଇଛି। ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପର ସଂସ୍ଥା ଆମ୍ଫି ପକ୍ଷରୁ ନିବେଶକମାନଙ୍କ ଭୟ ଦୂର କରିବା ଲାଗି ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛି। ଆମ୍ଫି ଅନୁସାରେ ଅଧିକାଂଶ ଫିକ୍ସଡ୍ ଇନକମ୍ ମ୍ୟୁଚୁଆଲ୍ ଫଣ୍ଡ୍ର ପାଣ୍ଠି ଉନ୍ନତ ସିକ୍ୟୁରିଟିଜ୍ରେ ବ୍ୟବହାର କରାଯାଇଛି। କଂପାନିଗୁଡ଼ିକ ପାଖରେ ନଗଦ ଅର୍ଥର ଅଭାବ ନାହିଁ। ତେଣୁ ଭୟ କରିବାର କୌଣସି କାରଣ ନାହିଁ। ଦେଶର ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ବନ୍ଦ କରିଥିବା ସ୍କିମ୍ଗୁଡ଼ିକର ଭାଗ ବହୁତ କମ୍ ରହିଛି। ମୋଟ ପରିଚାଳନା ଅଧିକ ସମ୍ପତ୍ତିର ମାତ୍ର ୧.୬ ପ୍ରତିଶତ ହେବ।
ମୁମ୍ବାଇ: ଫ୍ରାଙ୍କଲିନ୍ ଟେମ୍ପ୍ଲଟନ୍ରେ ଦେଖାଦେଇଥିବା ସଙ୍କଟକୁ ନଜରରେ ରଖି ନିବେଶକମାନେ ସେୟାର ବିକ୍ରି କରିଦେବାରୁ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସର ଆଜି ୫୦୦ରୁ ଅଧିକ ପଏଣ୍ଟ୍ର ହ୍ରାସ ଘଟିଛି। ସେନ୍ସେକ୍ସ ଆଜି ୫୩୬ ପଏଣ୍ଟ୍ ହ୍ରାସ ସହ ୩୧,୩୨୭ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୩୯ ପଏଣ୍ଟ୍ ବୃଦ୍ଧି ସହ ୯୧୭୪ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜିର କାରବାରରେ ବ୍ୟାଙ୍କ, ରିଅଲ ଇଷ୍ଟେଟ୍ ଓ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ସେୟାର ଅଧିକ ମାତ୍ରାରେ ବିକ୍ରି ହୋଇଥିଲା। ଔଷଧ କଂପାନିଗୁଡ଼ିକର ସେୟାରକୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ପ୍ରକାର କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସଘଟିଛି। ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ୯% ହ୍ରାସ ପାଇଛି। ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟ ଯଥାକ୍ରମେ ୭ ପ୍ରତିଶତ ଓ ୬ ପ୍ରତିଶତ ହ୍ରାସ ପାଇଛି। ଆଇସିଆଇସିଆଇ ବ୍ୟାଙ୍କ ଓ ଏଚ୍ଡିଏଫ୍ସିର ସେୟାର ମୂଲ୍ୟରେ ୫ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ସନ୍ ଫାର୍ମା, ହିରୋ ମୋଟୋକର୍ପ ଓ ଏଲ୍ଆଣ୍ଡ୍ଟିର ସେୟାର ଦାମ୍ ବଢ଼ିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ୪ ପ୍ରତିଶତ ବଢ଼ିବା ପରେ ଏହାର ମୋଟ ବଜାର ପୁଞ୍ଜି ମୂଲ୍ୟ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ବିଶ୍ବ ସ୍ତରରେ ମଧ୍ୟ ଆଜି କାରବାର ମାନ୍ଦା ରହିଥିଲା। ଆମେରିକା ଏବଂ ଏସିଆର ପ୍ରମୁଖ ଷ୍ଟକ ବଜାରଗୁଡ଼ିକର ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଛି।