ଟାଟାକୁ ନେଇ ମୋ ଆଶଙ୍କା ସତ ହୋଇଛି: ସାଇରସ୍‌

କ୍ଷତି ସତ୍ତ୍ବେ ନାନୋ କାରଖାନା ବନ୍ଦ କରାଯାଉନି

ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଥିବା ‌ବେଳେ କେତେକ ପୁଞ୍ଜିନିବେଶକୁ ନେଇ ମୁଁ ଯେଉଁ ଆଶଙ୍କା ପ୍ରକଟ କରିଥିଲି ତାହା ସତ ହୋଇଛି ବୋଲି ଏକ ଅଭାବନୀୟ ପରିସ୍ଥିତିରେ ଉକ୍ତ ପଦରୁ ବିଦା ହୋଇଥିବା ସାଇରସ୍‌ ମିସ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟରେ ଏସମ୍ପର୍କିତ ଏକ ମାମଲାର ଶୁଣାଣି ସତ୍ୟପାଠ ଦାଖଲ କରି ସାଇରସ୍‌ ଏହି ସୂଚନା ଦେଇଛନ୍ତି। ସେ କୋର୍ଟଙ୍କୁ ଅବଗତ କରିଛନ୍ତି ଯେ, ମୋର ପୂର୍ବରୁ କଂପାନିର ଦାୟିତ୍ବରେ ଥିବା ରତନ ଟାଟା ଯେଉଁ ମୂଲ୍ୟ-ଧ୍ବଂସକାରୀ ଅଧିଗ୍ରହଣଗୁଡ଼ିକ କରିଥିଲେ ତାହାକୁ ନେଇ ମୁଁ ଚିନ୍ତା ପ୍ରକଟ କରିଥିଲି। ଏତେ ତାହା ବାସ୍ତବତାରେ ପରିଣତ ହୋଇଛି। ସାଢ଼େ ତିନି ବର୍ଷ ତଳେ ଏକ ପତ୍ର ଜରିଆରେ ସେ ବୋର୍ଡକୁ ନିଜ ମନରେ ଥିବା ଆଶଙ୍କାଗୁଡ଼ିକ ବିଷୟରେ ଅବଗତ କରିଥିଲେ। ଟାଟା ଟେଲିସର୍ଭିସେସ୍‌ର କ୍ଷତି ୬୦ ହଜାର କୋଟି ଟଙ୍କା ହେବ ବୋଲି ସାଇରସ୍‌ ଆକଳନ କରିଥିଲେ। ବିନା ଉତ୍ପାଦନରେ କାହିଁକି ନାନୋ କାରଖାନା ବନ୍ଦ କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। କ୍ଷତି ସତ୍ତ୍ବେ ଟାଟା ଷ୍ଟିଲ୍ ୟୁରୋପରେ ପୁଞ୍ଜିନିବେଶ ଜାରି ରଖାଯାଇଥିବାକୁ ନେଇ ସେ ଆପତ୍ତି ଉଠାଇଥିଲେ।

ମୁନ୍ଦ୍ରା ପ୍ରକଳ୍ପରେ କରାଯାଉଥିବା ନିବେଶ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସେ ଆଗୁଆ ସତର୍କ କରାଇଥିଲେ। ସେହି ଚିଠି ରତନ ଟାଟା ଓ ସାଇରସ୍‌ଙ୍କ ଭିତରେ ଫାଟ ସୃଷ୍ଟି କରିବାର ପ୍ରମୁଖ କାରଣ ସାଜିଥିଲା। ୨୦୧୬ ଅକ୍ଟୋବରରେ ସାଇରସ୍‌ଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। କୋର୍ଟରେ ସାଇରସ୍‌ ଦାଖଲ କରିଥିବା ସତ୍ୟପାଠରେ ଜଣାଇଛନ୍ତି ଯେ, ନାନୋ ପ୍ରକଳ୍ପ ପାଇଁ ଟାଟାକୁ ୬୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହି କାରଖାନା ବନ୍ଦ କରିବା ଲାଗି ୨୦୧୬ ଅକ୍ଟୋବରରେ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହି ପ୍ରକଳ୍ପ ସହିତ ଆବେଗ ଜଡ଼ିତ ଥିବାରୁ ତାହାକୁ ବନ୍ଦ କରାଯାଉନାହିଁ। ମୁନ୍ଦ୍ରା ପ୍ରକଳ୍ପରେ ଯେଉଁ ୧୮ ହଜାର କୋଟି ଟଙ୍କାର ନିବେଶ କରାଯାଇଛି ତାହାର କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିନାହିଁ। ଟାଟା ପାୱାର ଲାଗି ୩୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କଂପାନି ସ୍ଥିତିରେ ସୁଧାର ହୋଇନଥିବା ସେ ଜଣାଇଛନ୍ତି। ପୂର୍ବରୁ ରତନ ଟାଟା-ସାଇରସ୍‌ ମାମଲାର ଶୁଣାଣି କରି ଏନ୍‌ସିଏଲ୍‌ଟି ଯେଉଁ ରାୟ ଦେଇଥିଲେ ସେଥିରେ ସାଇରସ୍‌ ସନ୍ତୁଷ୍ଟ ନଥିଲେ। ଏନ୍‌ସିଏଲ୍‌ଟିରେ ମୋତେ ପୂର୍ଣ୍ଣ ନ୍ୟାୟ ମିଳିନାହିଁ ବୋଲି ଅଭିଯୋଗ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଜ ଅଂଶଧନ ଅନୁସାରେ ଟାଟା ସନ୍ସ ବୋର୍ଡରେ ନିର୍ଦେଶକ ପଦ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର