ଭୁବନେଶ୍ବର: ରାଷ୍ଟ୍ରାୟତ୍ତ କମ୍ପାନି ପେଟ୍ରୋନେଟ୍ ଏଲ୍ଏନ୍ଜି ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସ୍ଥାପନ କରାଯିବାକୁ ଥିବା ଏଲ୍ଏନ୍ଜି ଟର୍ମିନାଲ୍ ପ୍ରକଳ୍ପକୁ କମ୍ପାନି ବୋର୍ଡ ଅନୁମୋଦନ ପ୍ରଦାନ କରିଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୋପାଳପୁର ଏଲ୍ଏନ୍ଜି ଟର୍ମିନାଲ୍ ପ୍ରକଳ୍ପରେ ୬,୩୫୪.୮୦ କୋଟି ଟଙ୍କା ନିବେଶ ହେବ। ପୂର୍ବ ଭାରତରେ ଏହା କମ୍ପାନିର ପ୍ରଥମ ନୂଆ ଏଲ୍ଏନ୍ଜି ଟର୍ମିନାଲ୍। ଏହି ପ୍ରକଳ୍ପ କାର୍ଯ୍ୟ ତିନି ବର୍ଷରେ ଶେଷ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଗୋପାଳପୁରରେ କମ୍ପାନି ୪ ଏମ୍ଏମ୍ଟିପିଏ କ୍ଷମତାର ଏକ ଭାସମାନ ସଂରକ୍ଷଣ ଓ ରିଗ୍ୟାସିଫିକେସନ୍ ୟୁନିଟ୍ ବସାଇବାକୁ ଚାହୁଥିଲା। ସେଥିପାଇଁ ବୋର୍ଡର ଅନୁମୋଦନ ମଧ୍ୟ ମିଳିଥିଲା। କିନ୍ତୁ ତାହା ସମ୍ଭବ ହେଉନଥିବାରୁ କମ୍ପାନି ୫ ଏମ୍ଏମ୍ଟିପିଏର ଜମି ଭିତ୍ତିକ ଏଲ୍ଏନ୍ଜି ଟର୍ମିନାଲ୍ କରିବାକୁ ଚାହୁଛି। ପରିବର୍ତ୍ତିତ ପ୍ରକଳ୍ପ ଲାଗି ନିବେଶ ରାଶିକୁ କମ୍ପାନି ଉଭୟ ଋଣ ଓ ଇକ୍ବିଟି ଜରିଆରେ ସଂଗ୍ରହ କରିବ।
ଚଳିତ ବର୍ଷ ଏପ୍ରିଲ୍ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପେଟ୍ରୋନେଟ୍ ଏଲ୍ଏନ୍ଜି ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଥିଲା। ପେଟ୍ରୋନେଟ୍ ଏଲ୍ଏନ୍ଜିର ଏମ୍ଡି ଓ ସିଇଓ ଅକ୍ଷୟ କୁମାର ସିଂହ ଓ ଇପିକଲ୍ ଓ ଇଡ୍କୋ ଏମ୍ଡି ଭୂପେନ୍ଦ୍ର ସିଂହ ପୁନିଆ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।
ଦୀର୍ଘଦିନରୁ ପେଟ୍ରୋନେଟ୍ ଏଲ୍ଏନ୍ଜି ଓଡ଼ିଶାରେ ଏକ ଏଲ୍ଏନ୍ଜି ଟର୍ମିନାଲ୍ ନିର୍ମାଣ କରିବାକୁ ଉଦ୍ୟମ କରୁଛି। ଦଶନ୍ଧି ପୂର୍ବେ ଏହା ପାରାଦୀପ, ଗୋପାଳପୁର ଓ ଧାମରା ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନ ଚୟନ କରିବାକୁ ଚାହୁଥିଲା। ଏହା ତିନି ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲା। ଶେଷରେ ଗୋପାଳପୁରକୁ କମ୍ପାନି ନିଜର ପ୍ରକଳ୍ପ ସ୍ଥାନ ଭାବେ ଚୟନ କରିଥିଲା। ଦେଶର ଏଲ୍ଏନ୍ଜି ଆମଦାନି ଆବଶ୍ୟକତା ପୂରଣ କରିବା ଲାଗି ଚାରିଟି ତୈଳ କମ୍ପାନି ଓଏନ୍ଜିସି, ଆଇଓସିଏଲ୍, ଗେଲ୍ ଓ ବିପିସିଏଲ୍ର ମିଳିତ ସହଯୋଗରେ ୧୯୯୮ରେ ପେଟ୍ରୋନେଟ୍ ଏଲ୍ଏନ୍ଜି ସ୍ଥାପନ କରାଯାଇଥିଲା। ଏହାର ଦୁଇଟି ଏଲ୍ଏନ୍ଜି ଟର୍ମିନାଲ୍ ଦେଶର ପଶ୍ଚିମ ଭାଗରେ ଗୁଜରାଟର ଦହେଜ ଏବଂ ଦକ୍ଷିଣ ଭାଗରେ କେରଳର କୋଚିରେ ରହିଛି। ଗୋପାଳପୁର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ କମ୍ପାନି ପୂର୍ବ ଭାରତରେ ଏହାର ଉପସ୍ଥିତି ଜାହିର କରିପାରିବ।