ମୁମ୍ବାଇ: ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ଇଚ୍ଛାପତ୍ରକୁ କାର୍ଯ୍ୟକାରୀ କରିବା ଲାଗି ତାହାକୁ ଖୋଲାଯାଇଛି। ସେଥିରେ ଜଣେ ରହସ୍ୟମୟ ବ୍ୟକ୍ତିଙ୍କ ନାମ ରହିଛି ଯାହାକୁ ୫୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଦେବା ଲାଗି ଟାଟା ନିଜ ଇଚ୍ଛାପତ୍ରରେ ଲେଖିଛନ୍ତି। ସେ ହେଉଛନ୍ତି ଗମନାଗମନ ଶିଳ୍ପ ସହ ଜଡ଼ିତ ଉଦ୍ୟୋଗୀ ମୋହିନୀ ମୋହନ ଦତ୍ତ। ତାଙ୍କୁ ଏବେ ୭୪ ବର୍ଷ ବୟସ। ଜାମସେଦପୁରର ଏହି ଉଦ୍ୟୋଗୀଙ୍କ ନାମକୁ ଇଚ୍ଛାପତ୍ରରେ ଦେଖି ଟାଟା ପରିବାରର ଘନିଷ୍ଠ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଷ୍ଟାଲିଅନ୍ ନାମରେ ଏକ ଟ୍ରାଭେଲ୍ ଏଜେନ୍ସିକୁ ମୋହିନୀ ଓ ତାଙ୍କ ପରିବାର ସ୍ଥାପନ କରିଥିଲେ। ୨୦୧୩ରେ ତାହା ଜାମ୍ ଗ୍ରୁପ୍ ଅଫ୍‌ ହୋଟେଲ୍‌ସର ଅଂଶ ତାଜ୍ ସର୍ଭିସେସ୍‌ ସହ ମିଶିଯାଇଥିଲା।

Advertisment

ଷ୍ଟାଲିଅନ୍‌ରେ ମୋହିନୀ ଓ ତାଙ୍କ ପରିବାରର ୮୦ ପ୍ରତିଶତ ଅଂଶଧନ ଥିବା ବେଳେ ଅବଶିଷ୍ଟ ଟାଟା ଗ୍ରୁପ୍‌ ପାଖରେ ରହିଛି। ମୋହିନୀଙ୍କ ଘନିଷ୍ଠ ଲୋକମାନେ ରତନ ଟାଟାଙ୍କ ସହ ଦୀର୍ଘଦିନ ଧରି କାମ କରୁଥିବା ଜାଣିଛନ୍ତି।  ମୋହିନୀଙ୍କ ଦୁଇ ଝିଅ ୨୦୨୪ ପର୍ଯ୍ୟନ୍ତ୯ ବର୍ଷ ଧରି ଟାଟା ଟ୍ରଷ୍ଟ୍‌ସ‌ରେ କାମ କରୁଥିଲେ। ପୂର୍ବରୁ ସେ ନିଜେ ତାଜ୍ ହୋଟେଲ୍‌ସ ପାଇଁ କାମ କରୁଥିଲେ। ମୋହିନୀଙ୍କୁ ରତନ ଟାଟା ଦୀର୍ଘ ୬୦ ବର୍ଷ ଧରି ଜାଣିଥିଲେ। ତାଙ୍କ କମ୍ପାନି ଗଠନ କରିବାରେ ସେ ସହାୟକ ହୋଇଥିଲେ। ଷାଠିଏ ଦଶକରେ ଉଭୟଙ୍କ ଜାମସେଦପୁରର ଏକ କାର୍ଯ୍ୟକ୍ରମରେ ଦେଖା ହୋଇଥିଲା। ସେତେବେଳେ ରତନ ଟାଟାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ଦତ୍ତ ନିଜକୁ ଟାଟାଙ୍କ ପୋଷ୍ୟ ସନ୍ତାନ ଭାବୁଥିଲେ। ସାରା ଜୀବନ ଅବିବାହିତ ରହିଥିବା ଟାଟା କେବେବି କାହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନାହାନ୍ତି।