ଜୁଲାଇରେ ୩୮,୭୩୦ ନୂଆ ଗାଡ଼ି ବିକ୍ରି, ଜୁନ୍ ତୁଳନାରେ ୧୦.୫୨% କମ୍

ଭୁବନେଶ୍ବର: କରୋନା ମହାମାରୀ ଦ୍ବାରା ଗୁରୁତର ପ୍ରଭାବିତ ହୋଇଥିବା ରାଜ୍ୟର ଗାଡ଼ି ବଜାରରେ ଗତ ଜୁନ୍ ମାସରେ ବଡ଼ ଧରଣର ସୁଧାର ଦେଖିବାକୁ ମିଳିଥିଲା। ଜୁନ୍ ତୁଳନାରେ ଜୁଲାଇରେ କିନ୍ତୁ ଗାଡ଼ି ବିକ୍ରି ହ୍ରାସ ପାଇଛି। ଚଳିତ ବର୍ଷ ଜୁନ୍‌ରେ ରାଜ୍ୟରେ ୪୨ ହଜାରୁ ଅଧିକ ଗାଡ଼ି ବିକ୍ରି ହୋଇଥିଲା। କିନ୍ତୁ, ଜୁଲାଇରେ ତା’ଠାରୁ ୧୦.୫୨ ପ୍ରତିଶତ କମ୍ ଅର୍ଥାତ ୩୮,୭୩୦ଟି ନୂଆ ଗାଡ଼ି ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ଡିଲର୍‌ ସଂଘର ମହାସଂଘ (ଫାଡା) ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ଫାଡା ଅନୁଯାୟୀ, ଚଳିତ ବର୍ଷ ଜୁଲାଇରେ ଓଡ଼ିଶାରେ ୩୨,୪୦୫ଟି ଦୁଇ ଚକିଆ ଯାନ (ସ୍କୁଟର ଓ ବାଇକ୍), ୫୧୧ଟି ତିନି ଚକିଆ, ୮୫୪ଟି ବାଣିଜ୍ୟିକ ଯାନ, ୨୯୯୮ଟି କାର୍‌ ଓ ୧୬୯୨ଟି ଟ୍ରାକ୍ଟର ବିକ୍ରି ହୋଇଛି। ସବୁଠୁ ଖୁସିର ବିଷୟ ହେଉଛି ଗତବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ୧୫.୯୬ ପ୍ରତିଶତ ଅଧିକ ଟ୍ରାକ୍ଟର ବିକ୍ରି ହୋଇଛି। ଦେଶରେ ଏବେ ଚାଷ କାର୍ଯ୍ୟ ଜାରି ରହିଥିବା ଟ୍ରାକ୍ଟର ବିକ୍ରି ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି। ରାଜ୍ୟରେ ଗତବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ୪୦.୭୪ ପ୍ରତିଶତ କମ୍ ଦୁଇ ଚକିଆ ଯାନ ବିକ୍ରି ହୋଇଛି। ସେହିପରି ତିନି ଚକିଆ ଯାନ ବିକ୍ରି ୭୨.୬୩ ପ୍ରତିଶତ, ବାଣିଜ୍ୟିକ ଯାନ ବିକ୍ରି ୬୯.୩୧ ପ୍ରତିଶତ ଓ କାର୍ ବିକ୍ରି ୨୮.୨୪ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ଜୁନ୍ ତୁଳନାରେ ଜୁଲାଇରେ ସ୍କୁଟର, ବାଇକ୍ ଓ କାର୍‌ ବିକ୍ରି ବହୁତ ହ୍ରାସ ପାଇଛି। ଜୁନ୍ ତୁଳନାରେ ପ୍ରାୟ ୩ ହଜାର କମ୍ ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଛି। ସେହିପରି ୧୫୦ ଭଳି କମ୍ କାର୍‌ ବିକ୍ରି ହୋଇଛି। ତିନିଚକିଆ ଗାଡ଼ି ବିକ୍ରିରେ ସାମାନ୍ୟ ସୁଧାର ଘଟିଛି। ମାତ୍ର, ଜୁନ ତୁଳନାରେ ଜୁଲାଇରେ ୨୦୦ରୁ ଅଧିକ ବାଣିଜ୍ୟିକ ଯାନ ବିକ୍ରି ହୋଇଛି।

ସର୍ବଭାରତୀୟ ସ୍ତରରେ ଜୁଲାଇରେ ଗାଡ଼ି ବିକ୍ରି ୩୬.୨୭ ପ୍ରତିଶତ ହ୍ରାସ ପାଇଛି। ଦୁଇଚକିଆ ବିକ୍ରି ୩୭.୪୭ ପ୍ରତିଶତ, ତିନିଚକିଆ ୭୪.୩୩ ପ୍ରତିଶତ, ବାଣିଜ୍ୟିକ ଯାନ ୭୨.୧୮ ପ୍ରତିଶତ ଓ କାର୍ ବିକ୍ରି ୨୫.୧୯ ପ୍ରତିଶତ ହ୍ରାସ ପାଇଛି। ଗତ ଜୁଲାଇରେ ସାରା ଦେଶରେ ମୋଟ ୧୧ ଲକ୍ଷ ୪୨ ହଜାର ୬୩୩ଟି ଗାଡ଼ି ବିକ୍ରି ହୋଇଥିଲା। ଟ୍ରାକ୍ଟର ବିକ୍ରି କିନ୍ତୁ ଗତବର୍ଷ ତୁଳନାରେ ୩୭.୨୪ ପ୍ରତିଶତ ଅଧିକ ରହିଛି। ସାରା ଦେଶ‌ରେ ଜୁଲାଇରେ ୭୬,୧୯୭ଟି ଟ୍ରାକ୍ଟର ବିକ୍ରି ହୋଇଛି। ଚଳିତ ବର୍ଷ ଜୁଲାଇରେ ହିରୋ ସର୍ବାଧିକ ଦୁଇ ଚକିଆ ଯାନ ବିକ୍ରି କରିଥିବା ବେଳେ ହୋଣ୍ଡା ଦ୍ବିତୀୟ ଓ ଟିଭିଏସ୍‌ ତୃତୀୟ ସ୍ଥାନ‌ରେ ରହିଛି। ସେହିପରି ତିନିଚକିଆ ଯାନ ବିକ୍ରିରେ ବଜାଜ ଅଟୋ, ପିଆଜିଓ ଓ ଟିଭିଏସ୍‌ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସର୍ବାଧିକ ବାଣିଜ୍ୟିକ ଯାନ ବିକ୍ରି କରିଥିବା ବେଳେ ଟାଟା ମୋଟର୍ସ ଓ ଅଶୋକ ଲେଲ୍ୟାଣ୍ଡ୍‌ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କାର୍‌ ବିକ୍ରିରେ ମାରୁତି ସୁଜୁକି ପ୍ରଥମ, ହୁଣ୍ଡାଇ ଦ୍ବିତୀୟ ଓ ଟାଟା ମୋଟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସବୁଠୁ ଅଧିକ ଟ୍ରାକ୍ଟର ବିକ୍ରି କରିଛି।

ଚଳିତ ବର୍ଷ ଅଗଷ୍ଟରୁ ବିଭିନ୍ନ ପର୍ବପର୍ବାଣୀ ଆରମ୍ଭ ହେଉଥିବାରୁ ଗାଡ଼ି ବିକ୍ରିରେ ସୁଧାର ହେବ ବୋଲି ଫାଡା ଆଶା ପ୍ରକଟ କରିଛି। ଗାଡ଼ି ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ପରାମର୍ଶ ଦେଇ ଫାଡା କହିଛି ଯେ ଡିଲର୍‌ ପଏଣ୍ଟ୍‌ରେ ଯେଉଁ ହାରରେ ଗାଡ଼ି ବିକ୍ରି ହେଉଛି ସେହି ଅନୁସାରେ ଆଗାମୀ ମାସ ପାଇଁ ନୂଆ ଗାଡ଼ିର ବିଲିଂ ହେବା ଉଚିତ। ଅନ୍ୟଥା ଡିଲରସିପ୍‌ରେ ଅଯଥାରେ ଗାଡ଼ିଗୁଡ଼ିକ ବିକ୍ରି ନହୋଇ ପଡ଼ି ରହିବ ଯେଉଁଥିପାଇଁ ଡିଲର୍‌ମାନଙ୍କୁ ମୋଟା ଅଙ୍କର ସୁଧ ଗଣିବାକୁ ପଡ଼ିବ ଯା‌ହା ସେମାନଙ୍କ ବ୍ୟବସାୟକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିବ। ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ଗାଡ଼ି ବିକ୍ରି ‌ଯେଉଁ ସ୍ତରରେ ରହିଛି ତାହାକୁ ବିଚାରକୁ ନେଇ ଫାଡା ଆକଳନ କରିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ବିକ୍ରିରେ ୧୫-୩୫ ପ୍ରତିଶତର ହ୍ରାସ ଘଟିବ।

ସମ୍ବନ୍ଧିତ ଖବର