ରାଜ୍ୟରେ ବାୟୋ ସିଏନ୍‌ଜି ଉତ୍ପାଦନର ବ୍ୟାପକ ସୁଯୋଗ

ନାବାର୍ଡର ୩୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ବାୟୋ ସିଏନ୍‌ଜି ଉତ୍ପାଦନ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ଏହାକୁ ହାସଲ କରିବା ପାଇଁ ଉଦ୍ୟମ ହେବା ଦରକାର। ନାବାର୍ଡ ଏହାର ନେତୃତ୍ୱ ନେଉ ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନାବାର୍ଡର ୩୭ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ଓଡ଼ିଶାରେ ଥିବା ଏକ କୋଟି ପରିବାର ମଧ୍ୟରୁ ୫୦% କୃଷି ଉପରେ ନିର୍ଭରଶୀଳ। ସବୁ ଚାଷୀଙ୍କ ଘରେ ଗାଈ, ବଳଦ ଓ ମଇଁଷି ରହିଛି। ସେମାନଙ୍କ ଗୋବର ଓ ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ୍‌ ବାହାରିବ। ଭାରତୀୟ ତୈଳ ନିଗମ ଓ ଅନ୍ୟ କଂପାନିଗୁଡ଼ିକ ତାହାକୁ ବାୟୋ ସିଏନ୍‌ଜିରେ ପରିଣତ କରିବେ। ଦେଶରେ ବାୟୋ ସିଏନ୍‌ଜି ଉତ୍ପାଦନରେ ନେତୃତ୍ୱ ନେବାର କ୍ଷମତା ଓଡ଼ିଶାର ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ ଥିବା ସମସ୍ତ ଆର୍‌ଏମ୍‌ସିକୁ ଇ-ନାମ୍‌ ସହିତ ଯୋଡ଼ିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଚାଉଳଠାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀଗୁଡ଼ିକୁ ବନ୍ଦର ଜରିଆରେ ରପ୍ତାନି କରିବା କ୍ଷେତ୍ରରେ ନାବାର୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁ ବୋଲି ସେ କହିଛନ୍ତି।

ଏହି ଅବସରରେ ନାବାର୍ଡର ସିଜିଏମ୍‌ ଡକ୍ଟର କେ ସି ପାଣିଗ୍ରାହୀ କହିଛନ୍ତି ଯେ, ୨୦୧୭-୧୮ରେ ଓଡ଼ିଶାକୁ ନାବାର୍ଡ ୧୭,୧୯୫ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛି। ୨୦୧୮ ମାର୍ଚ ସୁଦ୍ଧା ଆର୍‌ଆଇଡିଏଫ୍‌ରେ ୧୪,୮୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୭୬୨୮ କୋଟି ଟଙ୍କା କୃଷି ଓ ଜଳସେଚନ ପାଇଁ, ୭୦୩୬ କୋଟି ଟଙ୍କା ସଡ଼କ ଓ ପୋଲ ନିର୍ମାଣ ପାଇଁ ଓ ୧୭୧ କୋଟି ଟଙ୍କା ସାମାଜିକ କ୍ଷେତ୍ର ପାଇଁ ପ୍ରଦାନ କରାଯାଇଛି। ରାଜ୍ୟରେ ୨୧ ଲକ୍ଷ କିସାନ କ୍ରେଡିଟ୍‌ କାର୍ଡକୁ ରୁପେ କିସାନ କ୍ରେଡିଟ୍‌ କାର୍ଡରେ ପରିଣତ କରିବାକୁ ନାବାର୍ଡ ଲକ୍ଷ୍ୟ ରଖିଛି। ସେଥି ମଧ୍ୟରୁ ୧୬ ଲକ୍ଷ କାର୍ଡ ବଣ୍ଟନ କରାଯାଇଥିବା ବେଳେ ବଳକା ୫ ଲକ୍ଷ କାର୍ଡ ପାଇଁ ବରାଦ ଦିଆଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ମହେଶ କୁମାର ମଲ୍ଲ, ଏସ୍‌ବିଆଇର ସିଜିଏମ୍‌ ପ୍ରବୀଣା କାଲା ଓ ରାଜ୍ୟ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପି ସି ମାଝି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର