ଓଡ଼ିଶାକୁ ନାବାର୍ଡର ୪୦% ଅଧିକ ପାଣ୍ଠି ଆବଣ୍ଟନ

ଭୁବନେଶ୍ବର: ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଓଡ଼ିଶାକୁ ୩୧,୭୮୬ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ଦିଆଯାଇଥିବା ପାଣ୍ଠି ତୁଳନାରେ ୪୦% ଅଧିକ। ଫସଲ ଋଣ ଓ ମିଆଦୀ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକୁ ନାବାର୍ଡ ୧୪,୦୭୭ କୋଟି ଟଙ୍କା ଦେଇଥିବା ବେଳେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍) ଅଧୀନରେ ୩,୦୩୧ କୋଟି ଟଙ୍କା ଦେଇଛି। ନାବାର୍ଡ ପକ୍ଷରୁ କୁହାଯାଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଗହମ ସଂଗ୍ରହ ପାଇଁ ରାଜ୍ୟକୁ ୧୪,୪୮୫ କୋଟି ଟଙ୍କା ଦିଆଯାଇଥିଲା। ଅର୍ଥନୈତିକ ସୁଧାରକୁ ତ୍ବରାନ୍ବିତ କରିବା ଓ ବ୍ୟାଙ୍କଗୁଡ଼ିକର ରହିଥିବା ନଗଦ ସମସ୍ୟା ଦୂର କରିବା ଲାଗି ସ୍ବତନ୍ତ୍ର ନଗଦ ବ୍ୟବସ୍ଥା ଭାବେ ୧୨୫୦ କୋଟି ଟଙ୍କା ଦିଆଯାଇଛି। ୨୦୨୧-୨୨ରେ ରାଜ୍ୟରେ ୨୪୩ ଗ୍ରାମୀଣ ସଡ଼କ, ୨୬୩ ପୋଲ, ୧ ମଧ୍ୟମ ଜଳସେଚନ ପ୍ରକଳ୍ପ, ୯୮୩୬ ଲଘୁ ଜଳସେଚନ ପ୍ରକଳ୍ପ, ୬ ବନ୍ୟା ସୁରକ୍ଷା ପ୍ରକଳ୍ପ ଏବଂ ୯ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ଲାଗି ଆର୍‌ଆଇଡିଏଫ୍ ସହାୟତା ଭାବେ ୪୦୧୩ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା ଯାହା ୨୦୨୦-୨୧ରେ ଦିଆଯାଇଥିବା ସହାୟତା ତୁଳନାରେ ୨୧% ଅଧିକ। ଆର୍‌ଆଇଡିଏଫ୍‌ ଅଧୀନରେ ନାବାର୍ଡ ଓଡ଼ିଶାକୁ ଦେଇଥିବା ସହାୟତା ସାରା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। ବିଭିନ୍ନ ପ୍ରସାର ଅଭିଯାନ ଲାଗି ନାବାର୍ଡ ୭୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛି।

ସମ୍ବନ୍ଧିତ ଖବର