ଓଡ଼ିଶାକୁ ନାବାର୍ଡର ୪,୦୧୩ କୋଟି ମଞ୍ଜୁର

ଭୁବନେଶ୍ବର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍) ଅଧୀନରେ ନାବାର୍ଡ ପକ୍ଷରୁ ଓଡ଼ିଶା ସରକାରଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷରେ ୪,୦୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାର ୬୫% ରାଶି ଅର୍ଥାତ ୨,୫୬୮ କୋଟି ଟଙ୍କା ଗ୍ରାମୀଣ ସଡ଼କ ଓ ପୋଲ ନିର୍ମାଣ ପାଇଁ ଦିଆଯାଇଥିଲା। ଏହା ଜରିଆରେ ୨୦୦୦ କିଲୋମିଟର ସଡ଼କ ଓ ୧୭.୧୩ କିଲୋମିଟର ପୋଲ ତିଆରି କରାଯାଉଛି। ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହେବା ପରେ ରାଜ୍ୟର ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ନାବାର୍ଡ ପକ୍ଷରୁ ପାନୀୟ ଜଳ କ୍ଷେତ୍ରକୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ନିର୍ମାଣ କରାଯାଉଥିବା ୯ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ପାଇଁ ନାବାର୍ଡ ୮୪୦ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ପ୍ରାୟ ୧୭ ଲକ୍ଷ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରିବ।

କୃଷି ଓ ଆନୁଷଂଗିକ କ୍ଷେତ୍ର ଲାଗି ନାବାର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ୬୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। କୁସୁମି ଜଳସେଚନ ପ୍ରକଳ୍ପ, ବ୍ରହ୍ମପୁରରେ ଏକ ପଶୁ ସମ୍ପଦ ଟିକା ଉତ୍ପାଦନ ପ୍ରକଳ୍ପ, ବିକେଭିୱାଇ ଓ ଜଳ ନିଧି ସ୍କିମ୍ ଏବଂ ବନ୍ୟା ସୁରକ୍ଷା ପ୍ରକଳ୍ପ ଅଧୀନରେ କ୍ଲଷ୍ଟର ଉଠାଜଳସେଚନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରାଯାଇଛି। ଗ୍ରାମୀଣ ବିକାଶ ଲାଗି ପାନୀୟ ଜଳ ଯୋଗାଣ, ଜଳସେଚନ ଏବଂ ସଡ଼କ ଓ ପୋଲ ନିର୍ମାଣ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଥିବାରୁ ସେହି ଅନୁସାରେ ନାବାର୍ଡ ପାଣ୍ଠି ମଞ୍ଜୁର କରିଥିବା ପ୍ରକାଶ କରିଛି। ୨୦୨୧-୨୨ର ମଞ୍ଜୁର ରାଶିକୁ ମିଶାଇ ଆର୍‌ଆଇଡିଏଫ୍ ଅଧୀନରେ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ନାବାର୍ଡ ପକ୍ଷରୁ ଓଡ଼ିଶା ସରକାରଙ୍କୁ ୩୨,୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର