ଓଡ଼ିଶା ପାଇଁ ନାବାର୍ଡର ୭୧ ହଜାର କୋଟି ଋଣ ଯୋଜନା

 

ଭୁବନେଶ୍ୱର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ୭୧,୪୧୯ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ସେଥିରେ କୃଷି କ୍ଷେତ୍ର ପାଇଁ ଆକଳନ କରାଯାଇଥିବା ଋଣ ପରିମାଣ ହେଉଛି ୩୮,୩୭୮ କୋଟି ଟଙ୍କା।
ଏହି ରିପୋର୍ଟ ଏକ ଆକଳନ ମାତ୍ର। ଏକ ଆର୍ଥିକ ବର୍ଷରେ ଅଗ୍ରାଧିକାର କ୍ଷେତ୍ର ପାଇଁ କେତେ ଟଙ୍କାର ଋଣ ଆବଣ୍ଟନ କରାଯିବା ଦରକାର ତାହା ନାବାର୍ଡ ପକ୍ଷରୁ ଏହି ରିପୋର୍ଟରେ ଜଣାଇ ଦିଆଯାଇଛି। ଓଡ଼ିଶାରେ ଥିବା ବ୍ୟାଙ୍କଗୁଡ଼ିକ ସେହି ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିବେ। ସେମାନେ ନାବାର୍ଡର ରିପୋର୍ଟକୁ ଦୃଷ୍ଟିରେ ରଖି ନିଜର ଅଗ୍ରାଧିକାର କ୍ଷେତ୍ର ଋଣ ଯୋଜନା ପ୍ରସ୍ତୁତ କରିବେ।

ବିଭିନ୍ନ କ୍ଷେତ୍ର ପାଇଁ ଆକଳନ

କ୍ଷେତ୍ର କୋଟି ଟଙ୍କା
ଫସଲ ଉତ୍ପାଦନ, ମାର୍କେଟିଂ ୨୫୭୬୪
କୃଷି ଭିତ୍ତିଭୂମି ୧୬୭୧
ଖାଦ୍ୟ ଓ ଏଗ୍ରି ପ୍ରୋସେସିଂ ୧୦୭୨
ଏମ୍‌ଏସ୍‌ଏମ୍‌ଇ ୧୭୯୧୯
ଶିକ୍ଷା ୧୨୩୨
ହାଉସିଂ ୪୮୧୦

ଆଜି ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ରାଜ୍ୟ ଋଣ ସେମିନାର୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଫୋକସ୍‌ ପେପର୍‌କୁ ଉନ୍ମୋଚନ କରିଛନ୍ତି। ଗତ ଆର୍ଥିକ ବର୍ଷରେ ନାବାର୍ଡ ପକ୍ଷରୁ ଓଡ଼ିଶାକୁ ୧୪୭୧୫ କୋଟି ଟଙ୍କା ସହାୟତା ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ତାହା ୧୬ ହଜାର କୋଟି ଟଙ୍କାରୁ ଅଧିକ ହେବାକୁ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ନାବାର୍ଡ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ୫୧ ଆଦିବାସୀ ବିକାଶ ପ୍ରକଳ୍ପ ଏବଂ ୧୦୮ ଜଳାଶୟ ବିକାଶ ପ୍ରକଳ୍ପ ବେଶ ଉପଯୋଗୀ ବୋଲି ସେ କହିଛନ୍ତି। ଏହି ଅବସରରେ ନାବାର୍ଡର ସିଜିଏମ୍‌ ଡକ୍ଟର କେ ସି ପାଣିଗ୍ରାହୀ, ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ ଉପସ୍ଥିତ ଥିଲେ।

 

 

ସମ୍ବନ୍ଧିତ ଖବର