ଭୁବନେଶ୍ବର: ରାଜ୍ୟରେ କୃଷକ କଲ୍ୟାଣ, ମହିଳା ସଶକ୍ତୀକରଣ, ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ, ଆଦିବାସୀ ବିକାଶ ଓ ଜଳ ବିଭାଜିକା ପ୍ରକଳ୍ପ ଲାଗି ସହାୟତା ଯୋଗାଇ ଦେଉଥିବା ନାବାର୍ଡ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଏହାର ଉଦ୍ୟମକୁ ଆହୁରି ବ୍ୟାପକ କରିବ। ଗରିବ ଲୋକମାନଙ୍କୁ ଜୀବନଜୀବିକା ଯୋଗାଇବା ଲାଗି ଏହା ସାରା ରାଜ୍ୟରେ ବଡ଼ ଧରଣର ବାଉଁଶ ପ୍ରକଳ୍ପ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏହା ଛେଳି ପାଳନ, ମତ୍ସ୍ୟଚାଷ ଓ ମହୁମାଛି ଚାଷ ଉପରେ ଗୁରୁତ୍ବା‌ରୋପ କରିବ। ହସ୍ତତନ୍ତ ଓ ହସ୍ତକଳା କ୍ଷେତ୍ରରେ ଅଫ୍ ଫାର୍ମ ଉତ୍ପାଦକ ସଂଗଠନ ଗଠନ କରିବ। ଗ୍ରାମାଞ୍ଚଳର ଯୁବକଯୁବତୀମାନେ ଯେଭଳି ନିଯୁକ୍ତି ପାଇବାକୁ ସକ୍ଷମ ହେବେ ସେଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ। ଗ୍ରାମୀଣ ଦୋକାନ ଖୋଲିବା ଲାଗି ପ୍ରାୟ ୩୦୦୦ ମହିଳା ଏସ୍‌ଏଚ୍‌ଜିଙ୍କୁ ନାବାର୍ଡ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା ରଖିଛି। ଆଜି ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମସ୍ତ ସୂଚନା ଦିଆଯାଇଛି।

Advertisment

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ଗ୍ରାମୀଣ କ୍ଷେତ୍ର ବିକାଶରେ ନାବାର୍ଡର ଭୂମିକାକୁ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଜି ଗଠନ କରି ମହିଳାଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ତେବେ ପଶୁ ପାଳନ, ମତ୍ସ୍ୟ ଚାଷ, ଉଦ୍ୟାନ କୃଷି ଏବଂ ଉଦୀୟମାନ ଶିଳ୍ପ କ୍ଷେତ୍ରଗୁଡ଼ିକ ଲାଗି ଅଧିକ ଉଦ୍ୟମର ଆବଶ୍ୟକତା ରହିଥିବା ସେ କହିଛନ୍ତି। ପ୍ରଦୂଷଣର ସ୍ତର ଓ ପ୍ରାକୃତିକ ସମ୍ବଳର ଅପବ୍ୟବହାରକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଚାଷ ଜମିରେ ଅତ୍ୟଧିକ ରାସାୟନିକ ସାର ଓ କିଟନାଶକର ବ୍ୟବହାରକୁ କମ୍ କରି ପରିବେଶ ମିତବ୍ୟୟୀ ଚାଷ ପଦ୍ଧତି ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଛନ୍ତି। ଗ୍ରାମୀଣ ଯୁବପିଢ଼ିଙ୍କ ପ୍ରଶିକ୍ଷଣ ପାଇଁ ଉଦ୍ୟମ ତ୍ବରାନ୍ବିତ କରିବାକୁ ସେ ନାବାର୍ଡକୁ ଆହ୍ବାନ ଦେଇଛନ୍ତି।

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌)ରେ ରେକର୍ଡ ପରିମାଣର ରାଶି ମଞ୍ଜୁର କରିଥିବାରୁ ଉନ୍ନୟନ କମିସନର ପି କେ ଜେନା ନାବାର୍ଡକୁ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରରେ ଋଣ ଯେଭଳି ପହଞ୍ଚିପାରିବ ସେ ଦିଗରେ କାର୍ଯ୍ୟ କରିବା ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ କେ ମୀନା ନାବାର୍ଡକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସ୍ବାଗତ ଭାଷଣ ପ୍ରଦାନ କରି ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର କହିଥିଲେ ଯେ ୨୦୨୦-୨୧ରେ ନାବାର୍ଡ ତରଫରୁ ରାଜ୍ୟ ସରକାରଙ୍କୁ ୨୨,୭୦୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଥିଲା।

ନାବାର୍ଡର ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ୩୦ଟି ଜିଲ୍ଲାର ୩୦ ପ୍ରଗତିଶୀଳ ଚାଷୀ, ଏସ୍‌ଏଚ୍‌ଜି, ଲଘୁ ଉଦ୍ୟୋଗୀ, ଏଫ୍‌ପିଓ ସଦସ୍ୟଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟପାଳଙ୍କ ତରଫରୁ ଜିଲ୍ଲାପାଳମାନେ ବିଭିନ୍ନ ଜିଲ୍ଲାରେ ଏହି ପୁରସ୍କାର ବଣ୍ଟନ କରିଛନ୍ତି। ଏହି ଅବସରରେ ରିଫ୍ଲେକ୍ସନ୍ ୨୦୨୦-୨୧ ଓ ୟୁନିଟ୍ କଷ୍ଟ୍‌ ବୁକ୍ ୨୦୨୦-୨୧ ନାମକ ଦୁଇଟି ପୁସ୍ତିକା ଓ ଚାଷୀ ଉତ୍ପାଦକ ସଂଗଠନର ଏକ ଗୀତକୁ ଉନ୍ମୋଚନ କରାଯାଇଛି।