ପୋଲ ନିର୍ମାଣ ପାଇଁ ନାବାର୍ଡ ଦେଲା ୩୦୩ କୋଟି: ୧୩ଟି ଜିଲ୍ଲାରେ ତିଆରି ହେବ

ଭୁବନେଶ୍ବର: ଓଡ଼ିଶାରେ ୨୪ଟି ପୋଲ ନିର୍ମାଣ କରିବା ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍) ଅଧୀନରେ ନାବାର୍ଡ ଏହି ପାଣ୍ଠି ଦେଇଛି। ରାଜ୍ୟର ୧୩ଟି ଜିଲ୍ଲ‌ାରେ ପୂର୍ତ୍ତ ଓ ଗ୍ରାମୀଣ ବିକାଶ ବିଭାଗ ଦ୍ବାରା ଏହି ପୋଲଗୁଡ଼ିକୁ ନିର୍ମାଣ କରାଯିବ। ଏହା ଦ୍ବାରା ୮୨୩ଟି ଗ୍ରାମର ୨୪.୧୩ ଲକ୍ଷ ଲୋକଙ୍କୁ ସଡ଼କ ପଥରେ ଗମନାଗମନ ସୁବିଧା ମିଳିବ।

ଭଦ୍ରକ, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ବର, ବଲାଙ୍ଗୀର, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପୋଲଗୁଡ଼ିକୁ ନିର୍ମାଣ କରାଯିବ। ପାନୀୟ ଜଳ ଯୋଗାଣ, ଜଳସେଚନ ଓ ଗ୍ରାମାଞ୍ଚଳରେ ସଡ଼କ ଓ ପୋଲ ନିର୍ମାଣ ଭଳି ଗ୍ରାମୀଣ ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ମଞ୍ଜୁର କରିବା ବେଳେ ନାବାର୍ଡ ସେହି କ୍ଷେତ୍ରଗୁଡ଼ିକୁ ଗୁରୁତ୍ବ ଦେଉଛି। ଚଳିତ ଆର୍ଥିକ ବର୍ଷରେ ଆର୍‌ଆଇଡିଏଫ୍‌ ଅଧୀନରେ ୧୭୯୬ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଏହି ପାଣ୍ଠିରେ ସ୍ଥାପନ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗ୍ରାମୀଣ ଅର୍ଥନୀତି ଆଗକୁ ବଢ଼ିବ ଏବଂ ଲୋକମାନଙ୍କ ଜୀବନଜୀବିକାରେ ଉନ୍ନତି ହେବ ବୋଲି ନାବାର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର