ପୋଲ ନିର୍ମାଣ ପାଇଁ ନାବାର୍ଡ ଦେଲା ୩୫୬ କୋଟି, ୧୭ଟି ଜିଲ୍ଲାରେ ୩୫ ପୋଲ ତିଆରି ହେବ

ଭୁବନେଶ୍ବର: ରାଜ୍ୟରେ ୩୫ଟି ପୋଲ ନିର୍ମାଣ କରିବା ଲାଗି ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୩୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ଅଧୀନରେ ଏହି ସହାୟତା ଦିଆଯାଇଛି। ଏହି ପୋଲଗୁଡ଼ିକୁ ୧୭ଟି ଜିଲ୍ଲାରେ ନିର୍ମାଣ କରାଯିବ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ୧୩୨୪ଟି ଗାଁର ୧୧ ଲକ୍ଷ ୬ ହଜାର ଲୋକ ଉପକୃତ ହେବେ। କେନ୍ଦୁଝରର ପାଟଣା ବ୍ଲକ୍; କୋରାପୁଟର ବୋରିଗୁମା ଓ ବୈପାରିଗୁଡ଼ା; ସମ୍ବଲପୁରର ରେଢ଼ାଖୋଲ, ସୁନ୍ଦରଗଡ଼ର କୁଟ୍ରା; କଳାହାଣ୍ଡିର ଟି ରାମପୁର, କୋକସରା ଓ କେସିଙ୍ଗା; ବଲାଙ୍ଗୀରର ଟିଟଲାଗଡ଼; ଯାଜପୁରର ଜୟପୁର, ଦଶରଥପୁର, ଚାନ୍ଦପୁର, ଯାଜପୁର ଓ କୋରେଇ ବ୍ଲକ୍‌ରେ ପୋଲ ନିର୍ମାଣ କରାଯିବ। ସେହିପରି, ଅନୁଗୁଳର ପାଲଲହଡ଼ା ଓ କଣିଁହା; ନୟାଗଡ଼ର ଭାପୁର ଓ ଖଣ୍ଡପଡ଼ା; ଭଦ୍ରକର ଭଦ୍ରକ ଓ ଚାନ୍ଦବାଲି; ଝାରସୁଗୁଡ଼ାର ଲଖନପୁର; ବାଲେଶ୍ବରର ବାଲିଆପାଳ, ରେମୁଣା; କଟକର ସାଲେପୁର ଓ ଚୌଦ୍ବାର; ଦେବଗଡ଼ର ବାରକୋଟ; ଜଗତସିଂହପୁରର କୁଜଙ୍ଗ ଓ ଏରସମା; କନ୍ଧମାଳର କସିନିପଦର; ମାଲକାନଗିରିର କାଲିମେଳା, କେରାରୁକୋଣ୍ଡ, ମାଲକାନାଗିରି ଓ ମାଥିଲିରେ ମଧ୍ୟ ପୋଲ ତିଆରି କରାଯିବ।

ନାବାର୍ଡ ପକ୍ଷରୁ ଆର୍‌ଆଇଡିଏଫ୍‌ ଅଧୀନରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ପାଣ୍ଠି ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ପାନୀୟ ଜଳ, ଜଳସେଚନ, ସଡ଼କ ଓ ପୋଲ ନିମାଣ ପାଇଁ ପାଣ୍ଠି ଯୋଗାଇ ଦେବାକୁ ନାବାର୍ଡ ଯୋଜନା ରଖିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ନାବାର୍ଡ ତରଫରୁ ୧୦୪୭ କୋଟି ଟଙ୍କା ମଞ୍ଜୁର କରାଯାଇସାରିଲାଣି। ନାବାର୍ଡ ପାଣ୍ଠିରେ ତିଆରି ହେଉଥିବା ପ୍ରକଳ୍ପଗୁଡ଼ିକ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣୁଥିବା ବେଳେ ଏହା ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରୁଛି।

ସମ୍ବନ୍ଧିତ ଖବର