ଭୁବନେଶ୍ବର: ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଆୟ କମ୍। ସେଥିପାଇଁ ବିଭିନ୍ନ କାର୍ଯ୍ୟ ସଂପାଦନ ପାଇଁ ସେମାନେ ଋଣ ଉପରେ ନିର୍ଭର କରିଥାନ୍ତି। ଗ୍ରାମାଞ୍ଚଳର ଚାଷୀମାନେ ଋଣ ପରିଶୋଧ କରି ନପାରି କିମ୍ବା ଋଣବୋଝ ସହ୍ୟ କରି ନପାରି ଆତ୍ମହତ୍ୟା କରୁଥିବା ଖବର ନିୟମିତ ବ୍ୟବଧାନରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସୁଛି। ଏଭଳି ସ୍ଥିତିରେ ନାବାର୍ଡ (ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ) ପକ୍ଷରୁ ପ୍ରକାଶିତ ସର୍ବ ଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୨୧-୨୨ରେ ଦେଶର ଗ୍ରାମାଞ୍ଚଳରେ କୃଷକ ଏବଂ ଅଣକୃଷକ ପରିବାରରେ ଋଣ ବୋଝ ଚିନ୍ତାଜନକ ସ୍ଥିତିରେ ରହିଥିବା ଜଣାଯାଇଛି। ଓଡ଼ିଶା ବି ଏଥିରୁ ବାଦ୍ ପଡ଼ିନାହିଁ। ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ୫୨ ପ୍ରତିଶତ ପରିବାର ଲୋକଙ୍କ ମୁଣ୍ଡରେ ଋଣବୋଝ ରହିଛି। କିନ୍ତୁ ଓଡ଼ିଶାର ଗ୍ରାମାଞ୍ଚଳରେ ୬୧ ପ୍ରତିଶତ ପରିବାର ଋଣବୋଝରେ ବୁଡ଼ି ରହିଛନ୍ତି। ଅର୍ଥାତ ଜାତୀୟ ସ୍ତର ତୁଳନାରେ ଓଡ଼ିଶାର ୯ ପ୍ରତିଶତ ଅଧିକ ପରିବାର ଋଣଚାପରେ ଅଛନ୍ତି।
ସର୍ଭେ ରିପୋର୍ଟରୁ ଏହା ଜଣାଯାଇଛି ଯେ ତେଲେଙ୍ଗାନାର ଗ୍ରାମାଞ୍ଚଳରେ ବାସ କରୁଥିବା ସର୍ବାଧିକ ୯୨ ପ୍ରତିଶତ ପରିବାର ଋଣବୋଝରେ ରହିଛନ୍ତି। ଏହା ପଛକୁ ଆନ୍ଧ୍ରପ୍ରଦେଶରେ ୮୬ ପ୍ରତିଶତ ଗ୍ରାମୀଣ ପରିବାର, କର୍ଣ୍ଣାଟକରେ ୭୯ ପ୍ରତିଶତ, ତାମିଲନାଡ଼ୁରେ ୭୮ ପ୍ରତିଶତ ଗ୍ରାମୀଣ ପରିବାର ଉପରେ ଋଣବୋଝ ରହିଛି। ଏହି ୪ଟି ରାଜ୍ୟ ପଛକୁ ପଞ୍ଚମ ସ୍ଥାନରେ ଓଡ଼ିଶା ଏବଂ କେରଳ ଯୁ୍ଗ୍ମଭାବେ ରହିଛନ୍ତି। ଉଭୟ ରାଜ୍ୟର ୬୧ ପ୍ରତିଶତ ଗ୍ରାମୀଣ ପରିବାରଙ୍କ ମୁଣ୍ଡରେ ଋଣବୋଝ ରହିଥିବା ରିପୋର୍ଟରୁ ଜଣାଯାଇଛି। ଅର୍ଥାତ୍ ଓଡ଼ିଶାର ଗ୍ରାମାଞ୍ଚଳରେ ତିନି ପଞ୍ଚମାଂଶରୁ ଅଧିକ ପରିବାର ମୁଣ୍ଡରେ ଋଣ ରହିଛି। ଅନ୍ୟପକ୍ଷରେ ମିଜୋରାମ୍ର ଗ୍ରାମାଞ୍ଚଳ ପରିବାର ସବୁଠୁ କମ୍ ଋଣୀ। ସେଠାରେ ମାତ୍ର ୧୩ ପ୍ରତିଶତ ପରିବାର ମୁଣ୍ଡରେ ଋଣବୋଝ ରହିଥିବାବେଳେ ସିକିମରେ ୧୪ ପ୍ରତିଶତ ଗ୍ରାମୀଣ ପରିବାର ଉପରେ ଋଣବୋଝ ରହିଛି।
ପରିବାର ପିଛା ଋଣ ୩୩,୭୧୨ ଟଙ୍କା
ଦେଶରେ ପଞ୍ଚମ ସ୍ଥାନରେ ଓଡ଼ିଶା
ନାବାର୍ଡ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ ଦେଶରେ ଗ୍ରାମାଞ୍ଚଳରେ ପରିବାର ପିଛା ହାରାହାରି ୯୦,୩୭୨ ଟଙ୍କା ଋଣବୋଝ ଅଛି। କିନ୍ତୁ ଓଡ଼ିଶାରେ ଋଣବୋଝ ପରିବାର ପିଛା ୩୩,୭୧୨ ଟଙ୍କା ରହିଛି। କେରଳରେ ପରିବାର ପିଛା ସର୍ବାଧିକ ୧ ଲକ୍ଷ ୯୮ ହଜାର ୯୫୧ ଟଙ୍କା ଋଣବୋଝ ରହିଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଏହା ସର୍ବନିମ୍ନ ୨୧ ହଜାର ୬୦ ଟଙ୍କା ରହିଛି। ଜାତୀୟ ହାର ତୁଳନାରେ ଅଧିକ ଋଣବୋଝ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସମେତ ନାଗାଲାଣ୍ଡ,ମିଜୋରାମ, ଗୋଆ, ପଞ୍ଜାବ, ଲଦାଖ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ଜମ୍ମୁ କଶ୍ମୀର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଣିପୁରରେ ଗ୍ରାମାଞ୍ଚଳରେ ପରିବାରଗୁଡ଼ିକର ହାରାହାରି ଋଣ ବୋଝ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଗ୍ରାମାଞ୍ଚଳର ପରିବାର ପିଛା ହାରାହାରି ଋଣବୋଝ ନାଗାଲାଣ୍ଡର ୧,୯୭,୨୨୯ ଟଙ୍କା, ମିଜୋରାମର ୧ ଲକ୍ଷ ୮୧ ହଜାର ୫୩୧ ଟଙ୍କା, ଗୋଆର ୧,୭୯,୯୭୩ ଟଙ୍କା, ପଞ୍ଜାବର ୧,୫୯,୨୩୭ ଟଙ୍କା, ଲଦାଖର ୧,୪୫,୨୦୧ ଟଙ୍କା, ଅରୁଣାଚଳପ୍ରଦେଶର ୧,୪୨,୩୫୮ ଟଙ୍କା, ଗୁଜରାଟର ୧,୪୧,୩୫୧ ଟଙ୍କା, ଜମ୍ମୁ କଶ୍ମୀରର ୧,୩୯,୩୫୮ ଟଙ୍କା, ତେଲେଙ୍ଗାନାର ୧,୨୯,୫୯୯ ଟଙ୍କା, କର୍ଣ୍ଣାଟକର ୧,୧୪,୧୯୬ ଟଙ୍କା ଏବଂ ମଣିପୁରର ୧,୦୫,୬୬୭ ଟଙ୍କା ରହିଥିବା ସର୍ଭେ ରିପୋର୍ଟରୁ ଜଣାଯାଇଛି।
ଦେଶର ଗ୍ରାମାଞ୍ଚଳରେ ୫୨ ପ୍ରତିଶତ ପରିବାର ଉପରେ ଋଣବୋଝ ରହିଥିବାବେଳେ ୫୫ ପ୍ରତିଶତ କୃଷକ ପରିବାର ଉପରେ ଋଣବୋଝ ରହିଛି। ଅନ୍ୟପକ୍ଷରେ ଅଣକୃଷି କାର୍ଯ୍ୟରେ ନିୟୋଜିତ ୪୮ ପ୍ରତିଶତ ପରିବାର ମୁଣ୍ଡ ଉପରେ ଋଣବୋଝ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ଅନ୍ୟ ଯେଉଁ ବିଷୟ ସାମ୍ନାକୁ ଆସିଛି ତାହା ହେଲା କୃଷକ ପରିବାରର ଆର୍ଥିକ ଆବଶ୍ୟକତା ଅଣକୃଷି କାର୍ଯ୍ୟରେ ନିୟୋଜିତ ପରିବାର ତୁଳନାରେ ଅଧିକ ରହୁଛି।