ଭୁବନେଶ୍ବର : ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଭୁବନେଶ୍ବରଠାରେ ଆୟୋଜିତ ୪୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅବସରରେ ଇକ୍ବିଟି ସେୟାର ପିଛା ୧ ଟଙ୍କା ହିସାବରେ ୨୦%ର ଚୂଡ଼ାନ୍ତ ଲାଭାଂଶ ଘୋଷଣା କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ୍ ଲାଭାଂଶ ପ୍ରଦାନ ୬୬୪.୨୭ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୨୭୯.୮୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ୨୦୨୩-୨୪ ସୁଦ୍ଧା ଏକ ମିଲିୟନ୍ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରୀର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣର କାର୍ଯ୍ୟ ଶେଷ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି ଅବସରରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତକରି ନାଲ୍କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ, ‘ନାଲ୍କୋ ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଦୀର୍ଘବର୍ଷ ଧରି ଦେଶର ସେବା କରି ଆସୁଅଛି ଏବଂ ଖଣିଜ ନିରାପତ୍ତା କ୍ଷେତ୍ରରେ ଭାରତକୁ ସଶକ୍ତ କରୁଅଛି । କଂପାନୀ କେବଳ ଆଲୁମିନିୟମ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତାକୁ ପୂରଣ କରିନାହିଁ ବରଂ ବିଶ୍ବସ୍ତରୀୟ ମାନକ ଅନୁସାରେ ଭବିଷ୍ୟତର ଏହି ଧାତବ ପଦାର୍ଥର ଉତ୍ପାଦରେ ଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଅଛି ।
କୋଭିଡ୍-୧୯ ମହାମାରୀ ଏବଂ ଆହ୍ବାନପୂର୍ଣ୍ଣ ବ୍ୟବସାୟ ପରିବେଶ ସତ୍ତ୍ବେ ୨୦୨୦-୨୧ ବର୍ଷ ନାଲ୍କୋ ପାଇଁ ସଫଳତା ଆଣି ଦେଇଅଛି । ‘ଅସ୍ଥିର ପରିବେଶ ସହିତ ଏଲ୍ଏମ୍ଇ ମୂଲ୍ୟରେ ଅସ୍ଥିରତା ଏବଂ ଧାତବ ପଦାର୍ଥ ପାଇଁ ମାନ୍ଦା ଚାହିଦା ସତ୍ତ୍ବେ ଆମେ ପାଞ୍ଚଟି ମୁଖ୍ୟ ଆଧାର ଯଥା ଉତ୍ପାଦନ, ଉତ୍ପାଦକତା, ମାନବ ସଂବଳ, ପ୍ରକଳ୍ପ ଏବଂ ଲାଭ ଉପରେ ଗୁରୁତ୍ବାରୋପ କରି ପ୍ରଗତି ହାସଲ କରାଯାଇ ପାରିଛି । ପ୍ରଥମ ତୈୟମାସିକରେ ଏଲ୍ଏମ୍ଇ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିଲେ ମଧ୍ୟ ନାଲକୋର ରଣନୀତିପୂର୍ଣ୍ଣ ପଦକ୍ଷେପସହିତ ପ୍ରଭାବଶାଳୀ କ୍ରୟରଣନୀତି ଯୋଗୁଁ କଂପାନୀର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି ।
କମ୍ପାନୀର ଭବିଷ୍ୟତ ଯୋଜନା ବିଷୟରେ ଶ୍ରୀ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ସମ୍ପ୍ରସାରଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ଚଳିତ ସମ୍ପ୍ରସାରଣ କାର୍ଯ୍ୟ ସୂଚାରୁରୂପେ ଅଗ୍ରଗତି କରୁଅଛି ଏବଂ ଆମେ ୨୦୨୩-୨୪ ସୁଦ୍ଧା ଏକ ମିଲିୟନ୍ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରୀର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣର କାର୍ଯ୍ୟ ଶେଷ କରିବୁ ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/40th-AGM_CMD-1.jpg)