ନାଲକୋର ନେଟ୍ ଲାଭ ୧୭୩୨ କୋଟି ଟଙ୍କା, ୧୦୭୨ କୋଟିର ଡିଭିଡେଣ୍ଡ ଘୋଷଣା

ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନି ନାଲକୋ ୨୦୧୮-୧୯ ବର୍ଷରେ ୧୦୭୨.୭୩ କୋଟି ଟଙ୍କାର ରେକର୍ଡ୍ ଡିଭିଡେଣ୍ଡ୍ ପ୍ରଦାନ କରିବାକୁ ଘୋଷଣା କରିଛି । ୨୦୧୭-୧୮ର ୧୧୪ ପ୍ରତିଶତ ତୁଳନାରେ ଏହା ୨୦୧୮-୧୯ରେ ୧୧୫ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୫ ଟଙ୍କା ମୂଲ୍ୟର ଇକ୍ୱିଟୀ ଶେୟାର୍ ପିଛା ୫.୭୫ ଟଙ୍କା ଅଟେ । ୧୯୮୧ରେ କମ୍ପାନୀ କାର୍ଯ୍ୟକ୍ଷମ ହେବା ପର ଠାରୁ ଏହା ଏଯାବତ୍ ସର୍ବାଧିକ ଡିଭିଡେଣ୍ଡ୍ ଅଟେ । ଡିଭିଡେଣ୍ଡ୍ ଡିଷ୍ଟ୍ରିବୁ୍ୟସନ୍ ଟ୍ୟାକ୍ସ ସମେତ ସମୂଦାୟ ପେଆଉଟ୍ ଗତ ଆର୍ଥିକ ବର୍ଷର ୧୧୦୧.୭୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ୧୦୭୨.୭୩  କୋଟି ଟଙ୍କା ହେଉଛି । ୧୮ ସେପ୍ଟେମ୍ବର ୨୦୧୯ରେ ଅନୁଷ୍ଠିତ କମ୍ପାନୀର ୩୮ତମ ବାର୍ଷିକ ସାଧାରଣ ବୈଠକ ଅବସରରେ, କମ୍ପାନୀର ଅଂଶଧନଧାରୀମାନେ ଏହି ଡିଭିଡେଣ୍ଡ୍ ପେଆଉଟ୍ ପ୍ରସ୍ତାବକୁ ଗୃହୀତ କରିଛନ୍ତି ।

ନାଲକୋ କମ୍ପାନୀ ପ୍ରତିଷ୍ଠା ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଟିକସ, ରୟାଲଟି ଏବଂ ଡଭିଡେଣ୍ଡ୍ ଆକାରରେ ସମୂଦାୟ ୩୨,୮୮୬ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିଛି । ଏଥି ମଧ୍ୟରୁ ୨୫,୯୧୭  କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ ୬,୯୬୯  କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

୩୮ତମ ବାର୍ଷିକ ସାଧାରଣ ବୈଠକ ପରେ ଏ ସଂକ୍ରାନ୍ତରେ ମତାମତ ଦେଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କମ୍ପାନୀର ସଫଳତା ପାଇଁ ଐକବଦ୍ଧ ଭାବେ କାର୍ଯ୍ୟ, ମିତବ୍ୟୟିତା ଉପରେ ଲକ୍ଷ୍ୟ ଏବଂ ବିଧିବଦ୍ଧ ଯୋଜନାକୁ ଶ୍ରେୟ ଦେଇଥିଲେ । ୨୦୧୮-୧୯ ଆର୍ଥିକ ବର୍ଷକୁ ନାଲକୋ ପାଇଁ ଏକ ଅତ୍ୟନ୍ତ ସଫଳ ବର୍ଷ ଭାବେ ଉଲ୍ଲେଖ କରି ଡଃ ଚାନ୍ଦ କହିଲେ ଯେ ଉତ୍ପାଦନ, ଉତ୍ପାଦକତା, ଆର୍ଥିକ ଲାଭ ଏବଂ ମାନବସମ୍ବଳ ନିୟୋଜନ ଆଦି ପ୍ରତିଟି କ୍ଷେତ୍ରରେ କମ୍ପାନୀ ସଫଳତା ହାସଲ କରିଛି । ଏଥି ସହ ସାମାଜିକ ଦାୟିତ୍ୱବୋଧ ଏବଂ ସମ୍ବେଦନଶୀଳ କାର୍ଯ୍ୟପଦ୍ଧତି ଦିଗରେ ମଧ୍ୟ ନାଲ୍କୋ ମାନ୍ୟତା ଲାଭ କରିଛି ।

ସମ୍ବନ୍ଧିତ ଖବର