ଉଦ୍‌ଘାଟିତ ହେବ ୩ଟି ପ୍ରକଳ୍ପ, ନାଲ୍‌କୋର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତାକାଲି (ଗୁରୁବାର) ଓ ଶୁକ୍ରବାର ଦୁଇ ଦିନ ଧରି ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋ ଏହାର ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ କଂପାନି ପକ୍ଷରୁ ତିନିଟି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ତାହା ହେଉଛି ପଞ୍ଚପଟ୍ଟମାଳିରେ ଥିବା ସାଉଥ ବ୍ଲକ୍‌ ଖଣି, ଦାମନଯୋଡ଼ିର ଆଲୁମିନା ବିଶୋଧନାଗାରଠାରେ ଥିବା ୧୮.୫ ମେଗାଓ୍ଵାଟ୍‌ର ଟର୍ବୋ ଜେନେରେଟର ଏବଂ ଅନୁଗୁଳର ସ୍ମେଲଟରରେ ଥିବା ନାନୋ ପ୍ରଯୁକ୍ତି ଭିତ୍ତିକ ଡିଫ୍ଲୋରାଇଡେସନ୍‌ କାରଖାନା। ଏହି ପ୍ରକଳ୍ପଗୁଡ଼ିକରେ କଂପାନି ମୋଟ ୬୬୦ କୋଟି ଟଙ୍କା ଖର୍ଚ କରିଛି। ଶୁକ୍ରବାର ଦିନ ଏହି ତିନି ପ୍ରକଳ୍ପ ଉଦ୍‌ଘାଟିତ ହେବ। ପଞ୍ଚପଟ୍ଟମାଳି ସାଉଥ ବ୍ଲକ୍‌ ଖଣିରେ କଂପାନି ୬୦୦ କୋଟି ଟଙ୍କା ବିନିଯୋଗ କରିଛି। ଏହି ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୩.୧୫ ନିୁତ ଟନ୍‌। ସେହିପରି ୪୩ କୋଟି ଟଙ୍କା ବ୍ୟୟରେ ୧୮.୫ ଗେମାଓ୍ଵାଟ୍‌ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଛି। ନାନୋ ପ୍ରଯୁକ୍ତି ଭିତ୍ତିକ ଡିଫ୍ଲୋରାଇଡେସନ ପ୍ଲାଣ୍ଟ୍‌ରେ କଂପାନି ୧୬.୬୯ କୋଟି ଟଙ୍କା ବିନିଯୋଗ କରିଛି।

ନାଲ୍‌କୋର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେବେ। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ ପ୍ରତିଷ୍ଠା କରିବା ପାଇଁ ଏହି ଅବସରରେ ନାଲ୍‌କୋ ଏବଂ ଏନ୍‌ଏସ୍‌ଡିସି ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହେବ। ଏହି ଇନଷ୍ଟିଚ୍ୟୁଟ୍‌ ଯୁବକଯୁବତୀମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା ଦିଗରେ କାମ କରିବ। ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ନାଲ୍‌କୋ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ରାଜ୍ୟର କିମ୍ବଦନ୍ତୀ ଗାୟକ ପ୍ରଫୁଲ୍ଲ କରଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର ପ୍ରଦାନ କରାଯିବ। ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯିବ। ଏହା ବ୍ୟତୀତ କ୍ରୀଡ଼ାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ମଧ୍ୟ ନାଲ୍‌କୋ ସମ୍ମାନିତ କରିବ। ଏହା ବ୍ୟତୀତ ଅନୁରାଧା ପୌଡଓ୍ଵାଲ୍‌, ସାରିକା ସିଂହ ଏବଂ ମହାପ୍ରସାଦ କରଙ୍କୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ନାଲ୍‌କୋ ପକ୍ଷରୁ ଏହାର କ୍ଷମତାରେ ବୃଦ୍ଧି ଆଣିବା ପାଇଁ ୨୫ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା ରଖାଯାଇଛି।

ପ୍ରଫୁଲ୍ଲ କରଙ୍କୁ ଦିଆଯିବ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର
ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କୁ ସମ୍ମାନିତ କରାଯିବ
ଏନ୍‌ଏସ୍‌ଡିସି ସହିତ ସ୍ୱାକ୍ଷରିତ ହେବ ଏମ୍‌ଓୟୁ

ନିଟ୍‌ ଲାଭରେ ୯୪% ବୃଦ୍ଧି
ଭୁବନେଶ୍ୱର: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନିଟ୍‌ ଲାଭ ୨୦୧୭-୧୮ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୯୪% ବୃଦ୍ଧି ପାଇଛି ଏବଂ ନିଟ୍‌ ବିକ୍ରି ଆୟ ୩୦% ବୃଧି ପାଇ ୪୧୭୯ କୋଟି ଟଙ୍କା ହୋଇଛି। ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ୨୦୧୭ରେ କଂପାନି ବକ୍ସାଇଟ୍‌ ଖଣିର କ୍ଷମତାକୁ ୧୦୦% ବ୍ୟବହାର କରିଛି। ଆଲୁମିନା ବିଶୋଧନାଗାରରେ ମଧ୍ୟ ସମାନ ସଫଳତା ମିଳିଛି। ସମଗ୍ର ବିଶ୍ୱରେ ସବୁଠୁ କମ୍‌ ଦରରେ ଆଲୁମିନା ଉତ୍ପାଦନ କରୁଥିବା କଂପାନିର ମାନ୍ୟତା ମଧ୍ୟ ନାଲ୍‌କୋକୁ ମିଳିଛି। ଉଡ୍‌ ମାକିନ୍‌ଜେ ସଂସ୍ଥା ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। କଂପାନି ପକ୍ଷରୁ ୧୩୧ କୋଟି ଟଙ୍କା ବିନିଯୋଗରେ ଏକ ଓୟାର ରଡ୍‌ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ କଂପାନି ଯୋଜନା ରଖିଛି। କଂପାନି ଏଭଳି ଉତ୍ପାଦ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଯାହାକୁ ବୁଲେଟ୍‌ ଟ୍ରେନ୍‌, ମହାକାଶ ଯାନ ଏବଂ ଇଲେକ୍ଟ୍ରିକ୍‌ ଯାନଗୁଡ଼ିକରେ ବ୍ୟବହାର କରାଯାଇପାରିବ। ନିକଟରେ କଂପାନି ପକ୍ଷରୁ ଫ୍ୟାନ୍‌ ବ୍ଲେଡ୍‌ ପ୍ରସ୍ତୁତ କରିବା ପାଇଁ ଉତ୍ପାଦ ଉନ୍ମୋଚନ କରାଯାଇଥିଲା।କଂପାନିକୁ ଆବଣ୍ଟନ କରାଯାଇଥିବା ଉତ୍କଳ ଡି ଓ ଇ ବ୍ଲକ୍‌ ମଧ୍ୟରୁ ଉତ୍କଳ ଡି ବ୍ଲକ୍‌ରୁ ଚଳିତ ବର୍ଷ ଉତ୍ପାଦନ ଆରମ୍ଭ କରିବାକୁ ନାଲ୍‌କୋ ଲକ୍ଷ୍ୟ ରଖିଛି। ଏହି ଅବସରରେ କଂପାନିର ଅନ୍ୟ ନିର୍ଦେଶକମାନେ ଉପସ୍ଥିତ ଥିଲେ। ଏହି ଦୁଇ ଖଣିରେ କଂପାନି ୫୩୪ କୋଟି ଟଙ୍କା ବିନିଯୋଗ କରିବ। କଂପାନି ୧୦୦ କୋଟି ଟଙ୍କା ବିନିଯୋଗ କରି ଅନୁଗୁଳର ଆଲୁମିନିୟମ ପାର୍କକୁ ବିକଶିତ କରିବ।

ସମ୍ବନ୍ଧିତ ଖବର