ଭୁବନେଶ୍ବର: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ନବରତ୍ନ ଆଲୁମିନିୟମ କଂପାନି ନାଲ୍କୋକୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଚୟନ କରାଯାଇଛି। ନାଲ୍କୋ ଅଲିଅଳି ଝିଅ ଭଳି ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିଥିବାରୁ କମ୍ପାନି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁୁ ନାଲ୍କୋକୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି।
ଏଭଳି ସାମାଜିକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିବାରୁ ଅନେକ ସାମାଜିକ ଅନୁଷ୍ଠାନ ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦଙ୍କୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଡକ୍ଟର ଚାନ୍ଦ କହିଛନ୍ତି ଯେ, ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେଇ ସେମାନଙ୍କୁ ସଶକ୍ତ କରିବାକୁ ଆରମ୍ଭ କରାଯାଇଥିବା ଆମର ଏହି ପଦକ୍ଷେପ ଜାତୀୟ ସ୍ତରରେ ମହିଳା ସଶକ୍ତୀକରଣ ଦିଗରେ ଏକ ଉଦାହରଣ ସାଜିଛି। ବର୍ତ୍ତମାନ ସୁଦ୍ଧା ନାଲ୍କୋ ପକ୍ଷରୁ ଅନୁଗୁଳ ଓ ଦାମନଯୋଡ଼ିର ୬୬ ଗ୍ରାମର ୪୧୬ ଛାତ୍ରୀଙ୍କୁ ୪୫ଟି ସ୍କୁଲ୍ରେ ନାଲ୍କୋ ଅଲିଅଳି ଝିଅ ଭାବେ ଗ୍ରହଣ କରି ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବେଟି ବଚାଓ, ବେଟି ପଢ଼ାଓ ଅଧୀନରେ କଂପାନି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ୨୦୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନା ପାଇଁ ନାଲ୍କୋ ପ୍ରକଳ୍ପ ପାଶ୍ବବର୍ତୀ ଦାମନେଯାଡ଼ି, ଅନୁଗୁଳ ଓ ପଟାଙ୍ଗୀ ଅଞ୍ଚଳରେ ଦାରିଦ୍ର୍ୟ ସୀମା ରେଖା ତଳେ ବାସ କରୁଥିବା ଗରିବ ପରିବାରର ମେଧାବୀ ଛାତ୍ରୀମାନଙ୍କୁ ଚୟନ କରାଯାଇଛି। ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ନାଲ୍କୋ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସାରା ଭାରତରେ ପ୍ରସାରିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାକୁ ଅଧିକ ସମୃଦ୍ଧ କରିବା ନିମନ୍ତେ କଂପାନି ପକ୍ଷରୁ ନିକଟରେ କର୍ମଚାରୀ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ କର୍ମଚାରୀମାନେ କଂପାନିର ସାମାଜିକ ପଦକ୍ଷେପରେ ସାମିଲ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-14-21.jpg)