ନାଲକୋର ୩ଟି ପ୍ରକଳ୍ପ ଲୋକାର୍ପିତ

ପଞ୍ଚପଟ୍ଟମାଳି ସାଉଥ୍‌ ବ୍ଲକ୍‌ରୁ ବକ୍ସାଇଟ୍‌ ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର : ନାଲକୋ ପକ୍ଷରୁ ତିନୋଟି ନୂଆ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହି ତିନୋଟି ପ୍ରକଳ୍ପ ହେଲା ସାଉଥ ବ୍ଲକ ବକ୍ସାଇଟ ଖଣି, ପଞ୍ଚପଟ୍ଟମାଳି ଓଡ଼ିଶା, ଦାମନଯୋଡ଼ି ସ୍ଥିତ ନାଲକୋ ରିଫାଇନାରୀରେ ୧୮.୫ ମେଗାଓ୍ଵାଟ୍‌ ଟର୍ବୋ ଜେନେରେଟର, ଅନୁଗୁଳ ସ୍ମେଲଟରରେ ନାନୋ-ଟେକନଲୋଜୀ ଭିତ୍ତିକ ଡିଫ୍ଲୋରିନେସନ ପ୍ଲାଣ୍ଟ । ଏହି ପ୍ରକଳ୍ପଗୁଡିକ ନାଲକୋର ଚାଲିଥିବା ସଂପ୍ରସାରଣ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଛନ୍ତି । ଶ୍ରୀ ତୋମାର କହିଛନ୍ତି ଯେ ଦେଶର ଖଣି ଉଦ୍ୟୋଗରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ସରକାର ଦୁଇବର୍ଷ ତଳେ ଏମଏମଡିଆର ଆଇନରେ ସଂଶୋଧନ କରିଥିଲେ ଓ ଇ-ଅକ୍ସନ ମାଧ୍ୟମରେ ଖଣି ଆବଣ୍ଟନ ପାଇଁ ବ୍ୟବସ୍ଥା କରିଥିଲେ । ଏହା ଫଳରେ ଏପର୍ଯ୍ୟନ୍ତ ୩୮ଟି ବ୍ଲକ ନିଲାମ ହୋଇଛି ଓ ଏଥିରୁ ରାଜ୍ୟମାନେ ମୋଟ ୧.୨୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି ।

ନାଲକୋର ୩୮ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଭାଷ ଚନ୍ଦ୍ରା କହିଛନ୍ତି ଯେ ବିଶ୍ୱ ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ନାଲକୋ ନିଜର ଅଭିବୃଦ୍ଧିକୁ ବଜାୟ ରଖିପାରିଛି । ଆଗାମୀ ୪-୫ ବର୍ଷରେ ନାଲକୋ ପକ୍ଷରୁ କେତେଗୁଡ଼ିଏ ସଂପ୍ରସାରଣ ଯୋଜନା ହାତକୁ ନିଆଯାଇଛି । ଏଥିରେ ପ୍ରାୟ ୧୦ ହଜାର କୋଟି ଟଙ୍କା ନିବେଶ କରାଯିବ ।

ଏହି ଅବସରରେ ନାଲକୋ ସିଏମଡି ତପନ କୁମାର ଚାନ୍ଦ କହିଛନ୍ତି ଯେ ଆଜିର ପ୍ରତିକୂଳ ବଜାରରେ ନିଜର ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ନାଲକୋ ଏକ ଦୀର୍ଘ ମିଆଦି ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିଛି । ବ୍ୟୟ ହ୍ରାସ,ସଂପ୍ରସାରଣ ଓ ମୂଲ୍ୟ ସଂଯୁକ୍ତିକୁ ଭିତ୍ତିକରି ଏହି ଯୋଜନା ଆଗେଇବ । ସେହିପରି ଜିଏସଟି ଲାଗୁ ହେବାପରେ କେତେକ ଟିକସ କମିବା ଫଳରେ ନାଲକୋର ପ୍ରାୟ ୧୦୦ କୋଟି ଟଙ୍କା ଲାଭ ହୋଇଛି ବୋଲି ସେ କହିଛନ୍ତି । ୨ୟ ତିନି ମାସରେ ନାଲକୋ ନେଟ ଲାଭ ପ୍ରାୟ ୯୪ ପ୍ରତିଶତ ବୃଦ୍ଧି ପାଇଛି । ମୋଟ ବିକ୍ରି ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇ ୪୧୭୯ କୋଟିରେ ପହଞ୍ଚିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ନାଲକୋ ପକ୍ଷରୁ ବର୍ଷିଆନ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ଓ ଦେଶର କିମ୍ବଦନ୍ତି ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହିତ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।

ସମ୍ବନ୍ଧିତ ଖବର