ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ: ନାଲ୍‌କୋ କର୍ମଚାରୀ ଦେଲେ ଦିନକର ଦରମା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ଫନି ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ଲାଗି ନାଲ୍‌କୋର କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ଏ ବାବଦରେ ସଂଗୃହୀତ ୨ କୋଟି ୫୩ ଲକ୍ଷ ୮ ହଜାର ୧୦୮ ଟଙ୍କାର ଏକ ଚେକ୍ ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଚିବାଳୟଠାରେ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନାଲକୋର କର୍ମଚାରୀମାନେ ରାଜ୍ୟବାସୀଙ୍କ ସହିତ ଛିଡ଼ା ହେବା ପାଇଁ ସିଏମଡି ଡ. ଚାନ୍ଦ କର୍ମଚାରୀମାନଙ୍କୁ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବା ପାଇଁ ଆହ୍ବାନ ଦେଇଥିଲେ। ବାତ୍ୟା ପରେ ନାଲକୋ ପକ୍ଷରୁ ଭୁବନେଶ୍ବର, କଟକ ଏବଂ ପୁରୀରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ କରାଯାଉଛି। ୭ଟି ଉତ୍ସର୍ଗୀକୃତ ଦଳ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ୮ ହଜାରରୁ ଅଧିକ ପରିବାରକୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି। ନାଲକୋର ଅନୁଗୁଳ ଏବଂ ଦାମନଯୋଡ଼ିସ୍ଥିତ ଉତ୍ପାଦନ କେନ୍ଦ୍ରରୁ ଏକାଧିକ ପାଣି ଟ୍ୟାଙ୍କର ଅଣାଯାଇ ଭୁବନେଶ୍ବରରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର