କେନ୍ଦ୍ର ସରକାରଙ୍କୁ ୫୪୭ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ପ୍ରଦାନ କଲା ନାଲକୋ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ଆଲୁମିନିୟମ କମ୍ପାନି ନାଲକୋ ପକ୍ଷରୁ ୨୦୧୭-୧୮ ଆର୍ଥକ ବର୍ଷ ପାଇଁ ପ୍ରତ୍ୟେକ ୫ ଟଙ୍କା ମୂଲ୍ୟର ଶେୟାର୍‌ ପିଛା ୪.୭୦ ଟଙ୍କା ହିସାବରେ ୯୦୮.୪୮ କୋଟି ଟଙ୍କା ଲାଭାଂଶ (ଡିଭିଡେଣ୍ଡ) ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଛି। କମ୍ପାନୀ ପକ୍ଷରୁ ଏଯାବତ୍‌ ପ୍ରଦତ୍ତ ଏହା ସର୍ବାଧିକ ଡିଭିଡେଣ୍ଡ୍‌ । ଏହା କମ୍ପାନୀର ୯୬୬.୪୬ କୋଟି ଟଙ୍କା ମୂଲ୍ୟର ପେଡ-ଅପ ଇକ୍ୱିଟୀ କ୍ୟାପିଟାଲର ୯୪% ଅଟେ। ଏହି ଡିଭିଡେଣ୍ଡରୁ ଭାରତ ସରକାରଙ୍କ ଅଂଶ ବାବଦରେ ୫୪୬.୯୫ କୋଟି ଟଙ୍କାର ଆନ୍ତରୀଣ ଡିଭିଡେଣ୍ଡ୍‌ର ଚେକ୍‌, କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ନାଲକୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଗତକାଲି ନୂଆଦିଲ୍ଲୀ ଠାରେ ପ୍ରଦାନ କରିଛନ୍ତି । ଏହି ଅବସରରେ, ଖଣି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ  ହରିଭାଇ ପାର୍ଥ ଭାଇ ଚୌଧରୀ, ସଚିବ,  ଅରୁଣ କୁମାର, ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ ଏବଂ ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ  ବିପୁଳ ପାଠକ, ଯୁଗ୍ମ ସଚିବ ଡଃ ନିରନ କୁମାର ସିଂ, ଯୁଗ୍ମ ସଚିବ  ଅନୀଲ କୁମାର ନାୟକ ଓ ଯୁଗ୍ମ ସଚିବ ତଥା ଏଫ୍‌.ଏ. ରୀନା ସିଂ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ନିଟ୍‌ ଲାଭରେ ପାଞ୍ଚଗୁଣ ଅଭିବୃଦ୍ଧି ସହ ପ୍ରଭାବଶାଳୀ ଭାବେ କାର୍ଯ୍ୟ ପରିଚାଳନା ନିମନ୍ତେ ନାଲ୍‌କୋକୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ, ଖଣି ମନ୍ତ୍ରାଳୟ ଏବଂ ନାଲ୍‌କୋର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତିଷ୍ଠା ପର ଠାରୁ ନାଲ୍‌କୋ ଏ ଯାବତ୍‌ ସମୂଦାୟ ୭୨୭୩ କୋଟି ଟଙ୍କାର ଡିଭିଡେଣ୍ଡ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୫୯୧୮ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର