ନାଲ୍‌କୋ ପାଇଲା ‘ଉତ୍କଳ-ଡି’ ଖଣି ଲିଜ୍, ୨୦୨୦-୨୧ରେ ଆରମ୍ଭ କରିବ କୋଇଲା ଉତ୍ତୋଳନ

ଭୁବନେଶ୍ୱର: ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡିଶା ସରକାର ଉତ୍କଳ-ଡି କୋଇଲା ଖଣି ପାଇଁ ଖଣି ଲିଜ୍ ମଞ୍ଜୁର କରିଛନ୍ତି । ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ଦ୍ୱାରା ଗତ ୧୬ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରୁ ଜଣା ପଡ଼ିଛି ଯେ ଉକ୍ତ ଉତ୍କଳ-ଡି କୋଇଲା ଖଣି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ତହସିଲ୍ର କୋଶଳ, ନନ୍ଦିଚୂଡ଼, ଶିମିଳିସାହି ଓ ରାଇଝରନ୍ ଗ୍ରାମର ୩୦୧.୨୮ ହେକ୍ଟର ଜମି ଉପରେ ଅବସ୍ଥିତ । ଉତ୍କଳ-ଡି ଖଣି ଲିଜ୍ ଚୁକ୍ତି ସ୍ୱାକ୍ଷର ପରେ ୨୦୨୦-୨୧ ଆର୍ଥିକ ବର୍ଷରେ ନାଲ୍‌କୋ କୋଇଲା ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିବ । ସର୍ବମୋଟ ୧୦୧.୬୮ ମିଲିୟନ୍ ଟନ୍ କୋଇଲା ଗଚ୍ଛିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଉତ୍କଳ-ଡି କୋଇଲା ବ୍ଳକ୍ ପ୍ରାପ୍ତି ନାଲକୋର ମୂଳଭିତ୍ତି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ବୋଲି ନାଲ୍କୋ‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରି ସେ କହିଛନ୍ତି ଯେ ଆଲୁମିନିୟମ ଭଳି ଏକ ବିଦ୍ୟୁତ ସଂଚାଳିତ ଉଦ୍ୟୋଗ ପାଇଁ ଏକ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ କୋଇଲା ଖଣି ନିତାନ୍ତ ଆବଶ୍ୟକ । ମୁଁ ଆଶା କରୁଛି ଯେ ଏହି ମଞ୍ଜୁରି ଫଳରେ ଏକ ସମୃଦ୍ଧ ଓ ବିକଶିତ ନାଲକୋ ଆମ ଆଗରେ ପ୍ରତିଭାତ ହେବ, ଶ୍ରୀ ପାତ୍ର କହିଲେ।

ଏଠlରେ ଉଲ୍ଲେଖଯୋଗ୍ୟ, ୨୦୧୬ ମେ’ରେ ଉତ୍କଳ-ଡି କୋଇଲା ବ୍ଲକ ନାଲକୋକୁ ଆବଣ୍ଟନ କରାଯାଇଥିଲା । ଏହା ସହିତ ଉତ୍କଳ-ଇ କୋଇଲା ବ୍ଲକ୍ ମଧ୍ୟ ଆବଣ୍ଟନ କରାଯାଇଥିଲା । ଏହି କୋଇଲା ବ୍ଳକର ବିଧିବଦ୍ଧ ମଞ୍ଜୁରି ପାଇଁ ମଧ୍ୟ କାର୍ଯ୍ୟ ଜାରି ରହିଛି । ଉଭୟ କୋଇଲା ବ୍ଳକ୍ କାର୍ଯ୍ୟକାରୀ ହେଲେ ନାଲକୋ ବାର୍ଷିକ ୪ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରି ପାରିବ। ଏହି ଖଣି ଲିଜ୍ ଆସନ୍ତା ୩୦ ବର୍ଷ ପାଇଁ ନାଲକୋକୁ ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର