ନାଲ୍‌କୋର ୧୩୮ କୋଟି ନିଟ୍‌ ଲାଭ

ଭୁବନେଶ୍ବର: ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ୧୩୮.୨୩ କୋଟି ଟଙ୍କାର ନିଟ୍‌ ଲାଭ କରିଛି। ଆଜି କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଆଲୋଚ୍ୟ ବର୍ଷରେ କଂପାନି ମୋଟ ୮୪୨୬ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାର ପୂର୍ବବର୍ଷ ତୁଳନାରେ ଆନ୍ତର୍ଜାତିକ ବଜାରରେ ଧାତବ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବାରୁ କଂପାନିର ବ୍ୟବସାୟରେ ପ୍ରାୟ ୨୯୦୦ କୋଟି ଟଙ୍କାର ହ୍ରାସ ଘଟିଛି। ନାଲ୍‌କୋ ଏହିବର୍ଷ ୩୫୧୧ କୋଟି ଟଙ୍କାର ରପ୍ତାନି କରିଛି। ଆନ୍ତର୍ଜାତିକ ବଜାରରେ ମାନ୍ଦାବସ୍ଥା ଏବଂ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ମୂଲ୍ୟ ହ୍ରାସ ସତ୍ତ୍ବେ ନାଲକୋ ବଜାରର ଆହ୍ବାନକୁ ସଫଳତାର ସହ ସାମ୍ନା କରି ଏହି ସଫଳତା ପାଇଛି।

ଉତ୍ପାଦନ, ଉତ୍ପାଦକତା ଏବଂ ବିକ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ କଂପାନି ପ୍ରତିବର୍ଷ ଲାଭ କରୁଛି। ୨୦୧୯-୨୦ରେ ନାଲ୍‌କୋ ୭୩.୦୨ ଲକ୍ଷ ଟନ୍ ବକ୍ସାଇଟ୍ ଏବଂ ଆଲୁମିନା ରିଫାଇନାରିରେ ୨୧.୬୧ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଉଭୟ ଖଣି ଏବଂ ରିଫାଇନାରିରେ ଏବର୍ଷ ଶତ ପ୍ରତିଶତରୁ ଅଧିକ କ୍ଷମତା ଉପଯୋଗ କରାଯାଇଛି। ଏହିବର୍ଷ କଂପାନି ୪.୧୮ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଛି। ଏହି ସଫଳତା ପାଇଁ ନାଲ୍‌କୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର କଂପାନି କର୍ମଚାରୀଙ୍କ ଦଳଗତ ପ୍ରଚେଷ୍ଟା ଓ କର୍ତ୍ତବ୍ୟ ପରାୟଣତାକୁ ଶ୍ରେୟ ଦେଇଛନ୍ତି। ନିକଟ ଭବିଷ୍ୟତରେ ଖଣି ଏବଂ ପରିଶୋଧନ ପ୍ରକଳ୍ପର ଉତ୍ପାଦନରେ ବୃଦ୍ଧି ତଥା ନିଜସ୍ବ କୋଇଲା ଖଣି ଓ କଷ୍ଟିକ୍ ସୋଡ଼ା ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେଲେ କମ୍ପାନି ଏହାର ବ୍ୟବସାୟିକ ସଫଳତା ବଜାୟ ରଖି ପାରିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର