ନାଲ୍‌କୋ ପକ୍ଷରୁ ୩୦୦ ସ୍ମାର୍ଟ କ୍ଲାସ୍‌ରୁମ୍ ଉଦ୍‌ଘାଟିତ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନବରତ୍ନ କଂପାନି ନାଲ୍‌କୋ ପକ୍ଷରୁ ୧୨୦ଟି ସରକାରୀ ବିଦ୍ୟାଳୟରେ ୩୦୦ ସ୍ମାର୍ଟ କ୍ଲାସ୍‌ରୁମ୍ ଉଦ୍‌ଘାଟନ କରାଯାଇଛି। ହାଇବ୍ରିଡ୍ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ, ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୯୧ଟି ବିଦ୍ୟାଳୟର ୨୪୦ଟି ସ୍ମାର୍ଟ କ୍ଲାସ୍‌ରୁମ୍‌କୁ ଉଦଘାଟନ କରାଯାଇଛି। ଅବଶିଷ୍ଟ ୨୯ଟି ବିଦ୍ୟାଳୟରେ ୬୦ଟି ସ୍ମାର୍ଟ କ୍ଲାସରୁମର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଅନୁଗୁଳସ୍ଥିତ ସରକାରୀ ହାଇସ୍କୁଲ ଏବଂ ସୁନାବେଡ଼ା ସ୍ଥିତ ଶ୍ରୀଜଗନ୍ନାଥ ବିଦ୍ୟାପୀଠଠାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ନବରଙ୍ଗପୁର ଏବଂ ଖୋର୍ଦ୍ଧା ଜିଲ୍ମାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବିଦ୍ୟାଳୟ ଗୁଡ଼ିକର ସ୍ମାର୍ଟକ୍ଲାସରୁମ୍‌ଗୁଡ଼ିକୁ ଉଦଘାଟନ କରାଯାଇଛି। ନାଲ୍‌କୋର ଏହି ପ୍ରକଳ୍ପକୁ ଇଡିସିଆଇଏଲ୍ (ଇଣ୍ଡିଆ) ଦ୍ବାରା କାର୍ଯ୍ୟକ୍ଷମ କରାଯାଇଛି। ଏହି ବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନର ସହାୟତାରେ ଟିହ୍ନଟ କରାଯାଇଛି। ଏହି ପ୍ରକଳ୍ପରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ନିରନ୍ତର ପ୍ରତ୍ୟକ୍ଷ ତାଲିମ ଦିଆଯିବ। ମୋଟ ପ୍ରକଳ୍ପ ଖର୍ଚ୍ଚ ହେଉଛି ୭.୬୫ କୋଟିଟଙ୍କା। ନାଲକୋର ଏହି ଉଦ୍ୟମର ସଫଳ ରୂପାୟନ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତଥା ଜିଲ୍ଲା ପ୍ରଶାସନଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ପାତ୍ର କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର