ନାଲ୍‌କୋର ନିଟ୍‌ ଲାଭ ୬୮୭ କୋଟି

ଭୁବନେଶ୍ୱର: ନବରତ୍ନ ଆଲୁମିନିୟମ୍‌ କଂପାନି ନାଲ୍‌କୋ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (୨୦୧୮ ଏପ୍ରିଲ୍‌-ଜୁନ୍‌୍‌) ମଧ୍ୟରେ ଉଲ୍ଲେଖନୀୟ ବ୍ୟବସାୟିକ ସଫଳତା ହାସଲ କରିଛି। ଏହି ତିନି ମାସରେ କଂପାନିର ନିଟ୍‌ ଲାଭ ୬୮୭ କୋଟି ଟଙ୍କା ହୋଇଛି। ପୂର୍ବ ତ୍ରୟମାସର ୨୫୭ କୋଟି ଟଙ୍କା ଲାଭ ତୁଳନାରେ ଏହା ୧୬୭% ଅଧିକ। ଯଦି ଏହାକୁ ପୂର୍ବବର୍ଷର ପ୍ରଥମ ତ୍ରୟମାସ ଲାଭ (୧୨୯ କୋଟି ଟଙ୍କା) ସହ ତୁଳନା କରାଯିବ ତେବେ କଂପାନି ଲାଭରେ ୪୩୩% ଅଭିବୃଦ୍ଧି ହାସଲ କରିଛି ବୋଲି କୁହାଯାଇପାରିବ। ୨୦୧୩-୧୪ ବର୍ଷ ସାରାରେ ଯେତିକି ଲାଭ (୬୪୨ କୋଟି ଟଙ୍କା) ହୋଇନଥିଲା ଚଳିତ ଆର୍ଥିକ ବର୍ଷର କେବଳ ପ୍ରଥମ ତ୍ରୟମାସରେ କଂପାନିର ଲାଭ ତା’ଠାରୁ ଅଧିକ ହୋଇଛି। ୨୦୧୮-୧୯ର ପ୍ରଥମ ତିନି ମାସରେ କଂପାନିର ଆଲୁମିନା ଉତ୍ପାଦନରେ ୧୦.୭୪%, ଆଲୁମିନିୟମ୍‌ ଉତ୍ପାଦନରେ ୮.୮୫ % ଓ ବିଦ୍ୟୁତ ଉତ୍ପାଦନରେ ୫.୧୪% ବୃଦ୍ଧି ହୋଇଛି। ଏହି ଅବସରରେ ଅପରେଟିଂ ଲାଭ ୮୮୯ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍‌ ୧୮%ରୁ ବୃଦ୍ଧି ପାଇ ୩୬% ହୋଇଛି। ଇନ୍‌ପୁଟ୍‌ ବ୍ୟୟ ୨୦%କୁ ବୃଦ୍ଧି ପାଇବା ସତ୍ତ୍ୱେ ଏହି ସଫଳତା ହାସଲ ହୋଇଛି। ଏହି ସଫଳତା ପାଇଁ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ମିଳିତ ଉଦ୍ୟମ, ଦୃଢ ମିତବ୍ୟୟିତା ଓ ବିଶେଷ ଯୋଜନାକୁ ଶ୍ରେୟ ଦେଇଛନ୍ତି। କଂପାନି ଏହି ତିନି ମାସରେ ୧୮.୫୯ ଲକ୍ଷ ଟନ୍‌ ବକ୍ସାଇଟ୍‌, ୫.୮୩ ଲକ୍ଷ ଟନ୍‌ ଆଲୁମିନା ଓ ୧.୧୦ ଲକ୍ଷ ଟନ୍‌ ଆଲୁମିନିୟମ୍‌ ଉତ୍ପାଦନ କରିଛି। କଂପାନି ୩.୨୦ ଲକ୍ଷ ଟନ୍‌ ଆଲୁମିନା ଓ ୧.୦୫ ଲକ୍ଷ ଟନ୍‌ ଆଲୁମିନିୟମ ବିକ୍ରି କରିଛି।

ସମ୍ବନ୍ଧିତ ଖବର