ନାଲ୍‌କୋ ନିଟ୍‌ ଲାଭରେ ୧୭୧% ବୃଦ୍ଧି

ଭୁବନେଶ୍ୱର: ନବରତ୍ନ ଆଲୁମିନିୟମ୍‌ କଂପାନି ନାଲ୍‌କୋର ତୃତୀୟ ତ୍ରୈମାସିକ ବ୍ୟାବସାୟିକ ଫଳାଫଳ ଘୋଷଣା ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ଭିତରେ କଂପାନିର ନିଟ୍‌ ଲାଭ ପରିମାଣ ୧୦୮୫ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୧୭୧% ଅଧିକ। ପୂର୍ବବର୍ଷ ଏହି ସମୟରେ କଂପାନିର ନିଟ୍‌ ଲାଭ ପରିମାଣ ୪୦୦ କୋଟି ଟଙ୍କା ଥିଲା। ଏହି ୯ ମାସରେ କଂପାନିର ବିକ୍ରିରୁ ୬୫୩୮ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ବିକ୍ରିରୁ ଆୟ ୫୦୭୧ କୋଟି ଟଙ୍କା ଥିଲା। କଂପାନିର ଆର୍ଥିକ ପ୍ରଦର୍ଶନ ବିଷୟରେ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ସରକାରଙ୍କ ଦୃଢ଼ ଆର୍ଥିକ ନୀତି, ଯୋଗାଣ-ଚାହିଦାରେ ସଂସ୍କାର ସହ ନିର୍ମାଣ ଏବଂ ଶକ୍ତି କ୍ଷେତ୍ରରେ ବିକାଶ ଓ ଅଟୋମୋବାଇଲ୍‌ ଶିଳ୍ପରେ ହୋଇଥିବା ଅଭିବୃଦ୍ଧି ଯୋଗୁଁ ଆମେ ଏଭଳି ସଫଳତା ହାସଲ କରିଛୁ। ପ୍ରଥମ ୯ ମାସରେ କଂପାନି ୫୪.୪୦ ଲକ୍ଷ ଟନ୍‌ ବକ୍ସାଇଟ୍‌, ୧୫.୫୧ ଲକ୍ଷ ଟନ୍‌ ଆଲୁମିନା ହାଇଡ୍ରେଟ୍‌, ୩.୧୭ ଲକ୍ଷ ଟନ୍‌ ଆଲୁମିନିୟମ ଓ ୪୪୯୪ ୟୁନିଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କଂପାନିର ନିଟ୍‌ ଲାଭ ପରିମାଣ ୭୨୨ କୋଟି ଟଙ୍କା ହୋଇଛି ଯାହା ଗତବର୍ଷର ୧୪୪ କୋଟି ଟଙ୍କା ତୁଳନାରେ ବହୁତ ଅଧିକ। ଦ୍ୱିତୀୟ ତ୍ରୈମାସିକରେ କଂପାନିର ନିଟ୍‌ ଲାଭ ୨୩୫ କୋଟି ଟଙ୍କା ଥିଲା।

ଉଲ୍ଲେଖଯୋଗ୍ୟ, ନାଲ୍‌କୋ କର୍ପୋରେଟ୍‌ ଯୋଜନା-୨୦୩୨ କାର୍ଯ୍ୟକାରୀ କରିଛି। ଏହି ଯୋଜନାରେ କଂପାନି ୨୦୨୪ ସୁଦ୍ଧା ୧୮୧୭୧ କୋଟି ଟଙ୍କା ଏବଂ ୨୦୩୨ ସୁଦ୍ଧା ୩୧,୨୪୮ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର