ନାଲ୍‌କୋର ୧୧୦୨ କୋଟି ଲାଭାଂଶ ଘୋଷଣା

ଭୁବନେଶ୍ୱର: ନାଲ୍‌କୋ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୧୧୪%ର ରେକର୍ଡ ୧୧୦୨ କୋଟି ଟଙ୍କାର ଲାଭାଂଶ ଘୋଷଣା କରାଯାଇଛି। କଂପାନି ପ୍ରତିଷ୍ଠା ହେବା ପରଠାରୁ ପ୍ରଥମ ଥର ପାଇଁ ନାଲ୍‌କୋ ଏତେ ଅଧିକ ପରିମାଣର ଲାଭାଂଶ ଘୋଷଣା କରିଛି। ପୂର୍ବବର୍ଷ ତୁଳନାରେ ଏହା ୫୬% ଅଧିକ। ଲାଭାଂଶ ବିତରଣ ଟିକସକୁ ମିଶାଇ କଂପାନି ମୋଟ ୧୩୨୬.୦୬ କୋଟି ଟଙ୍କା ପ୍ରଦାନ କରିବ ୨୦୧୬-୧୭ରେ ନାଲ୍‌କୋ ୬୫୧.୪୦ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା। ନାଲ୍‌କୋର ୩୭ତମ ବାର୍ଷିକ ସାଧାରଣ ବୈଠକରେ ୨୦୧୭-୧୮ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ନିଟ୍‌ ଲାଭ ପରିମାଣ ଦୁଇ ଗୁଣା ବୃଦ୍ଧି ପାଇ ୧୩୪୨ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୬୬୯ କୋଟି ଟଙ୍କା ଥିଲା। ଟିକସ, ରୟାଲ୍‌ଟି, ଶୁଳ୍କ ଓ ଲାଭାଂଶ ଆଦି ବାବଦରେ କଂପାନି ୨୯,୮୭୭ କୋଟି ଟଙ୍କା ପ୍ରଦାନ କରିଛି। ସେଥି ମଧ୍ୟରୁ ୨୩୪୧୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଓ ୬୪୬୭ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି।  ଦଳଗତ କାର୍ଯ୍ୟ, ଖର୍ଚ ଉପରେ ଗୁରୁତ୍ୱ ଓ ରଣନୀତିପୂର୍ଣ୍ଣ ଯୋଜନା ଯୋଗୁ ଏଭଳି ସଫଳତା ମିଳିଛି ବୋଲି ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି। ନାଲ୍‌କୋର ମୋଟ କାରବାର ୨୬% ବୃଦ୍ଧି ପାଇ ୯୩୭୬ କୋଟି ଟଙ୍କା ହୋଇଛି। ରପ୍ତାନିରୁ ୪୦୭୬ କୋଟି ଟଙ୍କା ଆୟ ହୋଇଥିବା ବେଳେ ବିଦେଶୀ ମୁଦ୍ରା ଆୟ କରିବାରେ ଏହା ଦେଶର ତୃତୀୟ ଶ୍ରେଷ୍ଠ ସିପିଏସ୍‌ଇ। ଏହି ବର୍ଷ କଂପାନି ୬୮.୨୬ ଲକ୍ଷ ଟନ୍‌ର ବକ୍ସାଇଟ୍‌, ୨୧.୦୬ ଲକ୍ଷ ଟନ୍‌ର ଆଲୁମିନା ହାଇଡ୍ରେଟ୍‌ ଓ ୪.୨୬ ଲକ୍ଷ ଟନ୍‌ କାଷ୍ଟ୍‍ ମେଟାଲ୍‌ ଉତ୍ପାଦନ କରିଛି। ନାଲ୍‌କୋ ୪୨୬୩୧୬ ଟନ୍‌ର ଆଲୁମିନିୟମ୍‌ ଧାତୁ ଓ ୧୩,୩୭,୪୧୬ ଟନ୍‌ର ଆଲୁମିନା ବିକ୍ରି କରିଛି।

ସମ୍ବନ୍ଧିତ ଖବର