ଉତ୍କଳ-ଇ ପାଇଁ ନାଲ୍‌କୋକୁ ମିଳିଲା ଖଣି ଲିଜ୍

ଭୁବନେଶ୍ବର : ନବରତ୍ନ ଉଦ୍ୟୋଗ ନାଲ୍‌କୋକୁ ଉତ୍କଳ-ଇ କୋଇଲା ଖଣି ପାଇଁ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ତରଫରୁ ଖଣି ଲିଜ୍ ମଞ୍ଜୁର କରାଯାଇଛି। ଚଳିତ ମାସ ୧୨ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଉତ୍କଳ-ଇ କୋଇଲା ଖଣି ଅନୁଗୁଳର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ନନ୍ଦିଛୋଡ଼, ଗୋପିନାଥପୁର ଜଙ୍ଗଲ, କୁଣ୍ଡାଝରି ଜଙ୍ଗଲ, କୋଶଳ ଓ କୋରଡ଼ା ଗ୍ରାମର ୫୨୩.୭୩ ହେକ୍ଟର ଜମି ଉପରେ ରହିଛି। ଏହି ଖଣିରେ ୭୦ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଖଣିରୁ ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରାଯାଇପାରିବ। ଉତ୍କଳ-ଇ ପାଇଁ ଖଣି ଲିଜ୍ ମଞ୍ଜୁର କରାଯାଇଥିବାରୁ ନାଲ୍‌କୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ଉତ୍କଳ-ଡି କୋଇଲା ବ୍ଲକ୍‌ରୁ ଖଣି କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଉତ୍କଳ-ଇ ପାଇଁ ଖଣି ଲିଜ୍‌ ମିଳିଥିବାରୁ କଂପାନିର ସମ୍ପ୍ରସାରଣ କାର୍ଯ୍ୟ ବେଶ ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ନାଲ୍‌କୋ ତରଫରୁ ଅନ୍ୟ ଏକ କୋଇଲା ଖଣି ଉତ୍କଳ-ଡିର ଲିଜ୍‌କୁ ଗତ ମାର୍ଚ୍ଚ ମାସରେ କାର୍ଯ୍ୟକାରୀ କରାଯାଇଥିଲା। ଉଭୟ ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ଖଣିରେ ମିଳିତ ଭାବେ ୧୭୫ ନିୟୁତ ଟନ୍ କୋଇଲା ରହିଛି। ନାଲ୍‌କୋର ଅନୁଗୁଳରେ ଥିବା ନିଜସ୍ବ ବିଦ୍ୟୁତ ପ୍ରକଳ୍ପର କୋଇଲା ଆବଶ୍ୟକତା ପୂରଣ କରିବାରେ ଏହି ଦୁଇ ଖଣି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଏହି ଦୁଇ ଖଣି କାର୍ଯ୍ୟକାରୀ ହେଲେ ପ୍ରାରମ୍ଭିକ ବର୍ଷଗୁଡ଼ିକରେ କଂପାନି ୪ ନିୟୁତ ଟନ୍ କୋଇଲା ଉତ୍ପାଦନ କରିପାରିବ। ଉଭୟ ଖଣି ଲାଗି ୩୦ ବର୍ଷ ପାଇଁ ଲିଜ୍ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର