ନାଲ୍‌କୋର ୪୧ତମ ପ୍ରତିଷ୍ଠା ଦିବସ: ୩୦ ହଜାର କୋଟି ନିବେଶ ହେବ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ କମ୍ପାନି ନାଲ୍‌କୋର ସଂପ୍ରସାରଣ ଓ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ପାଇଁ ଆସନ୍ତା ୭ରୁ ୮ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କା ନିବେଶ ‌ହେବ। କେ‌ନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନାଲ୍‌କୋର ୪୧ତମ ପ୍ରତିଷ୍ଠା ଦିବସ ସମା‌ରୋହରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ନିଜର ପ୍ରମୁଖ ସ୍ଥାନ ବଜାୟ ରଖିବା ସହ ବଜାରରେ ସଫଳତାର ସହ ପ୍ରତିଯୋଗିତା କରିବା ପାଇଁ ନାଲ୍‌କୋକୁ ଏହି ନିବେଶର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ନାଲ୍‌କୋର ବିଶୋଧନ ପ୍ରକଳ୍ପ କ୍ଷମତା ୧ ନିୟୁତ ଟନ୍ ବୃଦ୍ଧି କରାଯିବା ସହିତ ୩.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ପଟାଙ୍ଗୀ ବକ୍ସାଇଟ୍ ଖଣି ଏବଂ ଉତ୍କଳ ଡି ଓ ଉତ୍କଳ ଇ କୋଇଲା ବ୍ଲକ୍ କାର୍ଯ୍ୟକ୍ଷମ ହେବ। ଏଥିସହିତ ‌ଅନୁଗୁଳ ସ୍ଥିତ ସ୍ମେଲଟର ପ୍ରକଳ୍ପ କ୍ଷମତା ୦.୫ ନିୟୁତ ଟନ୍ ବୃଦ୍ଧି କରାଯିବ। ସେହିପରି ନିଜସ୍ବ ଶକ୍ତି ପ୍ରକଳ୍ପର କ୍ଷମତା ୧୨୦୦ ମେଗାୱାଟ ବୃଦ୍ଧି କରାଯିବ। ଉତ୍କଳ ଡି କୋଇଲା ବ୍ଲକ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୨ ନିୟୁତ ଟନ କୋଇଲା ଖନନ ପାଇଁ ରାଜିନାମା ସ୍ବାକ୍ଷର ହେବା ପରେ ନାଲ୍‌କୋ ଖଣି ଖନନ ଅନୁମତି ହାସଲ କାର୍ଯ୍ୟ‌ରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ଉତ୍କଳ ଡି କୋଇଲା ଖଣି ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମଞ୍ଜୁରି କମିଟି ପକ୍ଷରୁ ସମସ୍ତ ପ୍ରକାର ଅନୁମୋଦନ ଦିଆଯାଇଛି। ସେହିଭଳି ଉତ୍କଳ ଇ କୋଇଲା ବ୍ଲକ୍‌ରୁ କୋଇଲା ଉତ୍ପାଦନ ପାଇଁ ନାଲ୍‌କୋର ସମସ୍ତ ପ୍ରକାର ବୈଧାନିକ ମଞ୍ଜୁରି ହାସଲ ପ୍ରକ୍ରିୟା ଜାରି ରହିଛି। ଏହି ଖଣିକୁ ୨୦୨୨-୨୩ରେ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖାଯାଇଛି। ସବୁ ପ୍ରକାର ପ୍ରତିବନ୍ଧକ ସତ୍ତ୍ବେ ନାଲ୍‌କୋ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ପୁଞ୍ଜିବ୍ୟୟର ୭୫ ପ୍ରତିଶତ ଡିସେମ୍ବର ୩୧ ସୁଦ୍ଧା ହାସଲ କରିପାରିଥିବାରୁ ମନ୍ତ୍ରୀ ଏହି ଅବସରରେ ଖୁସି ବ୍ୟକ୍ତ କରିଛନ୍ତି। ମଧ୍ୟମ ଧରଣର ନିବେଶ‌ରୁ ୧୯୮୧ ମସିହାରୁ ଆରମ୍ଭ ହୋଇଥିବା ନାଲ୍‌କୋ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କୃଷ୍ଟ ପ୍ରଦର୍ଶନ କରି ଏହାର ନେତୃତ୍ବ ସ୍ଥିତି ବଜାୟ ରଖିଛି। ୪୦ଟି ଗୌରବମୟ ବର୍ଷ ନାଲକୋକୁ ବହୁ ସମୃଦ୍ଧି ଓ ପ୍ରଶଂସା ଆଣିଦେଇଛି। ଏଥିସହିତ କମ୍ପାନି ଏହାର ସଂପ୍ରସାରଣ ସହିତ ନାଲ୍‌କୋକୁ ଉତ୍କର୍ଷର ପରବର୍ତ୍ତୀ ପର୍ଯ୍ୟାୟକୁ ନେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆଶାବ୍ୟକ୍ତ କରିଛନ୍ତି।

ଏହି ସମାରୋହରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର ଯୋଗଦେଇ କମ୍ପାନି ଗତ ଆର୍ଥିକ ବର୍ଷରେ ହାସଲ କରିଥିବା ବିଭିନ୍ନ ଅଗ୍ରଗତି ସଂପର୍କରେ ଆଲୋକପାତ କରିଥିଲେ। ଗୁଜରାଟ ଆଲକାଲାଇଜ୍ ଆଣ୍ଡ କେମିକାଲ୍ସ ଲିମିଟେଡ ସହ ମିଳିତଭାବେ ନାଲ୍‌କୋ ସ୍ଥାପନ କରୁଥିବା କଷ୍ଟିକ୍ ସୋଡ଼ା ପ୍ଲାଣ୍ଟ ୨୦୨୧-୨୨ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ। ଏହି ‌ଯୌଥ ଉଦ୍ୟୋଗ କାର୍ଯ୍ୟକ୍ଷମ ହେଲେ ନାଲ୍‌କୋକୁ କଷ୍ଟିସ ସୋଡ଼ା ଯୋଗାଣରେ ଉନ୍ନତି ଆସିବ ବୋଲି ସେ କହିଥିଲେ। ନାଲ୍‌କୋର ବିକାଶ ଦିଗରେ କେନ୍ଦ୍ର ସରକାର, ଖଣି ମନ୍ତ୍ରାଳୟର ପ୍ରଶଂସା ଶ୍ରୀ ପାତ୍ର କରିଛନ୍ତି। ଏଥିସହିତ ଦାମନଯୋଡ଼ିର ପଞ୍ଚମ ଷ୍ଟ୍ରିମ ବିଶୋଧନାଗାର ସମେତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର କରିଥିବା ସହଯୋଗକୁ ମଧ୍ୟ ଶ୍ରୀ ପାତ୍ର ଏହି ଅବସରରେ ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ ଏହି ଅବସରରେ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ‘ପ୍ରତିମାସର କର୍ମଚାରୀ ଯୋଜନା’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର