ଭୁବନେଶ୍ୱର : ନ୍ୟାସନାଲ୍ ଆଲୁମିନିୟମ କଂପାନି ଲିମିଟେଡ୍ (ନାଲ୍କୋ) କୋଭିଡ୍ ମହାମାରୀର ମୁକାବିଲା ଲାଗି ସହାୟତା ପ୍ରଦାନ କରିବା ଜାରି ରଖିଛି। ସଂକ୍ରମଣରେ ବୃଦ୍ଧି ଏବଂ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କଂପାନି ପକ୍ଷରୁ କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯାଉଛି। ଏଥି ସହିତ ଅନୁଗୁଳ ଜିଲ୍ଲାର ବଅଁରପାଳସ୍ଥିତ ଇଏସ୍ଆଇ ହସ୍ପିଟାଲ୍ରେ ୬୬ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ସ୍ଥାପନ ପାଇଁ ସହାୟତା ପ୍ରଦାନ ସହିତ ଏହାର ଆନୁଷଙ୍ଗିକ ପରିଚାଳନା ଖର୍ଚ୍ଚ ନାଲକୋ ବହନ କରିବ । ଏହା ଦ୍ୱାରା କମ୍ପାନିର କାର୍ଯ୍ୟ କ୍ଷେତ୍ର ଯଥା ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଲୋକମାନେ ଉପକୃତ ହୋଇ ପାରିବେ । ଏତଦ୍ ବ୍ୟତୀତ ରାଜ୍ୟରେ ନାଲକୋ ପକ୍ଷରୁ କେତେକ ଅକ୍ସିଜେନ୍ ୟୁନିଟ୍ ପାଇଁ ରାଜ୍ୟ ସରକାରଙ୍କୁ ଡିଜି ସେଟ୍ ପ୍ରଦାନ କରିବାକୁ ସହମତି ପ୍ରଦାନ କରାଯାଇଛି।
ନାଲ୍କୋ ନବରଙ୍ଗପୁରଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ରେ କୋଭିଡ୍ ଚିକିତ୍ସା ନିମନ୍ତେ ଭିତ୍ତିଭୂମି ବିକଶିତ କରିଛି। ଏଥି ସହିତ ଅନୁଗୁଳ ଓ ଦାମନଯୋଡ଼ିଠାରେ ନାଲ୍କୋ ହସ୍ପିଟାଲ୍ରେ ୨ଟି ସ୍ୱତନ୍ତ୍ର କୋଭିଡ୍ କେୟାର କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ଏହି ଅବସରରେ ନାଲ୍କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ ରାଜ୍ୟର ଏହିଭଳି ଏକ ଜଟିଳ ପରିସ୍ଥିତିରେ ନାଲକୋ ସାମଗ୍ରିକ ଭାବେ ଏକ ଦାୟିତ୍ୱବାନ କର୍ପୋରେଟ ହିସାବରେ ଓଡ଼ିଶାବାସୀଙ୍କ ସହିତ ସର୍ବଦା ରହିଆସିଅଛି, ଏବଂ ଯଥା ସମ୍ଭବ ସହଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଛି। ରାଜ୍ୟରେ ଟିକାକରଣ ପଦ୍ଧତିକୁ ତ୍ୱରାନ୍ୱିତ କରିବା ପାଇଁ ଇତି ମଧ୍ୟରେ ନାଲକୋ ରାଜ୍ୟ ଇମ୍ୟୁନାଇଜେସନ ସେଲକୁ ଏକ ୨୫,୭୦,୦୦୦ଟିକା (ଡୋଜ) କ୍ଷମତା ବିଶିଷ୍ଟ ରେଫ୍ରିଜରେଟେଡ୍ ଟ୍ରକ୍ ପ୍ରଦାନ କରିଛି ଓ ଭେଣ୍ଟିଲେଟର ଆମ୍ବୁଲାନ୍ସ କ୍ରୟ ପାଇଁ ମଧ୍ୟ କମ୍ପାନି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ୧.୧୬କୋଟି ଟଙ୍କା ମୂଲ୍ୟର ସହାୟତା ପ୍ରଦାନ କରିଛି। କମ୍ପାନି ଏହାର କାର୍ଯ୍ୟକ୍ଷେତ୍ର, କାର୍ଯ୍ୟାଳୟ, ଟାଉନ୍ସିପ୍ରେ ଟିକାକରଣ ଏବଂ ପାରିପାର୍ଶ୍ବିକ ଅଂଚଳଗୁଡ଼ିକୁ ସାନିଟାଇଜ୍ କରୁଛି। କୋଭିଡ ଯୋଦ୍ଧା ଓ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କୁ ଶୁଖିଲା ରାସନ ସାମଗ୍ରୀ, ମାସ୍କ ଓ ସାନିଟାଇଜର ମଧ୍ୟ ବଣ୍ଟନ କରାଯାଉଛି।