ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ଆର୍ଥିକ ବର୍ଷ ୨୦୨୪-୨୫ରେ ୫୩୨୫ କୋଟି ଟଙ୍କାର ନିଟ୍ ଲାଭ କରିଛି। ଏହା ହେଉଛି ନିଟ୍‌ ଲାଭରେ କମ୍ପାନିର ସର୍ବକାଳୀନ ରେକର୍ଡ, ଯାହା ପୂର୍ବବର୍ଷ ତୁଳନାରେ ୧୫୮ ପ୍ରତିଶତ ଅଧିକ ହୋଇଛି। କମ୍ପାନିର ମୋଟ୍‌ ବ୍ୟବସାୟ ୧୬,୭୮୮ କୋଟି ଟଙ୍କା ରହିଛି। ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ନାଲ୍‌କୋର ନିଟ୍ ଲାଭ ୧୦୫ ପ୍ରତିଶତ ବୃଦ୍ଧି ପାଇ ୨୦୭୮ କୋଟି ଟଙ୍କା ହୋଇଥିବା ନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ନିଟ୍ ଲାଭ ୧୦୧୬ କୋଟି ଟଙ୍କା ଥିଲା। ଏହି ତିନି ମାସରେ ମୋଟ୍‌ ବ୍ୟବସାୟ ୫୨୬୮  କୋଟି ଟଙ୍କା ‌ରହିଥିଲା ଯାହା ପୂର୍ବବର୍ଷର ସେହି ତ୍ରୈମାସିକରେ ୩୫୭୯ କୋଟି ଟଙ୍କା ଥିଲା।

Advertisment

୨୦୨୪-୨୫ ଆର୍ଥିକ ବର୍ଷରେ କମ୍ପାନି ସର୍ବକାଳୀନ ସର୍ବାଧିକ ୭୬.୪୮ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ତୋଳନ କରିଥିବା ବେଳେ ଘରୋଇ ଧାତବ ବିକ୍ରି ମଧ୍ୟ ସର୍ବକାଳୀନ ସର୍ବାଧିକ ୪.୫୫ ଲକ୍ଷ ଟନ୍ ରହିଛି। କମ୍ପାନିର ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ ତ୍ରୈମାସିକରେ କମ୍ପାନିର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିଲା ଯାହା ଦୃଢ଼ ଆର୍ଥିକ ଫଳାଫଳ ଓ ରାଜସ୍ବ ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି। ଦକ୍ଷତା ଓ ଖର୍ଚ୍ଚରେ ଉନ୍ନତି ଏବଂ କର୍ମଚାରୀଙ୍କ ଅତୁଟ ପ୍ରତିବଦ୍ଧତା ନାଲ୍‌କୋକୁ ଏକ ଗୁରୁତ୍ବପୂର୍ଣ୍ଣ ବଜାର ପରିବେଶରେ ପ୍ରତିଯୋଗିତାପୂର୍ଣ୍ଣ ମୂଲ୍ୟ ବଜାୟ ରଖିବାରେ ସକ୍ଷମ କରିଥିଲା ବୋଲି ସେ କହିଛନ୍ତି। ଅଗାମୀ ଦିନରେ ଆଲୁମିନା ବିଶୋଧନାଗାରର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣ, ପଟାଙ୍ଗୀ ବକ୍ସାଇଟ୍ ଖଣି କାର୍ଯ୍ୟକ୍ଷମ କରି ଏବଂ ସ୍ମେଲଟର କାରଖାନା ଓ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟର ସମ୍ପ୍ରସାରଣ ଜରିଆରେ ଦୀର୍ଘକାଳୀନ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାକୁ କମ୍ପାନି ପ୍ରତିବଦ୍ଧ ଥିବା ସେ କହିଛନ୍ତି।