ନାଲ୍‌କୋର ନିଟ୍‌ ଲାଭ ୩୪୭ କୋଟି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ନ୍ୟାସନାଲ୍ ଆଲୁମିନିୟମ କଂପାନି (ନାଲ୍‌କୋ) ୩୪୭.୭୩ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି। ଗତବର୍ଷ ଏହି ସମୟରେ କଂପାନିର ନିଟ୍ ଲାଭ ୧୬.୬୩ କୋଟି ଟଙ୍କା ଥିଲା। ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ କଂପାନିର ନିର୍ଦେଶକ ମଣ୍ଡଳୀ ବୈଠକରେ ଆର୍ଥିକ ଫଳାଫଳ ଜାରି କରାଯାଇଛି। ଏହି ଅବସରରେ କଂପାନିର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ କୋଭିଡ୍-୧୯ ମହାମାରୀ ଯୋଗୁଁ ଦେଖାଦେଇଥିବା ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନାଲ୍‌କୋ ଏହାର ରଣନୀତିପୂର୍ଣ୍ଣ ଯୋଜନା, କଞ୍ଚାମାଲ, ଶ୍ରମଶକ୍ତି ଓ ବ୍ୟାବସାୟିକ ଖର୍ଚ୍ଚର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିବାରୁ ଏହି ସଫଳତା ମିଳିଛି। ଦଳଗତ ପ୍ରଚେଷ୍ଟା ଓ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସେ ଏଥିପାଇଁ ଶ୍ରେୟ ଦେଇଛନ୍ତି। କଂପାନିକୁ ସହାୟତା ପ୍ରଦାନ କରିଥିବାରୁ ସେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

କଂପାନିର ସୂଚନା ଅନୁସାରେ ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍ ମଧ୍ୟରେ ନାଲ୍‌କୋର ପରିଚାଳନାଗତ ରାଜସ୍ବ ୭୯.୨% ବୃଦ୍ଧି ପାଇ ୨୪୭୪.୫୫ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ପ୍ରଥମ ତ୍ରୟମାସରେ ୧୩୮୦.୬୩ କୋଟି ଟଙ୍କା ଥିଲା। ଏହି ତ୍ରୈୟମାସରେ କଂପାନିର ବକ୍ସାଇଟ୍, ଆଲୁମିନା ଓ ଆଲୁମିନିୟମ୍ ଉତ୍ପାଦନ ଯଥାକ୍ରମେ ୧୭.୬୧ଲକ୍ଷଟନ୍, ୫.୨୧ଲକ୍ଷ ଟନ୍ ଓ ୧.୧୪ ଲକ୍ଷ ଟନ୍‌ ରହିଛି ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ଯଥାକ୍ରମେ ୧୭.୧୦ ଲକ୍ଷ ଟନ୍, ୪.୬୫ ଲକ୍ଷ ଟନ୍ ଓ ୦.୯୮ଲକ୍ଷ ଟନ୍‌ ଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର