ଭୁବନେଶ୍ବର: ଦେଶର ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ ଓ ଆର୍ଥିକ ପ୍ରଦର୍ଶନରେ ଅନେକ ନୂଆ ରେକର୍ଡ ସ୍ଥାପନ କରିଛି। କମ୍ପାନି ୧୪,୧୮୧ କୋଟି ଟଙ୍କାର କାରବାର ସହିତ ୨୯୫୨ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି। ସେହିଭଳି ୭୫,୧୧,୦୭୫ ଟନର ବକ୍ସାଇଟ୍ ଉତ୍ପାଦନ କରିଥିବାବେଳେ ୪,୬୦,୦୦୦ ଟନ୍ର ଆଲୁମିନିୟମ କାଷ୍ଟ୍ ମେଟାଲ ଉତ୍ପାଦନ କରିଛି। ଆଜି ଅନୁଷ୍ଠିତ କମ୍ପାନିର ବାର୍ଷିକ ସାଧାରଣ ପରିଷଦ ବୈଠକରୁ ଏହା ଜଣାଯାଇଛି। ଏଥିସହିତ କମ୍ପାନି ଅଂଶଧନଧାରୀଙ୍କ ପାଇଁ ୩୦ ପ୍ରତିଶତ ଚୂଡ଼ାନ୍ତ ଲାଭାଂଶ ଘୋଷଣା କରିଛି। ଅର୍ଥାତ୍ ପ୍ରତି ଇକ୍ବିଟି ସେୟାର ପିଛା ୧ ଟଙ୍କା ୫୦ ପଇସାର ଲାଭାଂଶକୁ ବୋର୍ଡ ଅନୁମୋଦନ କରିଛି। ୨୦୨୧-୨୨ରେ ନାଲକୋ ଏହା ସମସ୍ତ ୯୬୦ଟି ପଟ୍କୁ କାର୍ଯ୍ୟକ୍ଷମ କରି ସର୍ବାଧିକ ୪,୬୦,୦୦୦ ଟନ୍ ଆଲୁମିନିୟମ କାଷ୍ଟ୍ ମେଟାଲ ଉତ୍ପାଦନ କରିଛି। କମ୍ପାନି ପ୍ରଥମ ଥର ପାଇଁ ଉତ୍ପାଦନ କ୍ଷମତାର ଶତ ପ୍ରତିଶତ ଉପଯୋଗ କରିଛି। ସେହିଭଳି ଦାମନଯୋଡ଼ିସ୍ଥିତ ଖଣି ଏବଂ ବିଶୋଧନ ପରିସରରେ ରେକର୍ଡ ପରିମାଣର ୭୫,୧୧,୦୭୫ ଟନ୍ର ବକ୍ସାଇଟ୍ ଉତ୍ପାଦନ କରିଛି।
ଏହି ଅବସରରେ ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର କହିଛନ୍ତି, କମ୍ପାନିର ଇତିହାସରେ ୨୦୨୧-୨୨ ଏକ ଐତିହାସିକ ବର୍ଷ। କମ୍ପାନି ଆଲୋଚ୍ୟ ବର୍ଷରେ ଅପ୍ରତ୍ୟାଶିତ ମାଇଲଖୁଣ୍ଟ ହାସଲ କରିଛି। ମହାମାରୀ ବର୍ଷ ସତ୍ତ୍ବେ ଏଭଳି ଫଳାଫଳ ନାଲକୋ କର୍ମଚାରୀଙ୍କ ସମ୍ମିଳିତ ଉଦ୍ୟମକୁ ପ୍ରଦର୍ଶନ କରିଛି। ବିଶ୍ବରେ ସବୁଠୁ କମ୍ ମୂଲ୍ୟରେ ନାଲକୋ ବକ୍ସାଇଟ୍ ଓ ଆଲୁମିନା ଉତ୍ପାଦନ କରିଛି ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କମ୍ପାନି ଉତ୍କଳ-ଡି କୋଇଲା ବ୍ଲକ୍ କାର୍ଯ୍ୟକ୍ଷମ ହେବା ଆଶା ରହିଛି। ଗୁଜରାଟ ଆଲକାଲାଇସ୍ ଆଣ୍ଡ୍ କେମିକାଲ୍ସ ଲିମିଟେଡ ସହ ଯୌଥ ଉଦ୍ୟୋଗରେ ନିର୍ମିତ କଷ୍ଟିକ୍ ସୋଡ଼ା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/s6f4h56sfh132f1h32ffhhffh.jpg)