ନରସିଂହ ରାଓ ଅର୍ଥନୈତିକ ସଂସ୍କାରର ପ୍ରକୃତ ଜନକ: ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କୁ ଭାରତର ଅର୍ଥନୈତିକ ସଂସ୍କାରର ପ୍ରକୃତ ଜନକ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ନରସିଂହ ରାଓଙ୍କ ସରକାରରେ ଶ୍ରୀ ସିଂହ ଅର୍ଥମନ୍ତ୍ରୀ ଥିଲେ। ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ଶ୍ରୀ ନରସିଂହ ରାଓଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନମୋହନ କହିଛନ୍ତି, ନରସିଂହ ରାଓ ହେଉଛନ୍ତି ଏହି ମାଟିର ଜଣେ ଶ୍ରେଷ୍ଠ ସନ୍ତାନ। ତାଙ୍କୁ ବାସ୍ତବରେ ଭାରତରେ ଅର୍ଥନୈତିକ ସଂସ୍କାରର ଜନକ କୁହାଯିବ। କାରଣ ପଦକ୍ଷେପ ନେବା ଲାଗି ଦୂରଦୃଷ୍ଟି ଓ ସାହସ ତାଙ୍କ ନିକଟରେ ଥିଲା। ୧୯୯୧ରେ ମନମୋହନ ଅର୍ଥମନ୍ତ୍ରୀ ଭାବେ ନିଜର ଐତିହାସିକ ବଜେଟ୍‌ ଉପସ୍ଥାପନ କରିଥିଲେ।

ସେହିଦିନ ଠାରୁ ଦେଶରେ ଅର୍ଥନୈତିକ ସଂସ୍କାରର ଧାରା ଆରମ୍ଭ ହୋଇଥିଲା। ତାଙ୍କ ବଜେଟ୍‌କୁ ବିଭିନ୍ନ ମହଲ୍‌ରେ ପ୍ରଶଂସା କରାଯାଇଛି। ଆଧୁନିକ ଭାରତ ପାଇଁ ସେହିବର୍ଷ ମୂଳଦୁଆ ପଡ଼ିଥିଲା ବୋଲି କୁହାଯାଏ। ତାଙ୍କ ବଜେଟ୍‌କୁ ରାଜୀବ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଲାଗି ନରସିଂହ ରାଓ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା ବୋଲି ସେ କହିଛନ୍ତି। ଅର୍ଥନୈତିକ ସଂସ୍କାର ଦିଗରେ ଆଗକୁ ବଢ଼ିବା ଏକ କଠିନ ଓ ବଳିଷ୍ଠ ନିଷ୍ପତ୍ତି ଥିଲା। ଏହା କରିବା ଲାଗି ପ୍ରଧାନମନ୍ତ୍ରୀ ନରସିଂହ ରାଓ ମୋତେ ସ୍ବାଧୀନତା ଦେବାରୁ ତାହା ସମ୍ଭବ ହୋଇଥିଲା ବୋଲି ମନମୋହନ କହିଛନ୍ତି। ୧୯୯୧ରେ ଭାରତରେ ବୈଦେଶିକ ମୁଦ୍ରା ସଙ୍କଟ ଦେଖାଦେଇଥିଲା। ଏହି ସ୍ଥିତିରୁ ମୁକୁଳିବା ଲାଗି ବଳିଷ୍ଠ ପଦକ୍ଷେପ ଆବଶ୍ୟକ ଥିଲା। ସେହି ସମୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏତେ ତଳକୁ ଖସିଯାଇଥିଲା ଯେ ସେଥିରେ କେବଳ ଦୁଇ ସପ୍ତାହର ଆମଦାନି ଆବଶ୍ୟକତା ପୂରଣ ହୋଇପାରିଥାନ୍ତା।

ସମ୍ବନ୍ଧିତ ଖବର