ନୂଆ ଉଦ୍ୟୋଗୀଙ୍କୁ ନାରାୟଣମୂର୍ତ୍ତିଙ୍କ ସଫଳତା ମନ୍ତ୍ର: ନିଜ ସ୍ବାର୍ଥକୁ ପଛରେ ରଖି କଂପାନି କଥା ଆଗ ଚିନ୍ତା କର

ବିଫଳତାରୁ ଶୀଘ୍ର ଶିକ୍ଷା ଲାଭ କରିବାକୁ ହେବ, ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବାକୁ ପଡ଼ିବ

ନୂଆଦିଲ୍ଲୀ: ଛଅ ଜଣ ସହ ପ୍ରତିଷ୍ଠାତାଙ୍କ ସହ ମିଶି ଇନ୍‌ଫୋସିସ୍‌କୁ ସ୍ଥାପନ କରିବା ଏବଂ ସେଠାରେ ଦୀର୍ଘବର୍ଷ କାର୍ଯ୍ୟ କରିବା ବେଳେ ଯେଉଁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମିଳିଥିଲା ତାହାକୁ ନୂଆ ପିଢ଼ିର ଉଦ୍ୟୋଗୀଙ୍କ ସହ ବାଣ୍ଟିଛନ୍ତି କଂପାନିର ଅନ୍ୟତମ ସହ ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତି। ‘ଷ୍ଟାର୍ଟଅପ୍ କମ୍ପାସ୍‌’ ନାମକ ଏକ ପୁସ୍ତକର ମୁଖବନ୍ଧରେ ସେ ନିଜ ଉଦ୍ୟୋଗୀ ଜୀବନର ୯ଟି ଗୁରୁତ୍ବପୂର୍ଣ୍ଣ ଶିକ୍ଷା ବିଷୟରେ ବର୍ଣ୍ଣନା କରିଛନ୍ତି। ବ୍ୟବସାୟରେ କିଭଳି ସଫଳ ହେବାକୁ ପଡ଼ିବ ତାହା ସେ ନୂଆ ଉଦ୍ୟୋଗୀମାନଙ୍କ ସହ ବାଣ୍ଟିଛନ୍ତି। ବହୁ କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ଆଜି ବି ନାରାୟଣମୂର୍ତ୍ତି ବିମାନର ଇକୋନମି କ୍ଲାସ୍‌ରେ ଯାତ୍ରା କରୁଛନ୍ତି ଏବଂ ସହ ପ୍ରତିଷ୍ଠାତାଙ୍କ ‌ସହ ସୃଷ୍ଟି ହେଉଥିବା ମତଭେଦ ବିଷୟରେ ନିଜ ପତ୍ନୀ ସୁଧା ମୂର୍ତ୍ତିଙ୍କ ସହ ଆଲୋଚନା କରୁଛନ୍ତି।

ନାରାୟଣମୂର୍ତ୍ତି ଜଣାଇଛନ୍ତି ଯେ ତାଙ୍କୁ ମିଳିଥିବା ପ୍ରଥମ ଶିକ୍ଷା ଥିଲା ମୂଲ୍ୟବୋଧକୁ ଗୁରୁତ୍ବଦେବା ଓ ତାହାକୁ ସବୁ କ୍ଷେତ୍ରରେ ପାଳନ କରିବା। ଜଣେ ଉଦ୍ୟୋଗୀଙ୍କ ସଂକଳ୍ପର ମୂଳଦୁଆ ହେଉଛି ମୂଲ୍ୟବୋଧ। ପ୍ରତିଟି ନିଷ୍ପତ୍ତିରେ ନିଜ ସ୍ବାର୍ଥକୁ ପଛରେ ରଖି ଆଗ କଂପାନି ବିଷୟରେ ଚିନ୍ତା କରିବାକୁ ପଡ଼ିବ ବୋଲି ସେ ଜଣାଇଛନ୍ତି। ସେ କହିଛନ୍ତି ଯେ ବିଫଳତା ହେଉଛି ଉଦ୍ୟୋଗୀଙ୍କ ଯାତ୍ରାର ଏକ ଅଂଶ। ଯେଉଁମାନେ ବିଫଳତାର କାରଣ ଯେତେ ଶୀଘ୍ର ଖୋଜିପାରିବେ ସେମାନେ ଆଗକୁ ବଢ଼ିପାରିବେ। କୌଣସି ପ୍ରକଳ୍ପ କାହିଁକି ବିଫଳ ହେଲା ତାହା ଜାଣିବା ପରେ ସେହି ଭୁଲ ଆଉଥରେ ନକରିବାକୁ ଚେଷ୍ଟା କରିବେ। ନିଜ ସଂସ୍ଥା ସାମ୍ନା କରିବାକୁ ଥିବା ପ୍ରକୃତ ସମସ୍ୟାକୁ ଆଗୁଆ ଚିହ୍ନଟ କରିବା ହେଉଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ କଳା। ସମ୍ଭାବ୍ୟ ସମସ୍ୟାର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ଉଦ୍ୟୋଗୀଙ୍କ ଯାତ୍ରାରେ ଭାଗ୍ୟ ମଧ୍ୟ ବଡ଼ ଭୂମିକା ନିର୍ବାହ କରିଥାଏ ବୋଲି ନାରାୟଣମୂର୍ତ୍ତି ଜଣାଇଛନ୍ତି। ବଜାର‌ର ପ୍ରତିଯୋଗିତା ମଧ୍ୟ ଉଦ୍ୟୋଗୀଙ୍କୁ ବଡ଼ ଶିକ୍ଷା ଦେଇଥାଏ। କିଭଳି କର୍ମଚାରୀ ଓ ଗ୍ରାହକଙ୍କୁ ନିଜ ପାଖରେ ରଖିହେବ ତାହା ବଜାର ପ୍ରତିଦ୍ବନ୍ଦ୍ବିତା ଶିଖାଇଥାଏ।

‌ଉଦ୍ୟୋଗୀମାନଙ୍କୁ ସର୍ବଦା ନେତୃତ୍ବ ଦକ୍ଷତାର ଉଦାହରଣ ସୃଷ୍ଟି କରିବାକୁ ପଡ଼ିବ। କହିଥିବା କଥା ରଖିବାକୁ ହେବ। ତାହା‌ ହେଲେ ନିଜ ଟିମ୍‌ ପାଇଁ ସେ ଜଣେ ବିଶ୍ବାସଯୋଗ୍ୟ ଅଗ୍ରଦୂତ ହୋଇପାରିବେ ବୋଲି ନାରାୟଣମୂର୍ତ୍ତି କହିଛନ୍ତି। ତାହାର ଉଦାହରଣ ଦେଇ ସେ କହିଛନ୍ତି ଯେ ମୁଁ ସବୁଦିନ ସକାଳ ୬ଟା ୨୦ ମିନିଟ୍‌ରେ ଅଫିସରେ ପହଞ୍ଚିଯାଏ। ୨୦୧୧ରେ ଅବସର ନେବା ପର୍ଯ୍ୟନ୍ତ ମୁଁ ସେହି ଅଭ୍ୟାସ ରଖିଥିଲି। ଏବେବି ଇକୋନମି କ୍ଲାସ୍‌ ବିମାନ ଯାତ୍ରା କରୁଛି। ଏହା ଯୁବ କର୍ମଚାରୀଙ୍କୁ ଠିକ୍ ସମୟରେ ଅଫିସ ପହଂଚିବାର ଗୁରୁତ୍ବକୁ ଜାଣିବାର ସୁଯୋଗ ପ୍ରଦାନ କରିଥାଏ। ନାରାୟଣମୂର୍ତ୍ତି ଏହା ମଧ୍ୟ କହିଛନ୍ତି ଯେ ନିଜ ଟିମ୍‌ର ଉତ୍ସାହ ଓ ବିଶ୍ବାସକୁ ବଜାୟ ରଖିବାକୁ ପଡ଼ିବ। ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କଂପାନିରେ ଗୋଟିଏ ସମୟରେ ଜଣେ ଲିଡର୍ ରହିବେ। କମିଟି ଦ୍ବାରା କଂପାନି ଚାଲିପାରିବ ନାହିଁ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର