ବିଦେଶ ଯାଇପାରିବେନି ନରେଶ ଗୋଏଲ

୧୮ ହଜାର କୋଟି ଜମାକଲେ ମିଳିବ ଅନୁମତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ଗତ ଏପ୍ରିଲ ମାସରୁ ବନ୍ଦ ହୋଇଯାଇଥିବା ଜେଟ୍ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ଝଟ୍‌କା ଲାଗିଛି। ତାଙ୍କୁ ବିଦେଶ ଯିବାକୁ ମନା କରିଦେଇଛନ୍ତି। ତେବେ ତାଙ୍କ ବିଦେଶ ଯାତ୍ରା ଅନୁମତି ପାଇଁ ଏକ ଅଦାଲତ ଏକ ସର୍ତ ରଖିଛନ୍ତି। ତାହାହେଲା କମ୍ପାନିକୁ ଋଣ ପ୍ରଦାନ କରିଥିବା ସଂସ୍ଥା ଗୁଡ଼ିକ ପାଇଁ ପ୍ରଥମେ ସେ ୧୮ ହଜାର କୋଟି ଟଙ୍କା ଜମା କରିଲେ ବା ବ୍ୟାଙ୍କ ଗ୍ୟାରେଣ୍ଟି ଦେଲେ ତାଙ୍କୁ ବିଦେଶ ଯିବା ଅନୁମତି ମିଳିବ ବୋଲି ଅଦାଲତ କହିଛନ୍ତି। ତେବେ ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ୍ ସର୍କୁଲାର (ଏଲଓସି)କୁ ବିରୋଧ କରି ସେ କରିଥିବା ଆବେଦନ ଉପରେ ହାଇକୋର୍ଟ କେନ୍ଦ୍ରଠାରୁ ଜବାବ ତଲବ କରିଛନ୍ତି। ଏଲଓସିକୁ ବିରୋଧ କରି ‌ଗୋଏଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ତାଙ୍କ ବିରୋଧରେ କୌଣସି ଇସିଆଇଆର/ଏଫଆଇଆର ରୁଜୁ ହୋଇ ନଥିବାବେଳେ ତାଙ୍କୁ ଗତ ମେ ମାସ ୨୫ ତାରିଖରେ ଦୁବାଇ ଯାତ୍ରା କରୁଥିବା ବିମାନ ଭିତରୁ ବାହାରକୁ ଅଣାଯାଇଥିଲା। ସେହି ସମୟରେ ତାଙ୍କ ନାମରେ ଏଲଓସି ଜାରି ହୋଇଛି ବୋଲି ସେ ଜାଣିବାକୁ ପାଇଥିଲେ। ଗୋଏଲଙ୍କ ସହିତ ପତ୍ନୀ ଅନିତାଙ୍କୁ ମଧ୍ୟ ବିମାନରୁ ବାହାର କରି ଦିଆଯାଇଥିଲା। ଦୁବାଇ ଦେଇ ଲଣ୍ଡନ ଯିବାର ଯୋଜନା ଗୋଏଲ ଦମ୍ପତିଙ୍କର ରହିଥିଲା। ତେବେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ, କମ୍ପାନି ବ୍ୟାପାର ମନ୍ତ୍ରାଳୟ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରାଳୟକୁ ନୋଟିସ ଜାରି କରିଛି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ହେବ।

ସମ୍ବନ୍ଧିତ ଖବର