ଭୁବନେଶ୍ବର: କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର ସଞ୍ଚାର ସାଥୀ ମୋବାଇଲ୍‌ ଆପ୍‌କୁ ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଜାତୀୟ ବ୍ରଡ୍‌ବ୍ୟାଣ୍ଡ୍‌ ମିସନ ୨.୦ ଏବଂ ‘ଡିଜିଟାଲ୍ ଭାରତ ନିଧି’ ପାଣ୍ଠିରେ ବିକାଶ କରାଯାଇଥିବା ୪ଜି ମୋବାଇଲ୍‌ ସାଇଟ୍‌ଗୁଡ଼ିକ ପାଇଁ ଇଣ୍ଟ୍ରା ସର୍କଲ୍ ରୋମିଂ ସେବା ମଧ୍ୟ ଘୋଷଣା କରିଛନ୍ତି। ସିପିଏମ୍‌ଜି, ଭୁବନେଶ୍ବରରେ ଅତିରିକ୍ତ ଡିଜି ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଏହାକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଞ୍ଚାର ସାଥୀ ମୋବାଇଲ୍‌ ଆପ୍ ଜରିଆରେ ସହଜରେ ନକଲି ଓ ଜାଲ୍‌ କଲ୍‌ ଓ ବାର୍ତ୍ତାଗୁଡ଼ିକୁ ଅଟକାଇ ହେବ। ଆପ୍‌ ଜରିଆରେ ଲୋକମାନେ କଲ୍‌ ଲିଷ୍ଟ୍‌ରୁ ସିଧାସଳଖ ସେହି ନମ୍ବର ବିଷୟରେ ସୂଚନା ଦେଇପାରିବେ। ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି। ସଞ୍ଚାର ସାଥୀ ଆପ୍ ଜରିଆରେ ନିଜ ନାମରେ ଥିବା ମୋବାଇଲ୍‌ ସଂଯୋଗ ସଂଖ୍ୟା, ବ୍ଲକ୍ କରିବା, ହଜିଥିବା ମୋବାଇଲ୍‌କୁ ଠାବ କରିବା ଭଳି ସୁବିଧା ମିଳିବ। 

Advertisment

ଜାତୀୟ ବ୍ରଡ୍‌ବ୍ୟାଣ୍ଡ୍ ମିସନ ୨.୦ରେ ୨୦୩୦ ସୁଦ୍ଧା ସମସ୍ତଙ୍କ ପାଖରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌ ପହଞ୍ଚାଇବାକୁ ସରକାର ଯୋଜନା ରଖିଛନ୍ତି। ଏହି ସମୟ ଭିତରେ ୨.୭୦ ଲକ୍ଷ ଗାଁ, ୯୦ ପ୍ରତିଶତ ସ୍କୁଲ୍, ଜନ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ଓ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ରଡ୍‌ବ୍ୟାଣ୍ଡ୍‌ ପହଞ୍ଚିବ। ବ୍ରଡ୍‌ବ୍ୟାଣ୍ଡ୍‌ର ସର୍ବନିମ୍ନ ସ୍ପିଡ୍‌ ୧୦୦ ଏମ୍‌ବିପିଏସ୍‌କୁ ବୃଦ୍ଧି ପାଇବ। ଗ୍ରାମୀଣ ଇଣ୍ଟରନେଟ୍‌ ଉପଭୋକ୍ତା ହାର ୬୦ ପ୍ରତିଶତକୁ ବୃଦ୍ଧି ପାଇବ। ଏଥି ସହିତ ୩୦% ମୋବାଇଲ୍‌ ଟାୱାରକୁ ଅକ୍ଷୟ ଶକ୍ତି ସହଯୋଗ ପ୍ରଦାନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ସେହିପରି, ଇଣ୍ଟ୍ରା ସର୍କଲ୍‌ ରୋମିଂ ବ୍ୟବସ୍ଥାରେ କୌଣସି ଏକ ସ୍ଥାନରେ କେବଳ ଗୋଟିଏ ସଂସ୍ଥାର ନେଟ୍‌ୱର୍କ ରହିଥିଲେ, ସେଥିରେ ସବୁ ସଂସ୍ଥାର ମୋବାଇଲ୍‌ ଫୋନ୍ ଚାଲିପାରିବ। ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାହା ବେଶ୍ ଉପାଦେୟ ସାବ୍ୟସ୍ତ ହେବ। ଏହି ଅବସରରେ ଅତିରିକ୍ତ ଡିଜି (ଟେଲିକମ୍) ଏମ୍ ମୂରଲୀକ୍ରିଷ୍ଣ, କଣ୍ଟ୍ରୋଲର ଅଫ୍ କମ୍ୟୁନିକେସନ୍ ଆଣ୍ଡ୍‌ ଆକାଉଣ୍ଟ୍‌ର ମୁଖ୍ୟ ବିନୋଦ କୁମାର, ୱାୟରଲେସ୍‌ ମନିଟରିଂ ମୁଖ୍ୟ ଏ କେ ଗୁରୁଜୀ, ଏୟାରଟେଲ୍‌ର ନୋଡାଲ୍ ଅଫିସର ସୁଧାଂଶୁ ଦାଶ, ଜିଓର ‌ଶେଖ ସିରାଜୁଦ୍ଦିନ, ବିଏସ୍‌ଏନ୍‌ଏଲ୍‌ର ରଞ୍ଜନ ପୃଷ୍ଟି ଓ ଭୋଡାଫୋନ୍ ଆଇଡିଆର ମନୋଜ କୁମାର ସାହୁ ଉପସ୍ଥିତ ଥିଲେ।