ଭୁବନେଶ୍ବର: ବର୍ତ୍ତମାନ ପ୍ରାୟ ସବୁ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ ହେଉଛି। ବହୁ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ରହିଛି। ଷ୍ଟକ ବଜାରରେ ଅଧିକ ଲୋକ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଭଳି ଏକ ସମୟରେ ସବୁ ସୂଚନା ଓ ତଥ୍ୟ ଲୋକମାନଙ୍କ ହାତପାଆନ୍ତାରେ ଯେଭଳି ପହଞ୍ଚିପାରିବ ସେଦିଗରେ କାର୍ଯ୍ୟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହ୍ବାନ ଦେଇଛନ୍ତି। ଆଜି ଭୁବନେଶ୍ବରଠାରେ ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆୟୋଜିତ ତିନି ଦିନିଆ ଜାତୀୟ ସିଏ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଡିଜିଟାଲ୍‌ ଦୁନିଆରେ ଲୋକମାନଙ୍କ ଭିତରେ ଆର୍ଥିକ ସାକ୍ଷରତା ବଢ଼ାଇବା ଜରୁରୀ ହୋଇପଡ଼ିଛି। ଏହି କାର୍ଯ୍ୟରେ ସହଯୋଗ କରିବାକୁ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କ ସହଯୋଗ ଲୋଡ଼ିଛନ୍ତି।

Advertisment

କେନ୍ଦ୍ର ଓଡ଼ିଶାକୁ ଦେଲାଣି ୧୮ ଲକ୍ଷ କୋଟି: ଧର୍ମେନ୍ଦ୍ର

publive-image

‌ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିଶ୍ବସ୍ତରରେ କାର୍ବନ ଆକାଉଣ୍ଟିଂ, ଇଏସ୍‌ଜି ଓ ସିଏସ୍‌ଆର୍‌ ଆକାଉଣ୍ଟିଂ ଆଦିରେ ବହୁ କାମ ହେଉଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନେ ସେଗୁଡ଼ିକୁ ଜାଣିବା ଦରକାର। ସିଏମାନେ ସେଭଳି କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ ଯାହା ଦ୍ବାରା ଉତ୍ପାଦକତା ବୃଦ୍ଧି ପାଇବ। ସେମାନେ ବିଶ୍ବରେ ନେତୃତ୍ବ ନିଅନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଥିବା ସେ କହିଛନ୍ତି। ଆଇସିଏଆଇ ପକ୍ଷରୁ ଅଷ୍ଟ୍ରେଲିଆ, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ୍‌, ୟୁଏଇ ଭଳି ଦେଶର ଆକାଉଣ୍ଟିଂ ସଂସ୍ଥା ସହ ବୁଝାମଣାପତ୍ର (ଏସମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ଦେଶର ସିଏମାନଙ୍କ ଲାଗି ତାହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କେନ୍ଦ୍ରରେ ଥିବା ପୂର୍ବ ସରକାରଙ୍କ ଅମଳରେ ୨୦୦୪ରୁ ୨୦୧୪ ମଧ୍ୟରେ ବିଭିନ୍ନ ବିଷୟ ବାବଦକୁ ୩ ଲକ୍ଷ କୋଟି ଟଙ୍କାର ପାଣ୍ଠି ଦିଆଯାଇଥିଲା। ମାତ୍ର ମୋଦୀ ସରକାରଙ୍କ ଅମଳରେ ୨୦୧୪ ପରଠାରୁ ଓଡ଼ିଶାକୁ କେନ୍ଦ୍ର ସରକାର ୧୮ ଲକ୍ଷ କୋଟି ଟଙ୍କା ଦେଇସାରିଲେଣି। ୨୦୧୪ରେ ଓଡ଼ିଶାର ଖଣି ରାଜସ୍ବ ୫୦୦୦ କୋଟି ଟଙ୍କା ଥିଲା। ଗତବର୍ଷ ତାହା ୪୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ସେହି ସମୟରେ ୧ ଲକ୍ଷରୁ ଅଧିକ ହୋଇପାରିଛି। ଷ୍ଟାର୍ଟଅପ୍‌ମାନଙ୍କୁ ସହଯୋଗ କରିବା ଲାଗି ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କୁ ଆହ୍ବାନ ଦେଇଛନ୍ତି। ଗତ ୯ ବର୍ଷ ମଧ୍ୟରେ ଦେଶରେ ୪ କୋଟି ଘର ତିଆରି କରାଯାଇଥିବା ବେଳେ ଆଉ ୨ କୋଟି ଘର ନିର୍ମାଣ କରାଯିବାର ଯୋଜନା ରହିଛି। ଦେଶରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ସରକାର ଯୋଜନା ରଖିଥିବା ସେ କହିଛନ୍ତି। ଆସନ୍ତା ୩-୪ ବର୍ଷରେ ଭାରତ ବିଶ୍ବର ତୃତୀୟ ବୃହତ ମହାଶକ୍ତି ଭାବେ ଉଭା ହେବ ବୋଲି ମଧ୍ୟ ସେ କହିଛନ୍ତି।

ଆଇସିଏଆଇର ସଭାପତି ଅନିକେତ ସୁନିଲ ତଲାତି କହିଛନ୍ତି ଦେଶରେ ୪ ଲକ୍ଷ ସିଏ ପ୍ରଫେସନାଲ୍ ଥିବା ବେଳେ ୮ ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଓ ଯୋଗାଯୋଗ ଦକ୍ଷତା ତାଲିମ ପ୍ରଦାନ କରିବା ଲାଗି ୧୦ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। ସେଥିରୁ ଗୋଟିଏ ଓଡ଼ିଶାରେ ସ୍ଥାପନ ହେବା ନେଇ ସେ ଆଶା ପ୍ରକଟ କରିଛନ୍ତି। ଆଇସିଏଆଇର ଉପସଭାପତି ରଣଜିତ୍‌ କୁମାର ଅଗ୍ରୱାଲ କହିଛନ୍ତି ଯେ ସିଏମାନଙ୍କ ଲାଗି ପୂର୍ବରୁ ସ୍ବତନ୍ତ୍ର ପରିଚୟ ନମ୍ବର (ୟୁଆଇଡି) ଉପରେ କାମ ହୋଇଥିଲା। ଆଗକୁ ସେମାନଙ୍କ ବିଭିନ୍ନ ସେବାର କୋଡିଫିକେସନ୍ ହେବ। ଏହି ଅବସରରେ ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ରାଜୀବ ଶେଖର ସାହୁ ଅର୍ଥନୈତିକ ପ୍ରଗତିରେ ସିଏମାନେ ନିର୍ବାହ କରୁଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏକ ସ୍ମରଣିକା ଓ ଟେଲିଫୋନ୍ ଡିରେକ୍ଟୋରି ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଆଇସିଏଆଇ ଭୁବନେଶ୍ବର ଶାଖାର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ସମ୍ପାଦକ ମହେନ୍ଦ୍ର ସାହୁ ଓ ସାରା ଓଡ଼ିଶାରୁ ଆସିଥିବା ବହୁ ସଂଖ୍ୟାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଉପସ୍ଥିତ ଥିଲେ।