ଯୁବକଙ୍କ ଦକ୍ଷତା ଚାବି ‘ସିଏ’ଙ୍କ ହାତରେ

ଜାତୀୟ ସିଏ ସମ୍ମିଳନୀ-୨୦୧୮ ଉଦ୍‌ଯାପିତ

ଭୁବନେଶ୍ୱର: ବିଶ୍ୱ ଅର୍ଥନୀତିରେ ପ୍ରଯୁକ୍ତିଗତ ପରିବର୍ତନ ଦ୍ରୁତ ଗତିରେ ଘଟୁଛି। କମ୍‌ ସମୟ ମଧ୍ୟରେ ନୂଆ ନୂଆ ପ୍ରଯୁକ୍ତିଯୁକ୍ତ ସାମଗ୍ରୀ ବଜାରକୁ ଆସୁଛି। ଏଭଳି ପରିବର୍ତନଶୀଳ ଅର୍ଥନୀତିରେ ଯୁବକମାନଙ୍କୁ ନିଯୁକ୍ତିଯୋଗ୍ୟ କରି ରଖିବା ଏକ ବଡ଼ ଚାଲେଞ୍ଜଭାବେ ଉଭା ହୋଇଛି। ବିଶେଷକରି ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଲଟିଯାଇଛି। ଭାରତରେ ୪୮ କୋଟି ଲୋକ ୧୫ରୁ ୫୯ ବର୍ଷର। ଏମାନେ ଅର୍ଥନୀତିର ଭାର ଉଠାଉଛନ୍ତି। ଏଥିସହିତ ପ୍ରତିବର୍ଷ ଶ୍ରମ ବଜାରକୁ ୨ କୋଟି ୪୦ ଲକ୍ଷ ଯୁବକଯୁବତୀ ପ୍ରବେଶ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କ ଦକ୍ଷତା ବିକାଶ କରିବାର ଆବଶ୍ୟକତା ରହିଛି। ବଜାରରେ କମ୍ପାନି ଗୁଡ଼ିକ ପାଇଁ ଉପଯୁକ୍ତ ଦକ୍ଷତା ନଥିବା ଲୋକ ମିଳୁନାହାନ୍ତି। ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ)ମାନେ ପ୍ରତ୍ୟେକ ଶିଳ୍ପ ଏବଂ ଉଦ୍ୟୋଗ ସହିତ ଜଡ଼ିତ ଥାନ୍ତି। ସେମାନେ ହେଉଛନ୍ତି ଅର୍ଥନୀତିର ଡାକ୍ତର। ତେଣୁ ସେମାନେ ଚାହିଁଲେ କମ୍ପାନି ଓ ଉଦ୍ୟୋଗୀମାନଙ୍କୁ ପ୍ରବର୍ତ୍ତାଇ ଯୁବବର୍ଗର ଦକ୍ଷତା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ତେଣୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ହାତରେ ଯୁବବର୍ଗର ଦକ୍ଷତା ବିକାଶ ଚାବି ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ହୋଟେଲ ମେ’ ଫେୟାରଠାରେ ଅନୁଷ୍ଠିତ ଦୁଇ ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏଥିସହିତ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ଧାମରା, ପାରାଦୀପ ଏବଂ ଗୋପାଳପୁର ବନ୍ଦର ଏବେ ରହିଛି। ଆଗାମୀ ଦିନରେ ସୁବର୍ଣ୍ଣରେଖା ଏବଂ ଅସ୍ତରଙ୍ଗରେ ବନ୍ଦ ସ୍ଥାପନ ହେବାକୁ ଯାଉଛି। ଏସବୁ ବନ୍ଦର ସବୁ ପୂର୍ବ ଭାରତ ପାଇଁ ଆର୍ଥିକ ବିକାଶର ପ୍ରବେଶ ପଥ ହେବ। କେନ୍ଦ୍ର ସରକାର ଏବଂ ସରକାରୀ ଉଦ୍ୟୋଗ ଗୁଡ଼ିକ ରାଜ୍ୟରେ ୩ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି। ସେ କହିଛନ୍ତି ବିଶ୍ୱରେ ପ୍ରଗତିର ଚକ୍ର ବୁଲୁଛି। ଆଜି ସିଙ୍ଗାପୁର, ଦୁବାଇ ଯାହା ଦେଖାଯାଉଛି କିଛି ବର୍ଷ ପୂର୍ବେ ତାହା ନଥିଲା। ତେଣୁ ପୂର୍ବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ବିକାଶର ଚକ ଆଗାମୀ ଦିନରେ ଅଟକିବ। ତେଣୁ ଯୁବବର୍ଗର ଦକ୍ଷତା ବିକାଶ ଏବଂ ସମସ୍ତଙ୍କ ସହଯୋଗରେ ଓଡ଼ିଶା ସିଙ୍ଗାପୁର ଏବଂ ଦୁବାଇ ଭଳି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିମୁଦ୍ରାକରଣ, ଜିଏସ୍‌ଟି ଏବଂ ଆଇବିସି ଭଳି ଅର୍ଥନୀତିର ତିନୋଟି ଗୁରୁତ୍ୱପୂର୍ଣ୍ଣ ସଂସ୍କାରରେ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଭୂମିକାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆଇ ପିଡିସି ଅଧ୍ୟକ୍ଷ ସିଏ ରଞ୍ଜିତ କୁମାର ଅଗ୍ରଓ୍ଵାଲ, ସମ୍ମିଳନୀ ଆୟୋଜନ କମିଟି ଅଧ୍ୟକ୍ଷ ଅଶ୍ୱିନୀ କୁମାର କର, ସମ୍ମିଳନୀ ଆୟୋଜନ କମିଟିର ସହ-ଅଧ୍ୟକ୍ଷ ସିଏ ପାର୍ଥ ସାରଥୀ ମିଶ୍ର, ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଚିରଞ୍ଜିବୀ ଜେନା ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଶେଷରେ ଭୁବନେଶ୍ୱର ଶାଖା ସମ୍ପାଦକ ସିଏ ସିଦ୍ଧାର୍ଥ ରଞ୍ଜନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର