ଜାତୀୟ ଲଜିଷ୍ଟିକ୍ସ ନୀତି ଆସିଲା, ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି। ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୀତିର ଶୁଭାରମ୍ଭ କରିଛନ୍ତି। ବିନା ବାଧାରେ ସାମଗ୍ରୀ ପରିବହନ ଯେଭଳି ହୋଇପାରିବ ଏବଂ ଏକ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ପାଇବ ତାହାକୁ ନୂଆ ନୀତିରେ ଧ୍ୟାନ ଦିଆଯାଇଛି। ବିଶେଷକରି ରି-ଇଞ୍ଜିନିୟରିଂ, ଡିଜିଟାଇଜେସନ ଏବଂ ବିବିଧ ଉପାୟରେ ପରିବହନ ଉପରେ ଏଥିରେ ପ୍ରାଧାନ୍ୟ ଦିଆଯାଇଛି।

କରୋନା ମହାମାରୀ ଦ୍ବାରା ଦୁଇବର୍ଷ ଧରି ଦେଶରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ନୂଆ ନୀତି ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବ। ଏଥିସହିତ ଇନ୍ଧନ ଖର୍ଚ୍ଚ ହ୍ରାସ ଏବଂ ପରିବହନ ଖର୍ଚ୍ଚ କିଭଳି ହ୍ରାସ ପାଇବ ତାହାର ଏକ ନକ୍ସା ଏଥିରୁ ମିଳିପାରିବ। ୫ ବର୍ଷ ମଧ୍ୟରେ ପରିବହନ ଖର୍ଚ୍ଚକୁ ୧୦ ପ୍ରତିଶତ ହ୍ରାସ ନେଇ ଏଥିରେ ଲକ୍ଷ୍ୟ ରଖାଯାଇଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ଲଜିଷ୍ଟିକ୍ସ କ୍ଷେତ୍ରର ଯୋଗଦାନ ୧୩ରୁ ୧୪ ପ୍ରତିଶତ ରହିଛି। ଉକ୍ତ ନୀତି ଦ୍ବାରା ଭାରତରେ ସାମଗ୍ରୀ ପରିବହନ କ୍ଷେତ୍ରରେ ପ୍ରତିଯୋଗିତା ବଢ଼ିବ, ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ ଏବଂ ନିଯୁକ୍ତି ସୁଯୋଗ ବ୍ୟାପକ ହେବ ବୋଲି ଆଶା ରଖାଯାଇଛି। କେନ୍ଦ୍ର ସରକାର ଗତ ୩ ବର୍ଷ ହେଲା ଏହି ନୀତି ଉପରେ କାର୍ଯ୍ୟ କରୁଥିଲେ। ୨୦୧୯ରେ ବାଣିଜ୍ୟ ମନ୍ତ୍ରାଳୟ ପରାମର୍ଶ ପାଇଁ ଲଜିଷ୍ଟିକ୍ସ ନୀତିର ଏକ ଚିଠାପ୍ରସ୍ତାବ ବିଚାରବିମର୍ଶ ପାଇଁ ଜାରି କରିଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏହା ବିଳମ୍ବ ହୋଇଗଲା। ଏହାପରେ ୨୦୨୨-୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣିଥରେ ଜାତୀୟ ଲଜିଷ୍ଟିକ୍ସ ନୀତି ଘୋଷଣଶ କରିଥିଲେ। ନୂଆ ନୀତି ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲଜିଷ୍ଟିକ୍ସ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ପ୍ରଯୁକ୍ତିର ବ୍ୟବହାର କରୁଛନ୍ତି। ସୀମା ଶୁଳ୍କରେ ଫେସଲେସ ଆକଳନ, ଇ‌-ୱେ ବିଲ୍ ଏବଂ ଫାସଟ୍ୟାଗ କାର୍ଯ୍ୟକାରୀ ହେବା ଦ୍ବାରା ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷତା ବଢ଼ିଛି। ସାଗରମାଳା ପ୍ରକଳ୍ପ ଏବଂ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଦ୍ବାରା ଲଜିଷ୍ଟିକ୍ସ କ୍ଷେତ୍ରରେ ଉନ୍ନତି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର