ନୂଆଦିଲ୍ଲୀ: ଜାତୀୟ ପୁଷ୍ଟିସାଧନ ମିସନ (ଏନ୍‌ଏନ୍‌ଏମ୍‌) ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ୨୦୧୭-୧୮ ଆର୍ଥିକବର୍ଷଠାରୁ ପର୍ଯ୍ୟାୟକ୍ରମେ ଏହି ଯୋଜନାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। ୩ ବର୍ଷରେ ଦେଶର ସବୁ ଜିଲ୍ଲା ଏଥିରେ ସାମିଲ ହେବେ। ୨୦୧୭-୧୮ରେ ୩୧୫ ଜିଲ୍ଲା, ୨୦୧୮-୧୯ରେ ୨୩୫ ଜିଲ୍ଲା ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ଅବଶିଷ୍ଟ ଜିଲ୍ଲା ଏହି ଯୋଜନାରେ ସାମିଲ ହେବେ। ଏହି ଯୋଜନାରେ ୧୦ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ୩ ବର୍ଷରେ ଏହି ଯୋଜନାରେ ୯୦୪୬.୧୭ କୋଟି ଟଙ୍କା ବ୍ୟୟ କରାଯିବ। ଏହି ମିସନ ପ୍ରତିଷ୍ଠାକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି।
ଶିଶୁମାନଙ୍କ ଅପପୁଷ୍ଟି, କମ୍‌ ଓଜନର ଶିଶୁ ଜନ୍ମ ହେବା ଆଦିକୁ ରୋକିବା ଲାଗି ଏହି ମିସନ କାର୍ଯ୍ୟ କରିବ। ପ୍ରତିବର୍ଷ ଅପପୁଷ୍ଟି ଏବଂ କମ୍‌ ଓଜନର ଶିଶୁ ଜନ୍ମ ହାରକୁ ୨ ପ୍ରତିଶତ ଲେଖାଏଁ କମାଇବା ଲାଗି ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଏନ୍‌ଏନ୍‌ଏମ୍‌ ଏକ ଶୀର୍ଷ ସଂସ୍ଥା ଭାବେ ମନ୍ତ୍ରଣାଳୟଗୁଡ଼ିକର ପୁଷ୍ଟିସାଧନ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ତଦାରଖ କରିବ। ଏଥିସହିତ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ମାର୍ଗଦର୍ଶନ ମଧ୍ୟ କରିବ। ଏହି ଯୋଜନାରେ ଲକ୍ଷ୍ୟ ହାସଲ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ସୂଚନା ପ୍ରଯୁକ୍ତି ଆଧାରିତ ଉପକରଣ ପ୍ରୟୋଗ ନିମନ୍ତେ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରୋତ୍ସାହନ ଦିଆଯିବ।