ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ପ୍ରଚଳିତ। ସେଥିପାଇଁ ଆମ ଗାଁ ଗହଳିରେ କଥା କଥାରେ କହନ୍ତି, ପାଞ୍ଚଜଣ ଲୋକଙ୍କୁ ଯାହା ସୁନ୍ଦର ଲାଗିବ ତାହା ହିଁ କରିବା। ମହାଭାରତ କାଳର ପଞ୍ଚୁପାଣ୍ଡବଙ୍କୁ ଯଦି ଭିନ୍ନ ଦୃଷ୍ଟିରେ ବିଚାର କରିବା, ସେମାନେ ମଧ୍ୟ ଭିନ୍ନ ଭିନ୍ନ ଶାରୀରିକ ଓ ମାନସିକ ବ୍ୟକ୍ତିତ୍ୱ ବହନ କରୁଥିବା ପାଞ୍ଚଜଣ ଗାଁ ମୁଖିଆ, ଯେଉଁମାନେ ତାଙ୍କ ନେତୃତ୍ୱ ନେଉଥିବା ବରିଷ୍ଠ ଯୁଧିଷ୍ଠିରଙ୍କ ସମସ୍ତ ନିଷ୍ପତ୍ତିକୁ ମୁଣ୍ଡପାତି ଗ୍ରହଣ କରିଛନ୍ତି । ତାହା ମଧ୍ୟ ଏକ ପଞ୍ଚାୟତ। ଏଣୁ ପଞ୍ଚାୟତ ବ୍ୟବସ୍ଥା ଆମ ସମାଜରେ କେଉଁ କାଳରୁ ପ୍ରଚଳିତ । ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ ମସିହାରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ୧୯୫୭ ମସିହାରେ ତତ୍କାଳୀନ ସାଂସଦ ବଳବନ୍ତରାଓ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ହେଲା। ୧୯୫୯ମସିହା ଅକ୍ଟୋବର ୨ତାରିଖରେ ରାଜସ୍ଥାନର ନାଗୌରଠାରେ ଏହା ଉଦ୍ଘାଟିତ ହୋଇଥିଲା। ଅନେକ ସଂଶୋଧନ ଓ ପରୀକ୍ଷାନିରୀକ୍ଷା ପରେ ୧୯୯୨ ମସିହା ଏପ୍ରିଲ ୨୪ ତାରିଖରେ ସମ୍ବିଧାନର ୭୩ତମ ସଂଶୋଧନ ବଳରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲା। ଏହି ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଲା। ସେଥିପାଇଁ ଏପ୍ରିଲ ୨୪କୁ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ରୂପେ ପାଳନ କରାଯାଉଛି। ଏହି ସଂଶୋଧନ ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ୨୯ଟି ବିଷୟ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଆସିଲା।
ପଞ୍ଚାୟତିରାଜ ବ୍ୟବସ୍ଥା ଏକ ନିରବଚ୍ଛିନ୍ନ ନିରବ ଆନ୍ଦୋଳନ। ଲୋକଙ୍କ ଭିତରେ ଶୋଇ ପଡ଼ିଥିବା ଶକ୍ତି ଓ ସାମର୍ଥ୍ୟକୁ ଜାଗ୍ରତ ପାଇଁ ଯେଉଁ ସାର୍ଥକ ନେତୃତ୍ୱର ଆବଶ୍ୟକତା ଅଛି, ତାହା ଏହି ବ୍ୟବସ୍ଥା ମାଧ୍ୟମରେ ହିଁ ସମ୍ଭବ। ହେଲେ ଗତ ସରକାରରେ ସାମନ୍ତବାଦୀ ସ୍ତବପାଠ ଓ ଦରବାରୀ କୋଳାହଳରେ ପଞ୍ଚାୟତ ପ୍ରତିନିଧିମାନଙ୍କର ସ୍ୱର କ୍ଷୀଣ ଓ ଉପେକ୍ଷିତ ଥିଲା।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ ପରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ନୂଆ ଯୁଗର ଆରମ୍ଭ ହେଲା। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହେଲା। ଡବଲ ଇଞ୍ଜିନ୍ ସରକାରଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଦୀର୍ଘସ୍ଥାୟୀ ବହୁମୁଖୀ ପ୍ରକଳ୍ପ ମାଧ୍ୟମରେ ଭିତ୍ତିଭୂମିର ବିକାଶ ସହିତ ଗ୍ରାମାଞ୍ଚଳର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିକୁ ଆଧାର କରି ଗ୍ରାମ୍ୟ ସଂସ୍କୃତି, ପରମ୍ପରା ଓ ଚଳଣିର ସଂରକ୍ଷଣ ସହିତ ଏକ ସମୃଦ୍ଧ ଗାଁ ଗଠନର ମୂଳଦୁଆ ପଡ଼ିଲା।
ଏବେ ଗ୍ରାମବାସୀଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନାଗୁଡ଼ିକ ଗ୍ରାମସଭା ମାଧ୍ୟମରେ ଚୟନ ହେବ ଓ ପର୍ଯ୍ୟାୟକ୍ରମେ ବିଭିନ୍ନ ବୈଷୟିକ କମିଟି ଦ୍ୱାରା ଯାଞ୍ଚ ପରେ ସମ୍ପୃକ୍ତ ଜିଲ୍ଲାପାଳ ଅନୁମୋଦନ ନିମନ୍ତେ ବିଭାଗକୁ ସୁପାରିସ କରିବେ। ପୂର୍ବରୁ ପଞ୍ଚାୟତିରାଜ ବ୍ୟବସ୍ଥା ଥିଲା ଉପର ସ୍ତରରେ ବସିଥିବା କିଛି ବାବୁଙ୍କର ବିଳାସର ବ୍ୟାପାର। ଏଥିରେ ଗାଁରେ ଥିବା ମଳିମୁଣ୍ଡିଆ ଲୋକଙ୍କର କିଛି ଭୂମିକା ନଥିଲା। ଏବେ ଗାଁର ବିକାଶ ଖସଡ଼ା ଗାଁରେ ପ୍ରସ୍ତୁତ ହେବ ଏବଂ ପଞ୍ଚାୟତ ସମିତି ଆକାଉଣ୍ଟିଂ ପ୍ରକ୍ରିୟା ନିୟମାବଳୀ -୨୦୦୨ ଅନୁସାରେ ପ୍ରଶାସନିକ ଓ ବୈଷୟିକ ମଂଜୁରୀ ପ୍ରଦାନ କରାଯିବ। କେବଳ ପ୍ରକଳ୍ପ ନିର୍ମାଣ ନୁହେଁ, ତା’ର ତଦାରଖ ଓ ପର୍ଯ୍ୟବେକ୍ଷଣ ମଧ୍ୟ ସୁନିଶ୍ଚିତ କରାଯିବ।
ଗତ ସରକାରଙ୍କ କାଳକ୍ଷେପଣ ନୀତି ଯୋଗୁଁ ଆଦିବାସୀ ଭାଇଭଉଣୀମାନଙ୍କ ଜୀବନଜୀବିକା ସହିତ ଜଡ଼ିତ ପେସା ଆଇନ୍ କାର୍ଯ୍ୟକାରୀ ହୋଇପାରି ନଥିଲା। ଆମ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାକୁ ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହି ଅନୁସାରେ ରାଜ୍ୟର ୧୩ ଜିଲ୍ଲାର ୧୧୯ ବ୍ଲକ୍ର ୨୦୬୮ ପଞ୍ଚାୟତର ୧୯୪୯୮ଟି ଗାଁରେ ଗ୍ରାମସଭା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ତଥା ୧୧ଟି ଭିନ୍ନ ଭିନ୍ନ କମିଟି ଗଠନ କରାଯାଇ ଆଦିବାସୀ ଅଞ୍ଚଳର ବିକାଶ ନିମନ୍ତେ ଯୋଜନା ପ୍ରଣୟନ ଓ ତାର ତଦାରଖ କରିବାର ଖସଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ।ଏହା ପରେ ଆଦିବାସୀ ଅଞ୍ଚଳର ଗ୍ରାମସଭାଗୁଡ଼ିକ ସଶକ୍ତ ହେବ। ଅନ୍ତ୍ୟୋଦୟ ଗୃହଯୋଜନା ଆମ ସରକାରର ଏକ ବଡ଼ ଉପଲବ୍ଧି। ସମାଜରେ ବସବାସ କରୁଥିବା ବିଧବା, ଭିନ୍ନକ୍ଷମ, ନିଃସହାୟ, ଏଡ୍ସ ରୋଗାକ୍ରାନ୍ତ, ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡ଼ିତ, ବନ୍ୟଜନ୍ତୁ ଦ୍ୱାରା କ୍ଷତିଗ୍ରସ୍ତ, ସରକାରୀ ଯୋଜନା ପାଇଁ ବିସ୍ଥାପିତ ଅଧିବାସୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପକ୍କାଘର ଯୋଗାଇ ଦେବାପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପକ୍କାଘର ପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଗତ ସରକାର ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା କେବଳ ଯୋଜନା ପ୍ରଣୟନରେ ସୀମିତ ଥିଲା। ଆମ ସରକାର ଗ୍ରାମପଞ୍ଚାୟତ ବିକାଶ ଯୋଜନାକୁ ମିସନ୍ ବା ଅଭିଯାନ ଭାବରେ ଗ୍ରହଣ କରିଛନ୍ତି। ସେହିଭଳି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ଯୋଜନା ଅପାର ସମ୍ଭାବନାର ଅସରନ୍ତି ପସରା ନେଇ ଆସିଛି। ପ୍ରଧାନମନ୍ତ୍ରୀ ଅଭିଭାବକ ଭଳି ଆମ ପଛରେ ଦୃଢ଼ଭାବରେ ଠିଆ ହୋଇଛନ୍ତି। ଗାନ୍ଧିଜୀଙ୍କ ପରିକଳ୍ପିତ ଗ୍ରାମସ୍ୱରାଜର ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ସହଯୋଗର ହାତ ବଢ଼ାଇବେ ବୋଲି ଆମେ ଆଶାବାଦୀ।
ରବିନାରାୟଣ ନାଏକ
ମାନ୍ୟବର ମନ୍ତ୍ରୀ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ