ଜାତୀୟ ସୌର ଶକ୍ତି କନ୍‌କ୍ଲେଭ୍‌ ୨୦୨୦: ସୌର ଶକ୍ତିରେ ଚାଲିବ ହାତଘଣ୍ଟା, ଖେଳନା

ଆଇଆଇଟି ଭୁବନେଶ୍ବର ସହ ଯୋଡ଼ିହେବାକୁ ଅନ୍ତର୍ଜାତୀୟ ସୌର ମେଣ୍ଟ ଆଗ୍ରହୀ, ଏଆଇସି-ଏନ୍‌ଆଇଟିଏଫ୍‌ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର: ହାତଘଣ୍ଟା ଠାରୁ ଆରମ୍ଭ କରି ଖେଳନା, ସ୍ମାର୍ଟାଫୋନ୍ ଏବଂ ଗାଡ଼ି ଆଦି ସବୁ କିଛିରେ ସୌର ଶକ୍ତିକୁ ବ୍ୟବହାର କରାଯାଇପାରିବ। ବିଶ୍ବର ଅନେକ ସ୍ଥାନରେ ଏହାକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି। ସୌର ଶକ୍ତିକୁ ନେଇ ବିପୁଳ ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ (ଆଇଏସ୍‌ଏ)ର ମହାନିର୍ଦେଶକ ଉପେନ୍ଦ୍ର ତ୍ରିପାଠୀ କହିଛନ୍ତି। ଅଟଳ ଇନକୁବେସନ ସେଣ୍ଟର (ଏଆଇସି) ଓ ନାଳନ୍ଦା ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ (ଏନ୍‌ଆଇଟିଏଫ୍‌)ର ମିଳିତ ଉଦ୍ୟମରେ ଡିଜିଟାଲ୍ ମାଧ୍ୟମରେ ଆଜିଠାରୁ ଆରମ୍ଭ ହୋଇଥିବା ଜାତୀୟ ସୌର ଶକ୍ତି କନ୍‌କ୍ଲେଭ୍‌ ୨୦୨୦ରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଆଇଆଇଟି ଭୁବନେଶ୍ବର ସହ ଯୋଡ଼ି ହେବାକୁ ଏହି ଅବସରରେ ସେ ପ୍ରସ୍ତାବ ଦେଇଛନ୍ତି। ଆଇଆଇଏମ୍‌-ଅହମ୍ମଦାବାଦ ସହିତ ଯେଉଁ ଭଳି ସ୍କିମ୍ ଚାଲିଛି ସେହି ଢାଞ୍ଚାରେ ଆଇଆଇଟି ଭୁବନେଶ୍ବର ସହ ଆଇଏସ୍‌ଏ ଯୋଡ଼ି ହେବାକୁ ଚାହୁଛି। ପଚାଶ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବାକୁ ସେ ଆଇଆଇଟି ଭୁବନେଶ୍ବରକୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ମହେଶ୍ବର ସାହୁ କହିଛନ୍ତି ଯେ ସୌର ଶକ୍ତିରେ ସୂଚନା ପ୍ରଯୁକ୍ତିର ପ୍ରୟୋଗ ହେବା ନିହାତି ଜରୁରୀ। ଓଡ଼ିଶାର ଷ୍ଟାର୍ଟ-ଅପ୍ ପରିବେଶକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଓରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ନାଲ୍‌କୋ ସହଯୋଗରେ କରାଯାଇଥିବା ଏକ ପରୀକ୍ଷାମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ ଏବଂ ତାହାକୁ କିଭଳି ଜାପାନ ପକ୍ଷରୁ ସଫଳତାର ସହ ପ୍ରୟୋଗ କରାଯାଇଥିଲା ତାହା ଜଣାଇଥିଲେ।

କାର୍ଯ୍ୟକ୍ରମର ସଂଯୋଜନା କରି ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ଏକ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ କରିବା ଲାଗି ଚାରି ଏକର ଜମି ଦରକାର। ଜମି ଅଧିଗ୍ରହଣ ଯେଭଳି ସମସ୍ୟା ବହୁଳ ବ୍ୟାପାର ତାହାକୁ ନଜରରେ ରଖି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଏଆଇସି ଓ ଏନ୍‌ଆଇଟିଏଫ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଅନ୍ୟତମ ଅତିଥି ଭାବେ ଆଇଆଇଟି ଭୁବନେଶ୍ବରର ପ୍ରଫେସର ଡକ୍ଟର ସରୋଜ କୁମାର ନାୟକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର