ପ୍ରବାସୀ ଶ୍ରମିକଙ୍କ ପାଇଁ ଜାତୀୟ ସର୍ଭେ ହେବ, ଶ୍ରମିକଙ୍କ ସ୍ଥିତି ଜାଣିବାକୁ ଉଦ୍ୟମ କରାଯିବ
ନୂଆଦିଲ୍ଲୀ: ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ କରୋନା ମହାମାରୀର ପ୍ରଭାବ କିଭଳି ପଡ଼ିଛି ତାହା ଆକଳନ କରିବା ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ ସର୍ଭେ କରିବେ। ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଶ୍ରମ ବ୍ୟୁରୋ ଏହି ସର୍ଭେ କରିବ। ପ୍ରବାସୀ ଶ୍ରମିକମାନେ ବାହାରେ ରହି କାମ କରିବା ସହ ଘର ଚଳିବା ଲଗି ଗାଁକୁ ଟଙ୍କା ପଠାଉଥିଲେ। ଲକ୍ଡାଉନ୍ ପରେ ସେମାନେ ଘରକୁ ଫେରିଆସିଥିବାରୁ ସେମାନଙ୍କ ଜରିଆରେ ଗ୍ରାମୀଣ ଅର୍ଥନୀତିକୁ ଯେଉଁ ଟଙ୍କା ଆସୁଥିଲା ତାହା କିଭଳି ପ୍ରଭାବିତ ହୋଇଛି ବୋଲି ସରକାର ଜାଣିବାକୁ ଉଦ୍ୟମ କରିବେ। ସହରାଞ୍ଚଳରେ ଥିବା ବିପୁଳ ସଂଖ୍ୟାର ପ୍ରବାସୀ ଶ୍ରମିକ ନିଜ ଗାଁକୁ ଫେରିଯାଇଥିବାରୁ ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରର କାରବାର ପ୍ରଭାବିତ ହୋଇଛି। ତେଣୁ ଏଭଳି ସମସ୍ୟାର ସମାଧାନ ବାଟ ବାହାର କରିବା ଲାଗି ବାସ୍ତବ ସ୍ଥିତି କ’ଣ ରହିଥିଲା ତାହା ସରକାର ଜାଣିବାକୁ ଚାହୁଛନ୍ତି। ତାହା ଜଣାପଡ଼ିଲେ ସମାଧାନ ସୂତ୍ର ପ୍ରସ୍ତୁତ କରିବ ସହଜ ହେବ। ଯଦିଓ ଗାଁକୁ ଫେରିଥିବା ଲୋକମାନଙ୍କୁ କିିଛିଦିନ ପାଇଁ ଚାଷ କାର୍ଯ୍ୟରେ କାମ ମିଳିଛି, କିନ୍ତୁ ସେମାନେ ବାହାରୁ ଯେଉଁ ଟଙ୍କା ପଠାଉଥିଲେ ତାହା ସହ ଏହା ସମାନ ହୋଇପାରିବ ନାହିଁ। ସେ କ୍ଷେତ୍ରରେ ଗ୍ରାମୀଣ ଅର୍ଥନୀତିକୁ ଯେଉଁ କ୍ଷତି ହୋଇଛି ତାହା ଜାଣିବା ଜରୁରୀ। କରୋନା ମହାମାରୀ ଜନସଂଖ୍ୟାର ଏକ ବଡ଼ ଭାଗ ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇବ ବୋଲି ସରକାର ଭାବୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରବାସୀ ଶ୍ରମିକଙ୍କ ଉପରେ କିଭଳି ଧରଣର ସାମାଜିକ ଓ ମାନସିକ ଚାପ ରହିଛି ତାହା ଜାଣିବାକୁ ସରକାର ଉଦ୍ୟମ କରିବେ। ସର୍ଭେରୁ ଯେଉଁ ନିର୍ଯାସ ମିଳିବ ତାହାକୁ ବ୍ୟବହାର କରି ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତା ସ୍କିମ୍ ପ୍ରସ୍ତୁତ କରାଯିବ ଓ ଭବିଷ୍ୟତରେ ଅନ୍ୟ କୌଣସି ସମୟରେ ଯଦି ଏଭଳି ବଡ଼ ଧରଣର ବିସ୍ଥାପନ ହୁଏ ତାହାକୁ ସଫଳତାର ସହ ପରିଚାଳନା କରାଯାଇପାରିବ। ଗ୍ରାମାଞ୍ଚଳରେ ଚାହିଦା ଓ ଯୋଗାଣକୁ ନେଇ ରହିଥିବା ପ୍ରତିବନ୍ଧକ ଦୂର କରାଯାଇପାରିବା ସହ ଅଣ କୃଷି କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଉଦ୍ୟମ କରାଯିବ। ବିଶ୍ବ ବ୍ୟାଙ୍କ ଜାରି କରିଥିବା ଏକ ତଥ୍ୟ ମୁତାବକ, ଚଳିତ ବର୍ଷ ଭାରତକୁ ଭାରତୀୟମାନେ ବିଦେଶରୁ ପ୍ରେରଣ କରୁଥିବା ଅର୍ଥ (ରେମିଟାନ୍ସ) ୨୩% ହ୍ରାସ ପାଇ ୬,୪୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୯ରେ ଭାରତୀୟମାନେ କର୍ମକ୍ଷେତ୍ରକୁ ନିଜ ଘରକୁ ୫.୫% ଅଧିକ ଅର୍ଥରାଶି ପଠାଇଥିଲେ। ବିକାଶଶୀଳ ଦେଶଗୁଡ଼ିକ ଲାଗି ଏଭଳି ଅର୍ଥରାଶି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଶ୍ବବ୍ୟାଙ୍କ କହିଥିଲା। ୨୦୧୯ରେ ଭାରତକୁ ୮,୩୦୦ କୋଟି ଡଲାରର ରେମିଟାନ୍ସ ଆସିଥିଲା। ଯଦି ବିଶ୍ବ ସ୍ତରରୁ ଭାରତକୁ ଭାରତୀୟମାନେ ପଠାଉଥିବା ଅର୍ଥରାଶି ଏକ ସମସ୍ୟା, ତା’ଠାରୁ ବଡ଼ ସମସ୍ୟା ହେଉଛି ବାହାରେ ରହି କାମ କରୁଥିବା ଲୋକମାନେ ନିଜ ଘରକୁ ପଠାଉଥିବା ଟଙ୍କା ହ୍ରାସ ପାଇବା। ସହରାଞ୍ଚଳରେ ରହି କାମ କରୁଥିବା ପ୍ରବାସୀ ଶ୍ରମିକମାନେ ନିଜ ଆୟର ଏକ ବଡ଼ ଭାଗ ଘରକୁ ପଠାଉଥିଲେ। ବିଗତ କିଛି ମାସରେ ତାହା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହା ସେମାନଙ୍କ ପରିବାରର ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇଥିବ।
ଏହି ସର୍ଭେ ସମ୍ପର୍କରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅ୍ଫ ଇକୋନମିକ୍ ଗ୍ରୋଥ୍ର ପ୍ରଫେସର ଅରୁପ ମିତ୍ର କହିଛନ୍ତି, ସାମଜର ତଳ ବର୍ଗରେ ରହିଥିବା ସମସ୍ୟା ସୁଧାରିବା ଲାଗି ସରକାରଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ପହଞ୍ଚିଛି। ଗ୍ରାମୀଣ ଅର୍ଥନୀତିର ଢାଞ୍ଚା ପରିବର୍ତନ କରାଯାଇପାରିବ। ସମ୍ପୂର୍ଣ୍ଣ ରୂପେ କୃଷିରୁ ୍ରଅଣ କୃଷି ଭିତିକ ଅର୍ଥନୀତିରେ ରୂପାନ୍ତରିତ ହୋଇପାରିବ। ତେବେ ଏଭଳି ପରିବର୍ତନ ଆଣିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାସ୍ତବ ସ୍ଥିତି କ’ଣ ତାହା ଜାଣିବା ନିହାତି ଜରୁରୀ।