ଭୁବନେଶ୍ବର: ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଇଏନ୍ଡବ୍ଲ୍ୟୁଇସି ପକ୍ଷରୁ ଏପ୍ରିଲ୍ ୩୦ରୁ ଆରମ୍ଭ ହୋଇଥିବା ପାଞ୍ଚଦିନିଆ ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି ଯୋଗଦେଇ ମହିଳା ଉଦ୍ୟୋଗୀମାନଙ୍କୁ ରାଷ୍ଟ୍ର ନିର୍ମାତା ଆଖ୍ୟା ଦେଇଛନ୍ତି। ସେ କହିଲେ, ଯେତେବେଳେ ଜଣେ ମହିଳା ସଶକ୍ତ ହୁଅନ୍ତି, ସେତେବେଳେ ଏକ ପରିବାର ଆଗକୁ ବଢ଼ିଥାଏ। ଯେତେବେଳେ ଅନେକ ମହିଳା ଏକାଠି ହୋଇ ଆଗକୁ ବଢ଼ନ୍ତି, ତାହା ଦେଶରେ ରୂପାନ୍ତରଣ ଆଣିଥାଏ। ଏହି ମହିଳାମାନେ କେବଳ ଉଦ୍ୟୋଗୀ ନୁହନ୍ତି, ସେମାନେ ହେଉଛନ୍ତି ଜଣେ ଜଣେ ରାଷ୍ଟ୍ର ନିର୍ମାତା ବୋଲି ସେ କହିଛନ୍ତି। ମହିଳା ଉଦ୍ୟୋଗୀଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳରେ ରହୁଥିବା ମହିଳାଙ୍କ ଉନ୍ନତି ହେଲେ ବାସ୍ତବ ବିକାଶ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ଭେଷଜ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଅଶ୍ବିନୀ ଗ୍ରୁପ୍ ଅଫ୍ ହସ୍ପିଟାଲ୍ର ଏମ୍ଡି ମାୟା ଗନ୍ତାୟତଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳଚିତ୍ର କ୍ଷେତ୍ର ପ୍ରତି ଅବଦାନ ପାଇଁ ସିନେ ନିର୍ମାତା ଅନୁପମ ପଟ୍ଟନାୟକ ଓ ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଲକ୍ଜୁରି ବ୍ରାଣ୍ଡ୍ କନ୍ସଲ୍ଟାଣ୍ଟ ନିଶା ଜାମୱାଲ୍ ଓ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞ ଜୟ ମଦନଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା। ଉଦ୍ଯାପନୀ ଦିବସରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମାଙ୍କୁ ନେଇ ମହିଳା ଉଦ୍ୟମିତା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଷ୍ଟଲ୍ର ମାଲିକ, ଷ୍ଟାର୍ଟଅପ୍ ଓ ଏସ୍ଏଚ୍ଜିମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। ଶ୍ରେଷ୍ଠ ଷ୍ଟଲ୍, ନବସୃଜନ ଓ ଗୋଷ୍ଠୀ ପ୍ରତି ଅବଦାନ ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ଉଦ୍ୟୋଗୀମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା।
ଆଇଏନ୍ଡବ୍ଲ୍ୟୁଇସିର ସହ ଆବାହକ ଶ୍ବାତୀ କେଜ୍ରିୱାଲଙ୍କ ଦ୍ୱାରା ପରିଚାଳିତ ‘ବ୍ୟବସାୟରେ ମହିଳାଙ୍କ ପାଇଁ ଆଧ୍ୟାତ୍ମିକତାର ଭୂମିକା’ ଉପରେ ଜୟ ମଦନଙ୍କ ସହ ଏକ ଭାବ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଫାଇନାନ୍ସ ଓ ମାର୍କେଟିଂ ସମ୍ପର୍କିତ ପ୍ୟାନେଲ୍ ଆଲୋଚନାରେ ସିଡ୍ବିର ଡିଜିଏମ୍ ପ୍ରଦ୍ୟୁମ୍ନ ଚୌଧୁରୀ, ଏସ୍ବିଆଇର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥି, ନିର୍ଦ୍ଦେଶକ ପ୍ରିୟଦର୍ଶିନୀ ମହାନ୍ତି, ଏମ୍ଏସ୍ଏମ୍ଇ-ଡିଏଫ୍ଓ ଉପ ନିର୍ଦେଶକ ନୀତିଶା ମାନ ଓ ସିଏସ୍ ସୁନିତା ମହାନ୍ତି ଯୋଗ ଦେଇଥିଲେ। ବିଶିଷ୍ଟ ବିଜ୍ଞାପନ ନିର୍ମାତା ପ୍ରହଲ୍ଲାଦ କକ୍କର ଓ ବ୍ରାଣ୍ଡିଂ ବିଶେଷଜ୍ଞ ନିଶା ଜାମୱାଲଙ୍କୁ ନେଇ ସୃଜନଶୀଳତା ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା। ବ୍ରାଣ୍ଡ୍ ସ୍ପଟ୍ଲାଇଟ୍ ଅଧିବେଶନରେ ୟୁପିୟୁ ଆଡଭାନ୍ସଡ୍ ଆସ୍ଥେଟିକ୍ କ୍ଲିନିକ୍ର ପ୍ରତିଷ୍ଠାତା ଡ. ସମ୍ପଦ ସେଠିଆ ଯୋଗ ଦେଇଥିଲେ। ବାହ୍ୟ ଅଞ୍ଚଳରେ ଲିପ୍ସ ଆଣ୍ଡ୍ ବିଟ୍ସ ପକ୍ଷରୁ ଏକ ଫ୍ଲାସ୍ ମବ୍, ଶୁଭାଶିଷ ଡ୍ୟାନ୍ସ ଟ୍ରୁପ୍ର କାର୍ଯ୍ୟକ୍ରମ ଏବଂ ବିଜେଇଏମ୍ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ପାଞ୍ଚଦିନିଆ ମେଳା ଅତ୍ୟନ୍ତ ଚମତ୍କାର ଓ ପ୍ରେରଣାଦାୟୀ ଥିଲା। ବଲିଉଡ୍ ସେଲିବ୍ରିଟି ସୁସ୍ମିତା ସେନ୍, ଜାୟେଦ୍ ଖାନ୍, ଫରାହ ଖାନ୍, ଶୋଭା ଦେ ପ୍ରମୁଖ ଯୋଗ ଦେଇ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ମେଳାରେ ମହିଳା ଉଦ୍ୟୋଗୀମାନେ ୨୫୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରିଥିଲେ। ଫୁଡ୍ କୋର୍ଟରେ ୩୮ରୁ ଅଧିକ ଷ୍ଟଲ୍ ରହିଥିଲା। ମେଳା ବୁଲିବା ଲାଗି ପ୍ରତିଦିନ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିଲା। ଆଜିର ଉଦ୍ଯାପନୀ ସମାରୋହ କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ରାଜୀବ ସାହୁ, ଆଇଏନ୍ଡବ୍ଲୁଇସିର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହ ଆବାହକ ସୁମା ଦେବୀ ଦାଶ ଓ ଶ୍ବାତୀ କେଜ୍ରିୱାଲ୍ ଉପସ୍ଥିତ ଥିଲେ।