ଭୁବନେଶ୍ବର: ବିକାଶ ବ୍ୟବଧାନ ଦୂର କରିବା, ପ୍ରାଶାସନିକ ଢାଞ୍ଚାରେ ଉନ୍ନତି ଆଣିବା ଓ ନିରନ୍ତର ଅର୍ଥ ଯୋଗାଣ ନିଶ୍ଚିତ କରିବା ଲାଗି ପ୍ରମାଣ ଭିତ୍ତିକ ଓ ବହୁ ଅଂଶୀଦାର ଆଭିମୁଖ୍ୟ ଜରୁରୀ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି କହିଛନ୍ତି। ରାଜ୍ୟ ସହାୟତା ମିସନ ଓ ୟୁଏନ୍ଡିପି ଅଧୀନରେ ନିତି ଆୟୋଗ ସହଯୋଗରେ ଆୟୋଜନ କରାଯାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ସମ୍ପର୍କିତ ଜାତୀୟ କର୍ମଶାଳାକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଏହି ଅବସରରେ ନିତି ଆୟେଗା ସିଇଓ ବି ଭି ଆର୍ ସୁବ୍ରମଣ୍ୟମ ଏସ୍ଡିଜି କାର୍ଯ୍ୟକାରୀ କରିବାରେ ଭାରତର ସଫଳତାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସାମୁହିକ ପ୍ରଭାବ ପାଇଁ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଥିଲେ। ମୁଖ୍ୟ ସଚିବ ମନୋଜ ଆହୁଜା ଉଦ୍ଘାଟନୀ ଅଭିଭାଷଣରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଏସ୍ଡିଜିର ଗୁରୁତ୍ବ ବିଷୟରେ କହିଥିଲେ।
ଏହି ଅବସରରେ ଉନ୍ନୟନ କମିସନର ଅନୁ ଗର୍ଗ, ନିତି ଆୟୋଗର ବରିଷ୍ଠ ପରାମର୍ଶଦାତା (ଏସ୍ଡିଜି) ରାଜୀବ କୁମାର ସେନ, ଜିଆଇଜେଡ୍ ଇଣ୍ଡିଆର କଣ୍ଟ୍ରି ଡାଇରେକ୍ଟର ଡ. ଲଭରିକେ ରେଭିୟର, ୟୁଏନଡିପିର ଭାରତ ଆବାସିକ ପ୍ରତିନିଧି ଆଞ୍ଜେଲା ଲୁଗିସି ମଧ୍ୟ ବକ୍ତବ୍ୟ ରଖିଥିଲେ। ମିଳିତ ଜାତିସଂଘର ଏସ୍ଡିଜି ହାସଲ ସମ୍ପର୍କିତ ଦ୍ରୁତ ସୂଚନା ପ୍ରାପ୍ତି, ଅନୁଧ୍ୟାନ ଓ ବିବରଣୀ ପ୍ରଦାନ ଉପରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନୀତି ନିର୍ଧାରକ, ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।